Unknown

 

 

 

 

 

 

 

 

 

 

 

ତେଣୁ ମୁଁ ନର୍ସ ହେଲି

ଶ୍ରୀ କୈଳାସଚନ୍ଦ୍ର

 

 

 

ଏ କ୍ଷୁଦ୍ର ପୁସ୍ତିକା ଖଣ୍ଡିକ

ମୋର ସାନ ଭଉଣୀ

ପ୍ରତିମା ହସ୍ତରେ—

ସ୍ନେହର ସ୍ମୃତି ସ୍ୱରୂପ

ଅର୍ପଣ କଲି ।

 

ତୋର–

କୈଳାସ ଭାଇ

 

ପ୍ରଥମ ପରିଚ୍ଛେଦ

 

ଗୀତା ! ଗୀତା ! ତୋ ମାଷ୍ଟରବାବୁ ଆସିଲେଣି ପଢ଼ିବୁ ଯା । ମା ଛାୟାଦେବୀ ଲୁଚି ଖଣ୍ଡିକ ବେଲ ବେଲ ଡାକିଲେ ।

 

ମୁଁ ବର୍ତ୍ତମାନ ଯାଇ ପାରିବି ନାହିଁ ମା, ବିଦୁ ଅପା ପରା ଆସିଛି, ତା ସାଙ୍ଗରେ ଟିକେ ଗପସପ କରୁଛି । ମାଷ୍ଟର ବାବୁଙ୍କୁ କହିଦେ । ସେ Study Roomରେ ଟିକେ ବସନ୍ତୁ, ମୁଁ ଯାଉଛି । ଏକା ନିଶ୍ଚାସକେ ଗୀତା ଏତକ ଉତ୍ତର ଦେଲା । ମନରେ ମୋର ଆସିଲା ଭୀଷଣ ଦୁଃଖ–ଭାବିଲି ମୋତେ ଏହିପରି ଟିଉସନ କରିବାକୁ ଜଣେ ମାଷ୍ଟର ନିଯୁକ୍ତ ହୋଇଥିଲେ, ମୁଁ ତ ଏତେ ଅବହେଳା କରୁ ନଥିଲି । ଆଉ ଭାବି ପାରିଲିନାହିଁ, ପରେ ମନକୁ ସାନ୍ତ୍ଵନା ଦେଲି, ମନୁଷ୍ୟର ଟଙ୍କା ନ ଥିଲେ କିଛିନାହିଁ । ଟଙ୍କା ମନୁଷ୍ୟକୁ କିଣିପାରେ । ବି. ଏ. ଟା ପାସ୍ କରି ସାରିଲା ପରେ ଚାକିରିକରି ଟଙ୍କା ରୋଜଗାର କରିବି । ବର୍ତ୍ତମାନ ଯଦି ନିଜର ଆତ୍ମସମ୍ମାନକୁ ଭୟ କରି ଟିଉସନ ଖଣ୍ଡକ ଛାଡ଼ିଦିଏ, ତେବେ ମେସ୍‌ରେ ମିଲ୍ ବନ୍ଦ । ଏହିପରି ଭାବରେ ଆକାଶ ପାତାଳ ଭାବିବାକୁ ଲାଗିଲି, ଗୀତା ଅବଶ୍ୟ ମୋତେ ଘୃଣା କରେ ନା, କେଉଁ ହିସାବରେ କେଜାଣି ମୋତେ ତା’ ପ୍ରାଣ ଭାରି ଭଲପାଏ । ଗୀତା ତ ଛୋଟ ପିଲା ନୁହେଁ, ବୟସତାକୁ ସତର କିମ୍ବା ଅଠର ହେବ, ଏକାଦଶ ଶ୍ରେଣୀର ଛାତ୍ରୀ । ଛାୟାଦେବେ, ସେ ମଧ୍ୟ ମୋତେ ତାଙ୍କର ପୁଅ ପରି ଭଲପାନ୍ତି, କିନ୍ତୁ ପୂର୍ଣ୍ଣବାବୁ (ଗୀତାର ବାପା) ଜଣେ ନାମଜାଦା ଡାକ୍ତର ହିସାବରେ କି ନିଜର କରଣ ଜାତିକୁ ଟେକ ରଖିବାକୁ ମୋ ସାଥିରେ ତାଙ୍କର ସେପରି ଆଳାପ ନ ଥାଏ । ସେଥିପ୍ରତି ମୋର ଆଦୌ ଭ୍ରୂକ୍ଷେପ ନଥାଏ-। Duty ବଜାଇ ସାଇକେଲ ଖଣ୍ଡିକ ଧରି ବସାକୁ ଫେରେ । ଏହିପରି ଭାବନା ଦେଇ ମୁଁ ଗତି କରୁଛି, ହଠାତ୍ ତାହାର ବିଦୁଅପା ସହିତ ଗୀତା ଘର ଭିତରକୁ ପଶି ଆସିଲା ।

 

ଗୀତା—ଏହି ଭଦ୍ର ଲୋକ ହେଉଛନ୍ତି ମୋର ଟିଉସନ ମାଷ୍ଟର ରେଭେନ୍‌ସା କଲେଜର ଚତୁର୍ଥ ବିଜ୍ଞାନର ଛାତ୍ର । ନାମ ଶ୍ରୀ ବସନ୍ତ କୁମାର ସମାଲ ।

 

ବିଦୁ—ନମସ୍କାର, ଯାହା ହେଉ ତୁ ତ ଭଲ ମାଷ୍ଟରଟିଏ ପାଇଛୁ ମୁଁ ।

 

ମୁଁ—ନମସ୍କାର ତମକୁ ଏତେ ଅନଧିକାର ଚର୍ଚ୍ଚା କରିବାକୁ କହୁଛି କିଏ ଗୀତା ଦେବୀ ?

 

ବିଦୁ—ଆପଣଙ୍କ ପରିଚୟଟା ମୁଁ ଜାଣିଲେ ସେଥିରେ ଆପଣଙ୍କର କିଛି କ୍ଷତି ଅଛି କି ? କହି ହସିଲା ।

 

ମୁଁ—ନା ତଥାପି.....

 

ବିଦୁ—ତଥାପି ମାନେ ?

 

ମୁଁ—ଅପରିଚିତା ଭଦ୍ର ମହିଳାପାଖରେ ଜଣେ ନିହାତି ଅପରିଚିତ ଭଦ୍ରଲୋକର କି ପରିଚୟ ?

 

ବିଦୁ—ଆଚ୍ଛା ପରିଚୟ ହୁଏ କିପରି ?

 

ମୁଁ—ବହୁତ ଥର ସାକ୍ଷାତ ପରେ ।

 

ବିଦୁ—ଥରକରେ ନୁହେଁ ?

 

ମୁଁ—ନା—

 

ବିଦୁ—କିପରି ?

 

ମୁଁ—ମନେ କରନ୍ତୁ, ଆପଣଙ୍କର ଜଣେ କେହି New friend ଆସିବ, ପ୍ରଥମେ ଆପଣ ନିଶ୍ଚୟ ତା’ ସହିତ ସଙ୍କୋଚବୋଧ କରିବେ କଥାବାର୍ତ୍ତା କରିବାକୁ । ସେଦିନ ଯିବ, ତା’ ପରିଦିନ ପାଖରେ ବସୁ, ବସୁ ଦେହରେ ଦେହ ବାଜିବ, ତା’ପର ସେ କଥାଟିଏ କହିବ, କିମ୍ବା ମନେ କରନ୍ତୁ ଆପଣ କହିବେ, ଏହିପରି ଭାବରେ ହସିବ, ଆପଣ ହସିବେ, ତା’ପରେ...

 

ଗୀତା—ତୁ କ’ଣ ତାଙ୍କୁ ଯୁକ୍ତିରେ ପାରିବୁ ? ସେ ପରା କଲେଜ ପଢ଼ୁଆ, କେଉଁକଥା ନେଇ କେଉଁଠି ଯୋଡ଼ି ଦେବେ ।

 

ମୁଁ—ଆଚ୍ଛା । ମୁଁ ଆପଣଙ୍କ ପରିଚୟଟା ଜାଣିପାରେ କି ?

 

ବିଦୁ—ନିଶ୍ଚୟ । ତେବେ......

 

ଗୀତା—ତେବେ ଯେବେ କିଛି ନୁହେଁ, ଶୁଣନ୍ତୁ ତାଙ୍କର ପରିଚୟ, ତାଙ୍କର ନାମ ଶ୍ରୀଯୁକ୍ତ ବିଦ୍ୟୁତ୍‌ଲତା ନାୟକ, ପିତା ବ୍ରଜବନ୍ଧୁ ନାୟକ, ବାଣପୁରର ସବ୍‌ଡେପୁଟି । ମିସ୍‌ ନାୟକ ବାଣପୁରରେ ଥାଇ ସେଠା ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରନ୍ତି । ମାଉସୀ ପ୍ରଭୃତି ସେଠାରେ ଅଛନ୍ତି । ତାଙ୍କୁ ମାମୁ ଘର ଏଠି । ତାଙ୍କ ମାମୁଙ୍କ ପୁଅର ବିଭାଘର, ସେଥିପାଇଁ ଏଠାକୁ ଆସିଛନ୍ତି, ମଉସାଙ୍କର ପୁଅ ନାହିଁ ବୋଲି ଭାରି ଅୟସରେ ବଢ଼ୁଛି । ମୁଁ ଶୁଣୁଛି ମଉସା କୁଆଡ଼େ ବିଦୁଅପାକୁ ଅବିବାହିତା ରଖି ମାଜିଷ୍ଟ୍ରେଟ କାମଟା ୟାଙ୍କ ହାତକୁ ଦେଇ ଅବସର ଗ୍ରହଣ କରିବେ । ହଠାତ୍ ଗୋଟିଏ ହସର ଢେଉ ଖେଳିଗଲା । ବିଦୁର ମୁହଁ ଲାଲ୍ ପଡ଼ିଗଲା ଲାଜରେ । ଛୋଟ ସରୁ ଚାପୁଡ଼ାଟିଏ ଗୀତାର ଗାଲରେ ବସାଇ ଦେଇ ବିଦୁ ଦରଜା ଡେଇଁ ଚାଲିଗଲା । ଚାହିଁଥାଏ ମୁଁ, ମୋ ଆଡ଼କୁ ଅନାଇ ଗୋଟିଏ ଗୋଲାପଫୁଲ ତୋଳିଲା, ଟିକେ ହସି ଦେଇ ବଗିଚାର ଅନ୍ତରାଳରେ ଲୁଚିଗଲା । ମୋର ଦୃଷ୍ଟି ଥାଏ କେବଳ ତାହାରି ଆଡ଼େ ।

 

ଗୀତା—ସାର୍ ଆଜି କ’ଣ କିଛି ପଢ଼େଇବେ ନାହିଁ । କାଲି ଯେଉଁ English Translationଟି ଦେଇଥିଲେ ତାକୁ ଟିକେ correct କରି ଦିଅନ୍ତୁ, Algebra ଦୁଇଚାରି ଖଣ୍ଡି କରେଇ ଦିଅନ୍ତୁ ।

 

ତୁ ଯେଉଁ ମନଯୋଗୀ ପିଲାଟାନା, ପାଠପଢ଼ିବାର ତୋର ଭାରି ଇଚ୍ଛା ଅଛି, କହିଲି ମୁଁ ।

 

ଗୀତା—ମୁଁ କ’ଣ କଲିକି ? ଏତିକି କହି ଘୋଷାରେ ତାର ମୁହଁଲାଲ ପଡ଼ିଗଲା, ଆଖିରୁ ଗଡ଼ି ପଡ଼ିଲା ଦୁଇ ଟୋପା ଲୁହ ।

 

ମନ ମୋର ନିହାତି ଦୁଃଖ ହେଲା; କେଉଁଦିନ ତାକୁ ମୁଁ କିଛି କହେ ନାହିଁ । ଆଜି କ୍ଷଣିକ ଉତ୍ତେଜନାରେ କହିଦେଲି ଦୁଇପଦ ଅନେକ ବୁଝାଇଲା ପରେ କ୍ଷାନ୍ତ ହେଲା କାନ୍ଦଣାରୁ । ତଥାପି ମନଟା ମୋର ବୁଝୁ ନଥାଏ । ମାଉସୀ ଡାକିଲେ ଗୀତା ଗୀତା, ଗୀତା ଚାଲିଗଲା । ପ୍ରକାଶ୍ୟରେ ମାଉସୀ କହିଲେ,ନେ ତୋ ମାଷ୍ଟରଙ୍କୁ ଖାଇବାକୁ ଦେ ଅନେକ ଡେରି ହେଲାଣି ।

 

ଖାଇବାକୁ ମନା କଲି ମୁଁ, କଲେଜରୁ ଆସି, ଟିଉସନକୁ ଆସି ଥାଏ । ବେଳ ସାଢ଼ ପାଞ୍ଚ-। ଯଦିଓ ଭୋକ ହେଉଥାଏ । ତଥାପି କହିଲି “ନାହିଁ ମାଉସୀ ଆଜି ମୋତେ ନିମନ୍ତ୍ରଣ ଅଛି, ମୋର ଜଣେ ସାଙ୍ଗପିଲାର ଘରକୁ । କାଲି ଖାଇବି । ବର୍ତ୍ତମାନ ମୁଁ ଯାଉଛି,” ଗୀତାର ଅନୁରୋଧ ନ ରଖି ସାଇକେଲ ଖଣ୍ଡ ଧରି ଚାଲି ଆସିଲି ନାଲି ରାସ୍ତାକୁ ।

Image

 

ଦ୍ଵିତୀୟ ପରିଚ୍ଛେଦ

 

ବୈଶାଖର ସନ୍ଧ୍ୟା, ଗରମର ପ୍ରାଦୁର୍ଭାବ ଯାଇ ନଥାଏ ଧରଣୀର ବକ୍ଷରୁ । ଟିକିଏ ଶୀତଳ ବାୟୁ ସେବନ ଆଶାରେ ସାଇକେଲ ଖଣ୍ଡିକ ଧରି ଚାଲିଲି କାଠଯୋଡ଼ି କୂଳକୁ । ସାଇକେଲ ଖଣ୍ଡିକ ସିମେଟ୍ ଚେୟାରକୁ ଆଉଜେଇ ଦେଇ ବସି ପଡ଼ିଲା । ଭାବିଲି, ଆଜି ଆଉ ଟିଉସନକୁ ଯିବି ନାହିଁ । ବସି ରହିଲି ଅନେକ ସମୟ । ଭାବନାରେ ମଥାଟା ଘୂରୁଥାଏ ଏ ପାଖ ସେ ପାଖ, ଘରେ ଏକାକିନୀ ବୃଦ୍ଧା ଜନନୀ ଆଉ ଦଶବର୍ଷର ସାନ ଭଉଣୀଟିଏ, ସେମାନେ କ’ଣ କରୁଥିବେ । ମା ମୋର ଅନେକ ଲଗାଇଛି ମୋର ବିବାହ ଦେଖିବାକୁ; କିନ୍ତୁ ତା’ ଭାଗ୍ୟରେ ଜୁଟୁଛି କେଉଁଠି । ଭାବିଲି ପାସଟା କରିସାରିଲା ପରେ ମୋ’ର ଅଭିଳାଷ ପୂର୍ଣ୍ଣ କରିବି । ଏହିପରି ଭାବନାଟା ମୋର ହିମାଳୟ ଅତିକ୍ରମ କରି ଗତି କରୁଛି । ହଠାତ୍ ଗୋଟାଏ ନିଶାଚର ପକ୍ଷୀର କେଁ କେଁ ରାବରେ ଭାବନାଟା ଭାଙ୍ଗିଗଲା । ଘଡ଼ିକି ଚାହିଁଲି ଅନ୍ଧାରରେ କିଛି ଦିଶିଲା ନାହିଁ । ତଥାପି ଅନୁମାନ କଲି ସାଢ଼େଆଠ । ସାଇକେଲ ଖଣ୍ଡି ପେଲି ପେଲି ଆସିଲି ମେସ୍‍କୁ । ମେସରେ ପହଞ୍ଚିବା ମାତ୍ରେ ଚାକର ଆଣି ଦେଲା ଖଣ୍ଡିଏ ଚିଠି । ସନ୍ଦେହ ହେଲା ଖୋଲିଲି;—

 

କଂପଗଡ଼

ତା ..............................

 

ମାନନୀୟ ନାନା !

 

ମୋର ପ୍ରଣାମ ଗ୍ରହଣ କରିବେ । ଆପଣ ଶୁଣି ଖୁସି ହେବେ ଯେ ମୁଁ ଅପରପ୍ରାଇମେରୀରେ ପ୍ରଥମ ହୋଇ ବୃତ୍ତି ପାଇଛି । ଆମର ପ୍ରାଇଜ ହୋଇଥିଲା । ମୁଁ ନଅଟା ପ୍ରାଇଜ ପାଇଛି, ମୁଁ ସୁତାରେ ଗୋଟିଏ money bag ବୁଣିଥିଲି । ସେଥିରେ ପାଞ୍ଚଟଙ୍କା ପୁରସ୍କାର ପାଇଛି । ବର୍ତ୍ତମାନ ମାଷ୍ଟରମାନେ ମୋତେ ଲଗାଇଛନ୍ତି ମାଇନରରେ ନାମ ଲେଖାଇବାକୁ, ମୋର ମଧ୍ୟ ଭାରି ଇଚ୍ଛା ପଢ଼ିବାକୁ । କାରଣ ଆଜିକାଲି ସ୍ତ୍ରୀ ପିଲାମାନେ ନ ପଢ଼ିଲେ ତାଙ୍କର ଆଦୌ ନାମ ନାହିଁ, ବୋଉ ମନା କରୁଛି ପଢ଼ିବାକୁ । ଏଥିରେ ଆପଣଙ୍କର ମତ କ’ଣ ? ଆପଣ ଘରକୁ ଜମା ଆସୁନାହାନ୍ତି । ବୋଉ ସର୍ବଦା କାନ୍ଦୁଛି । ମୋ ପାଇଁ ଖଣ୍ଡେ ବଙ୍ଗଳା ଲେଖା “ସୁବାଷଚନ୍ଦ୍ର ଆତ୍ମକାହାଣୀ” ପଠାଇବେ ଏଇ କେତେଦିନ ଛୁଟିରେ ମୁଁ ବଙ୍ଗଳା ଖୁବ୍‍ ଭଲଭାବରେ ଲେଖିପଢ଼ି ଶିଖିଛି । ଚେଷ୍ଟା କରିବେ ଆସିବାକୁ ନଚେତ୍ ପତ୍ରଦ୍ଵାରା କରିବେ । ଇତି ।

 

ଆପଣଙ୍କର

ସ୍ନେହର ମିନି

 

ଚିଠି ଖଣ୍ଡିକ ଏକା ନିଶ୍ଵାସେ ପଢ଼ି ନେଲି । ଆନନ୍ଦରେ ଛାତି ମୋର ଯେମିତି ଥରି ଉଠିଲା, ସେହିପରି ଦୁଃଖରେ ଛାତି ଭିତରଟା ପୂରିଗଲା । ଭାବିଲା ଭଉଣୀର ମୋର ଇଚ୍ଛା ଅଛି ପଢ଼ିବାକୁ । ଏହି ପରି ଛାତ୍ରୀ ଶତକଡ଼ା ଓଡ଼ିଶାରେ ଦଶଟା ବାହାରିବା ବିରଳ । ଯଦି ମୁଁ ନ ପଢ଼ାଏ ତାକୁ ତେବେ ମୋର ଟିକି ଭଉଣୀର ଆଶାର ସୌଧଟି କାଳ ଝଞ୍ଜାରେ ଭାଜି ଚୁରମାର ହୋଇଯିବ-। ପ୍ରତିଜ୍ଞା କଲି, ଯାହା ପାରି ତାହା ହେଉ ତାହାର ନାମଟା ମାଇନର ସ୍କୁଲରେ ଲେଖାଇବି-। ଏହିପରି ଭାବି ଭାବି ସେ ଦିନ ପଢ଼ିବାକୁ ଆଦୌ ଇଚ୍ଛା ହେଲା ନାହିଁ ପୂଝାରିକୁ ମନାକଲି ଖାଇବାକୁ । ନ ଖାଇ ମୁହଁ ମାଡ଼ି ଶୋଇପଡ଼ିଲି, ହେଲା ସକାଳ । ସବୁଦିନ ପରି କଲେଜ ପଢ଼ା ସମସ୍ତ ଠିକ୍ କରିଦେଲି ସେ ଦିନ ପ୍ରଥମ ପିରିଅଡ଼ ଥାଏ । ତେଣୁ ଶୀଘ୍ର ଗାଧୋଇ ପଡ଼ି ଖାଇ ନେଇ ବାହାରିଲି କଲେଜ । ମିନିଠାରୁ ଚିଠି ଖଣ୍ଡକ ପାଇବା ବେଳଠାରୁ ମୋ ମସ୍ତକରେ ଚିନ୍ତାକୀଟ ପ୍ରବେଶ କରିଛି-। ପ୍ରଫେସର Classରେ ପଢ଼ାଉ ଅଛନ୍ତି, ମୁଁ ତାର ନାମ ଲେଖା କଥା ବସି ଭାବୁଛି । ପିରିଅଡ଼ ଶେଷ ହେଲା, ଫେରିଲା ମେସ୍‍କୁ । ଏହିମାସ ତା ୨୫ ରିଖରେ ତାର ନାମ ଲେଖା ହେବାର କଥା; ମାତ୍ର ଟଙ୍କା ଆସିବ କେଉଁଠୁ ଇଚ୍ଛାହୁଏ ମାମୁଙ୍କୁ ଅନୁରୋଧ କରିବି କିଛି ଟଙ୍କା ପାଇଁ-। କିନ୍ତୁ ମାମୁଙ୍କର ମୋ ପ୍ରତି ଯେଉଁ ଈର୍ଷା ପରକ୍ଷଣରେ ଭାବି ମନକୁ ମନ ନାହିଁ କରେ । ଶେଷରେ ସିଦ୍ଧାନ୍ତ କାଲି ବାପା ଦେଇ ଯାଇଥିବା ଘଡ଼ିଟିକୁ ବିକ୍ରୟକରି ତାର ନାମ ‘ଲେଖାକରି ଓ କେତେକ ବହି କିଣିବି । ଚାରିଟା ବାଜିଲା ମେସ୍ ପିଲାମାନେ ଡାକିଲେ “ବ୍ୟାଡ଼୍‌ମିଣ୍ଟନ (Badminton) ଖେଳିବାକୁ, ମନାକଲି । ମୁଁ ଛାତ୍ର ଜୀବନରେ କେବେ ଖେଳି ନାହିଁ କି ଖେଳେ ନାହିଁ-। ତେଣୁ ପିଲାମାନେ ମୋର ନାମ ଦେଇଥାନ୍ତି ଖେଳ ରାଜ୍ୟରେ ଓସ୍ତାତ । ତାହା ଆନନ୍ଦରେ ସେହି ନିଏ-। କିଛି ସମୟ ପରେ ଟିଉସନକୁ ବାହାରିଲି । ସେଠାରେ ପହଞ୍ଚିବାର ପାଞ୍ଚମିନିଟ୍ ହୋଇଗଲାଣି-। ମୁଁ ବସିଛି ଗୀତାର ପଢ଼ାଘରେ-। ଏହି ସମୟରେ ଗୀତା ଖଣ୍ଡେ ଚକଚକିଆ ଶାଢ଼ି ଓ ସୁନ୍ଦର ସେମିଜ ଖଣ୍ଡେ ପିନ୍ଧି, ପାଦରେ ନାଏଗ୍ରା ଚପଲ ଦେଇ କୁଦାକୁଦିକା ଆସି ପହଞ୍ଚିଲା ତାର ପଢ଼ାଘରେ । କହିଲି ଗୀତା, ଆଜି ପଢ଼ିବୁ ନାହିଁ କି ?

 

ଗୀତା—ନା—ସିନେମା ଯିବ କେତେବେଳେ, ପଢ଼ିବ କେତେବେଳେ ? ହଁ ପ୍ରଭାତରେ ଯେଉଁ “ନୌକାଡ଼ୁବି” ବହିଟା “ରବୀନ୍ଦ୍ର ନାଥ” ଠାକୁରଙ୍କର ହେଉଛି କେମିତି ହୋଇଛି ? କହିପାରିବି ନାହିଁ । ସେ ସବୁର ଭକ୍ତ ମୁଁ ନୁହେ ଉତ୍ତର ଦେଲି ମୁଁ ।

 

ଆପଣ ଖାଲି ବହି କଥା ଜାଣନ୍ତି ନୁହେଁ, କହିଲା ଗୀତା । ହଁ—ଉତ୍ତର ଦେଲି ମୁଁ

 

ଆଚ୍ଛା ଚାଲନ୍ତୁ ଆଜି ବହିଟା ଦେଖି ଆସିବା—ଏକୁଟିଆ ଯିବାକୁ ଇଚ୍ଛା ହେଉନାହିଁ । ବିଦୁ ବାହାରିଛି, ନ ଗଲେ ତା’ ମନ କଷ୍ଟ ହେବ । ସେ କହୁଥିଲା ଆପଣଙ୍କୁ ସଙ୍ଗରେ ନ ଦେଇ ଛାଡ଼ିବ ନାହିଁ ।

 

ମନାକଲି, କହିଲି କାଲି କଲେଜରେ ମୋର ଚାରିଟା ପରିଅଡ଼ ଅଛି । ପଢ଼ାପଢ଼ି ଠିକ୍ କରିବାକୁ ହେବ, ଆଉ ବିଶେଷତଃ ସିନେମା, ଥିଏଟର ଦେଖିଯିବାକୁ ମୁଁ ଭଲପାଏ ନାହିଁ । କୌଣସିମତେ ତମ ସାଙ୍ଗରେ ଯାଇ ପାରିବି । ନାହିଁ । ସୁନ୍ଦର ବେଶରେ ସଜ୍ଜିତ ହୋଇ ହଠାତ୍ ବିଦୁ ଘରଭିତରକୁ ପଶି ଆସି କହିଲା ସେ Blind excuse ଆପଣଙ୍କ ଶୁଣା ଯିବ ନାହିଁ । ଆପଣଙ୍କୁ ଯିବାକୁ ହେବ । ଚାଲନ୍ତୁ ସମୟ ହେଲାଣି । ବାରମ୍ବାର ମନାକଲେ ମଧ୍ୟ ନଛୋଡ଼ବନ୍ଧା ଏହି ସମୟରେ ମାଉସୀ ପଶି ଆସି କହିଲେ ଅଜି ସିନେମା ଦେଖି ଯିବ ବୋଲି ଖିଆ ପିଆ ନାହିଁ ଗୀତାର । କହିଲି, ମାଉସୀ, ଗୀତା ତ ଆଜି ସିନେମା ଦେଖି ଯାଉଛି ଆଉ ପଢ଼ାଇ ହେବ ନାହିଁ; ମୁଁ ଯାଉଛି କହି ଚୌକି ଉପରୁ ଉଠିଲି । ମାଉସୀ କହିଲେ—ତୁମ ପରା ତାଙ୍କୁ ସାଙ୍ଗରେ ନେଇ ଯିବୁ ବାପା ? ଗୀତା ସକାଳ ପ୍ରହରୁ କହୁଛି ମାଷ୍ଟର ବାବୁ କହିଛନ୍ତି ଆମକୁ ସାଙ୍ଗରେ ନେବେ ।

 

କହିଲି—ମୁଁ ତ ଆଦୌ ଜାଣେ ନାହିଁ ଏ ବିଷୟ । ଗୀତା ଗୀତା ? ଦୁଇଡାକ ଡାକିଲି, କିନ୍ତୁ ଉତ୍ତର ପାଇଲି ନାହିଁ । ବିଦୁ ଆସି କହିଲା ଗୀତା ଲୁଗା ଜାମା ପାଲଟି, ଛାତ ଉପରେ ଛିଡ଼ାହୋଇ କାନ୍ଦୁଛି; ମୁଁ ତାକୁ ଡାକିଲି ସେ କହିଲା ମୁଁ ଯିବି ନାହିଁ ।

 

ମାଉସୀ କହିଲେ ବାପା ତୁ ତାଙ୍କୁ ନେଇ ଯା । ଯଦି ଆଜି ସେ ନ ଯାଏ ତାହାର ଆଜି ଖିଆପିଆ ବନ୍ଦ । ମୁଁ ଜଳଖିଆ ଆଣି ଦେଉଛି ଖାଇନେ । ଡାଇଭରକୁ କହୁଛି ମଟରଟା ଠିକ୍‍ କରୁ । ମାଉସୀର କଥା ଭାଙ୍ଗି ପାରିଲି ନାହିଁ, ଛାତ ଉପରକୁ ଗଲି, ଦେଖିଲି ଗୀତା ବସି ଲୁହଗୁଡ଼ାକ ଝାଡ଼ି ପକାଉଛି । ଡାକିଲି—ଗୀତା’ ଉତ୍ତର ନାହିଁ ଆଉଡାକେ ଡାକିଲି ତଥାପି କୌଣସି ଉତ୍ତର ନାହିଁ । କହିଲି, ହଁ ମୁଁ ସିନେମା ଦେଖିଯିବି ଉଠ୍ । ତଥାପି ଉଠିଲା ନାହିଁ । ହାତଧରି ଟାଣି ଆଣିଲି । ଛୋଟ ପିଲାଟି ପରି ମୋ କାନ୍ଧ ଉପରେ ମୁହଁଟି ରଖି କଇଁ କଇଁ ହୋଇ କାନ୍ଦିଉଠିଲା । କେତେ ବୋଧ କଲି ତୁନିହେଲା । ମାଉସୀ ଜଳଖିଆ ଦେଲେ ଖାଇନେଲି, ଖାଇସାରି ଦେଖେ ତ ଗୀତାର ଯେଉଁ ପୂର୍ବ ବେଶ ଆଉଥରେ ସେହି ।

 

କହିଲି—ବିଦୁ ଦେବୀ, ଆଚ୍ଛା ଆପଣ ଦେଖନ୍ତୁତ; ଆପଣଙ୍କ ବେଶଭୂଷା ପାଖରେ ଯଦି ଏ ଛିଣ୍ତାଜାମା ଲୁଗାଧାରୀ ଛିଡ଼ା ହୁଏ ତେବେ କ’ଣ ସୁନ୍ଦର ଦିଶିବ ? ଲୋକେ ବେଳକ ହସିବେ ସିନା ? ତମର କି ସାରୁ ବନାରସୀ ଶାଢ଼ି, ନାଏଗ୍ରା ଚପଲ, କିନ୍ତୁ ମୋର ଏ ଅଖା ପାଲ ପରି ଖଦଡ଼ ଓ ମଧୁବାବୁଙ୍କ ଟେନେରୀ ଯୋତାଏ କ’ଣ ଶୋଭା ପାଇବ ?

 

ଓଃ ଆପଣ ଏଇଥି ପାଇଁ ମନା କରୁଛନ୍ତି—ଆଚ୍ଛା ଆମଘରେ ଭଲ ଲୁଗା ଓ ଶିଲ୍‍କ ପଞ୍ଜାବୀ ଅଛି ଆଣେ, କହି ଗୀତା ଉଠିବା ସମୟରେ ତାହାର ହାତ ଧରିନେଲେ, କହିଲି ଗଲେ ପୁଣି ଟିକେଟ ଆଣିବାକୁ ହେବ । ଏହି ସମୟରେ ମାଉସୀ ପାଞ୍ଚଟି ଟଙ୍କା ଆଣି ମୋ ହାତରେ ଦେଇ କହିଲେ, ଟିକେଟଖର୍ଚ୍ଚ । ଆଗରୁ ଡାଇଭର ମଟର ଠିକ୍‌ କରି ରଖିଥିଲି, ବସିଲା ଯାଇ ମଟରରେ, ଗୀତା ବସିଲା ମୋର ଡାହାଣ କଡ଼ରେ ବିଦୁ ବସିଲା ମୋ ବାମ ପାଖକୁ । ମଟର ଚାଲିଲା ଆଗକୁ ଖାଲି ଢିପରେ ପଡ଼ି ମଟରଟା ହଲିଯିବା ସମୟରେ ଦୁଇଜଣ ଯାକ ମୋ ଉପରେ ଢଳି ପଡ଼ନ୍ତି, ମୋତେ କିପରି ଅଡ଼ୁଆ ଅଡ଼ୁଆ ଲାଗେ । ଆଜି ମୋର ପ୍ରଥମ, ଯୁବତିମାନଙ୍କ ସହିତ ସାଙ୍ଗ ହୋଇ ଏକା ମଟରରେ ବସି ଯାଇ ସିନେମା ଦେଖିବା । କ୍ରମେ ଗାଡ଼ିଟା ଯାଇଁ ହଲ୍‌ର ଆଗରେ ଛିଡ଼ା ହୋଇଗଲା, ଡ୍ରାଇଭର ଦରଜା ଖୋଲି ଦେଲା ବାହାର ପଡ଼ିଲୁ ଆମେ ତିନିହେଁ । ଖେଳ ହେବାର ଆଉ ଅଧଘଣ୍ଟାଏ ଡେରିଥାଏ—ତେଣୁ ଅନେକ ଲୋକ ଭିଡ଼ ହୋଇଥାନ୍ତି । ମୁଁ ଏମାନଙ୍କୁ ଛିଡ଼ା କରିଦେଇ ଟଙ୍କିକିଆ ତିନିଖଣ୍ଡ ଟିକେଟ ନେଇ ଆସିଲି । ଏହା ଭିତରେ ବିଦୁ ଯାଇ ଏକପ୍ୟାକେଟ୍ ସିଗାରେଟ ଆଣିଛି । ମୁଁ ଆସିଲାବେଳକୁ ମୋ ହାତରେ ଗୋଟିଏ ଗୋଲ୍ଡଫ୍ଲେକ ସିଗାରେଟ ପ୍ୟାକେଟ ଓ ଗୋଟିଏ ଡିଆସିଲି ଧରାଇ ଦେଲା । ମୁଁ ସେ ସବୁ କିଛି ଖାଏ ନାହିଁ, ତେଣୁ ପକେଟରେ ରଖିଦେଲି । ମୋର କେତେକ କଲେଜ ପଢ଼ୁଆ ସାଙ୍ଗ ଆସିଥାନ୍ତି, ତାଙ୍କ ଭିତରେ ଜ୍ଞାନ ଓ ସୁରେଶ ଏ ଦୁଇଜଣ ବଡ଼ କୌତୁକପ୍ରିୟ ଓ ଦରହସା । ମୁଁ ଜାଣେନା ସେ ଅନେକବେଳୁ ମୋତେ ମାର୍କ ରଖି ହସୁଛନ୍ତି । ସିଗାରେଟ୍‍ ପକେଟରେ ରଖିବା ଦେଖି ଧାଇଁଆସି ସୁରେଶ ପକେଟରେ ହାତ ପୂରାଇ ଦେଲା । ଦେଖେତ ଏହି ଭଦ୍ରଲୋକ ସୁରେଶ, ବିଦୁ ଓ ଗୀତାଆଡ଼କୁ ଆଡ଼ ଚାହାଁଣୀରେ ଚାହିଁ ସାହେବାନି ଠାଣିରେ ସିଗାରେଟ୍‍ ପାଟିରେ ପୂରାଇ ଧୂଆଁ ଛାଡ଼ି କହିଲା, କିରେ ବସନ୍ତି, ସେମାନେ ପୁଣି କିଏ ?

 

ଉତ୍ତର ଦେଲି, ମୋର ଛାତ୍ରୀ—ଟିଉସନ କରେ ସେମାନଙ୍କୁ କି ପ୍ରକାର ଟିଉସନ କରୁରେ ? ବେଶ୍‌ତ ଗୋଲଗାଲ ହୋଇଛନ୍ତି । ଏହା କହି ସୁରେଶ ମୋତେ ପେଲିଦେଲା । କହିଲି, ସବୁ ଜାଗାରେ ଅଭଦ୍ରାମି ଚଳେନା ସୁରେଶ—ତୁ ଯା— । ଆଚ୍ଛା କାଲି—ଏତିକି କହି ସୁରେଶ ଯାଇଁ ଦଶହାତ ଦୂରରେ ଜ୍ଞାନ ସହିତ ଛିଡ଼ାହେଲା ପ୍ରଥମ ବେଲ୍ ବାଜିଲା—ଆମେ ହଲ୍ ଭିତରକୁ ଗଲୁ, ତା’ପର ଦ୍ଵିତୀୟବେଲ୍, ପରେ ଖେଳ ଆରମ୍ଭ ହେଲା ।

 

ମୁଁ ବସିଥାଏ ମଝିରେ । ପ୍ରତ୍ୟେକ ଦୃଶ୍ୟ ସେମାନଙ୍କୁ ବୁଝାଇ ଦେବାକୁ ପଡ଼ୁଥାଏ । ସେମାନଙ୍କ କଅଁଳ ପରଶରେ ମୋତେ ଖେଳ ଦେଖିବାକୁ ଆଦୌ ଭଲ ଲାଗୁ ନଥାଏ । ସେମାନଙ୍କ କଅଁଳଦେହର ପରଶ ଅନୁଭବ କରୁଥାଏ ମୁଁ ଅନବରତ । ଖେଳ ଭାଙ୍ଗିଲା ପଦାକୁ ଆସି ମଟରରେ ବସିଲୁ । ମୋର ସାଇକଲ ଥାଏ ଗୀତାର ଘରେ । ତେଣୁ ବାଧ୍ୟ ହେଲି ଗୀତାର ଘରକୁ ଯିବାକୁ । ମନହେଉଥାଏ ସବୁଦିନେ ଏମାନଙ୍କ ସହିତ ମଟରରେ ମଝି ସିଟରେ ବସି ବୁଲୁଥାନ୍ତି କି ? ଏହିପରି ଭାବୁ ଭାବୁ ମଟରଟା ଗୀତାର ଦୁଆର ମୁହଁରେ ପହଞ୍ଚିଲା । ସମସ୍ତେ ଓହ୍ଲାଇ ଗଲୁ । ବିଦୁ ମୋତେ ନମସ୍କାର କରି ଚାଲିଗଲା ତାର ମାମୁଁଙ୍କ ଘରକୁ । ମାଉସୀ ଓ ମାଉସୀ ତାଙ୍କର ଜଣେ ବନ୍ଧୁଙ୍କ ବସାକୁ ବୁଲି ଯାଇଥାନ୍ତି । ଘରେ ଥାନ୍ତି ଚାକର ଓ ପୂଝାରି । କାହିଁକି କେଜାଣି ଦୌଡ଼ି ଯାଇଁ ଦୁଇଟି ଗୋଲାପଫୁଲ ବଗିଚାରୁ ନେଇଆସି ମୋ ପକେଟରେ ରଖିଦେଇ ଅନୁରୋଧ କଲା ଛାତ ଉପରକୁ ଯିବାକୁ । ଗଲି ତାହାର କଥାରେ ।

 

ଚନ୍ଦ୍ର ପକ୍ଷର ରାତ୍ରୀ । ଧୀର ସମୀରଣରେ ବଗିଚାର ଫୁଲଗୁଡ଼ିକର ବାସନା ଭାସି ଆସୁଥାଏ । ନିକଟସ୍ଥ କାଠଯୋଡ଼ି ପାଣିରେ ଚନ୍ଦ୍ରଙ୍କର ଧଳା କିରଣ ପଡ଼ି ଜଣା ଯାଉଥାଏ ସତେ ଯେପରି ଜଳର ଅଧିଷ୍ଠାତ୍ରୀ ଦେବୀ ବରୁଣଙ୍କ ଦୁଲଣୀ ଲକ୍ଷ୍ମୀଦେବୀ ଢେଉ ସଙ୍ଗେ ଖେଳି ଖେଳି ଯାଉଛନ୍ତି । ନିକଟସ୍ଥ ଅନ୍ୟ ଏକ ସୌଧର ଛାତ ଉପରେ କୌଣସି ଲୋକର ବଂଶୀବାଦନ ଶୁଣି ଏକାବେଳେକେ ସେ ମୁଗ୍‌ଧ ହୋଇ ଯାଇଥିଲା । ହଠାତ୍ ଯାଇ ଛାତରେ ଗୋଟାଏ କଣରେ ସେହି ପୋଷାକରେ ବସିଯାଇ କହିଲା “ଦେଖୁଛନ୍ତି କି ସୁନ୍ଦର ସୁବାସିତ ପବନ ଧୀରେ ଧୀରେ ବହୁଛି ।” କ’ଣ ମୁଁ ଭାବୁଥାଏ । ମୋତେ ଶୁଭିଲା ନାହିଁ, ଟାଣିନେଲା ମୋର ହାତକୁ, ବସି ପଡ଼ିଲା ତା’ ପାଖରେ ଧୀରେ ଧୀରେ ତାର ସମସ୍ତ ଶରୀରଟି ମୋର କୋଳରେ ରଖିଦେଲା ଦୁଇଟିର ପରଶ ପାଇଁ ମୋର ମନ ଉତ୍ତଳା ହୋଇ ଉଠିଲା । ନିଆଁ ପାଖରେ ଯେପରି ଯଉ ନ ତରଳି ରହି ପାରେ ନା, ସେହି ପରି ତା’ ପାଖରେ ମୋର ଅବସ୍ଥା ହେଲା । କ୍ରମେ ତୋଳି ଧରିଲି ତାକୁ । ସବୁ ଅନ୍ଧାର ଦେଖାଗଲା, ଆଉ ସମ୍ଭାଳି ପାରିଲି ନାହିଁ; ଯୁବକର ଯାହା ହୀନ କର୍ତ୍ତବ୍ୟ ତାହା ପ୍ରୟୋଗ କଲି । କେହି ଦେଖିନାହାନ୍ତି, କେବଳ ଉପରେ ଚନ୍ଦ୍ରମା, କେତୋଟି ନକ୍ଷେତ୍ର ଜୁଳୁଜୁଳୁ କରି ଚାହିଁ ରହିଥିଲେ ଆମରି ଆଡ଼େ । ତା’ପରେ କ’ଣ କଲି........

Image

 

ତୃତୀୟ ପରିଚ୍ଛେଦ

 

କଲେଜରେ ଯେ ଏମାନେ ମୋ ନାମରେ ବଦନାମି ଉଠାଇଛନ୍ତି ତାହା ମୁଁ ଜାଣେ । ସାଥିମାନେ ମୋତେ ଅନେକ କଥାରେ ଥଟ୍ଟା କରନ୍ତି ଓ କହନ୍ତି, ସେଥିରେ ମୋର ମନ ଦୁଃଖ ନ ଥାଏ । ସମୟେ ସମୟେ ମଧ୍ୟ ଟୋକାଳିଆ ପ୍ରଫେସର Classରେ କଥା ଛଳରେ କହିଦିଅନ୍ତି ଦୁଃଖ ଆସେନା ମନରେ, ବରଂ ସୁଖ ଆସେ । ଯେଉଁ ଭାବନା ଥିଲା ତାହା ଯାଇଛି । ଘଣ୍ଟାଟିକୁ ବିକି ମିନିର ନାମ ଲେଖାଇ ବୋଡ଼ିଂରେ ରଖାଇ ଦେଇଛି, ଭଲ ଛାତ୍ରୀ ଓ ସବୁକାମରେ ତା’ର ଦକ୍ଷତାଥିବା ଯୋଗୁଁ ତାକୁ ବୋଡ଼ିଂରେ ଫ୍ରି ମିଳିଛୁ । ଦରମା ମଧ୍ୟ ହାପଫ୍ରି । ବୃତ୍ତ ବାରଟଙ୍କା ଯାହାଯାଏ ସେଥିରେ ସେ ତା’ର ଖରଚ ତୁଲାଇ ନିଏ । ସେ ଚିନ୍ତା ଯାଇ ଆଉ ଏକ ଚିନ୍ତା, ମୋର ଶେଷ ପରୀକ୍ଷା—ଜୀବନ ମରଣ ସମସ୍ୟା, ସେଥି ପାଇଁ ପାଠ ପଢ଼ାଟା ଜୋରରେ ଆରମ୍ଭ କରି ଦେଇଥାଏ । ସକାଳ ଓଳି ପଢ଼ି ଦଶଟାରେ କଲେଜ ଯାଏ, ଚାରିଟାରେ ଫେରି ଗୀତାକୁ ଟିଉସନ କରିବାକୁ ଯାଏ, ଅନ୍ୟତମ ସମୟ ପଢ଼େ ଓ ରାତିରେ ଉଠି ପଢ଼େ ।

 

ପରୀକ୍ଷା ରହିଲା ମୋଟେ ଆଉ ଆଠଦିନ, ଫିସ୍ ସତୁରି ଟଙ୍କା ନଦେଲେ ପରୀକ୍ଷା ବନ୍ଦ-। ଏହି ଟଙ୍କା ପାଇଁ ମୋତେ ସବୁକଥା ବିଷ ପରି ଲାଗୁଥାଏ । ଦିନେ ମନେ ପଡ଼ିଲା ସାଇକଲ ଖଣ୍ଡିକ ବିକ୍ରିୟକରି ଯାହା କିଛି ଟଙ୍କାହେବ, ତାପରେ ଦେଖା ଯିବ, ତେଣୁ ଗୋଟିଏ ସାଇକଲ ଦୋକାନରେ ରାଲେ ସାଇକଲ ଖଣ୍ଡିକ ପଚାଶ ଟଙ୍କାରେ ବିକ୍ରୟ କଲି । ବାକି କୋଡ଼ିଏ ଟଙ୍କା ପାଇଁ ମୁଣ୍ଡ ଏପାଖ ସେପାଖ ଖେଳଉ ଥାଏ । ଅନେକ ସାଥୀଙ୍କୁ ଏହି ଟଙ୍କା କେଇଟାପାଇଁ ଅନୁରୋଧ କାଲି, ମାତ୍ର ନିରାଶରେ ଫେରିଲି । ଦିନେ ଟିଉସନକୁ ଚାଲି ଚାଲି ଯିବାରୁ ଅନେକ ଡେରି ହେଲା, ଗୀତା ଅନେକ ଆଗରୁ ତାର ପଢ଼ାଘରେ ବସିଛି, ମୋର ଡେରି ହେବାର ଦେଖି ଓ ମୁହଁରେ ଦୁଃଖର ଛାୟା ଦେଖି ପଚାରିଲା ସମସ୍ତ ବିଷୟ । ଆଉ ସମ୍ଭାଳି ପାରିଲି ନାହିଁ; ଘରର ଅବସ୍ଥା କଥା, ମୋର ଆଉ ମିନିର ଅବସ୍ଥା ସବୁ କହିଗଲି । କାହିଁକି କେଜାଣି ମୋର ଦୁଃଖରେ ସରଳାବାଳିକାଟି କାନ୍ଦି ପକାଇଲା, ମୁଁ ମଧ୍ୟ ସମ୍ଭାଳି ନ ପାରି ନ କାନ୍ଦି ରହି ପାରିଲିନାହିଁ । ସେ ବିଶେଷ ଦୁଃଖିତା ହେଲା ଯେ, ମୁଁ ମୋର ସାଇକେଲ ଓ ଘଣ୍ଟାଟି ବିକ୍ରୟ କରିଛି ବୋଲି, କିନ୍ତୁ ତା’ ଆଗରେ କହି ନାହିଁ-। ସେ ଦିନ ତାକୁ ଆଉ ପଢ଼ାଇ ପାରିଲି ନାହିଁ ଆସିବାକୁ ଛିଡ଼ାହେଲି । ଗୀତା କଥାଛଳରେ ଅନେକ ବାଟ ମୋ ସାଥିରେ ଚାଲି ଆସିଲାଣି କାହାରିକୁ ମାଲୁମ ନାହିଁ । ହଠାତ୍ ଗୋଟିଏ ମଟର ଶଦ୍ଦରେ ଚମକି ପଡ଼ି ଦେଖିଲି ଆମେ ଆସି ତେଲଙ୍ଗା ବଜାର ପାଖରେ ହେଲୁଣି । ସେହିଠାରୁ ଗୀତାକୁ ଖଣ୍ଡିଏ ରିକ୍ସା ବନ୍ଦୋବସ୍ତ କରିଦେଲି, ସେ ଗଲା ମୁଁ ଆସିଲି ।

 

ସେଦିନ କରିବାର ଥାଏ । ମେସ୍‌ରେ ପିଲାମାନେ ଗୋଟିଏ ଫିଷ୍ଟ କରିବାକୁ ଜଣକା ତିନିଟଙ୍କା ଲେଖାଏ ଚାନ୍ଦା କଲେ । ସମସ୍ତଙ୍କର ଇଚ୍ଛା ମୋଠାରୁ ନ ନେବାକୁ, କାରଣ ସେମାନେ ଜାଣିନ୍ତି ମୋର ଗରିବ ଅବସ୍ଥା, ମୁଁ ମଧ୍ୟ ସମସ୍ତଙ୍କର ପ୍ରିୟ ପାତ୍ର ଥାଏ ମେସରେ ଯେ କୌଣସି କାର୍ଯ୍ୟକଲେ ମୋତେ ପଦେ ପଚାରେ, ଟଙ୍କା ସେମାନେ ନ ମାଗିଲେ ମଧ୍ୟ ମୁଁ ନେଇ ତିନୋଟି ଟଙ୍କା ଦେଲି । ଏହିଗୋଳମାଳ ଯୋଗୁଁ ପଢ଼ାପଢ଼ିରେ ବ୍ୟାଘାତ ଘଟିବ ବୋଲି ମୁଁ ମୋର ବହିପତ୍ର ନେଇ ମେସ୍ ପାଖରେ ଥିବା ଧନୁବାବୁଙ୍କ ଘରକୁ ଚାଲିଗଲା । ସେ ଭାରି ଉତ୍ତମ ଲୋକ । ଛାତ୍ରମାନଙ୍କ ପ୍ରତି ତାଙ୍କର ଖୁବ୍‍ ସହାନୁଭୂତି ଥାଏ । ତାଙ୍କର ସହଧର୍ମିଣୀ ସେବତୀଲତିକା ଦେବୀ ମୋତେ ଭାରି ଶ୍ରଦ୍ଧା କରନ୍ତି । ତେଣୁ ଅଧିକାଂଶ ସମୟ ତାଙ୍କ ଘରେ ମୋର ପଢ଼ାପଢ଼ି ହୁଏ । ସେଦିନ ଆଉ ଟିଉସନକୁ ଯାଇ ନ ଥାଏ । ମେସ୍‌ରେ ସବୁ ଯୋଗାଡ଼ ସରିଲା ପରେ ଚାକର ଗଲା ମୋତେ ଡାକିବାକୁ, ଆସି ସାଙ୍ଗମାନଙ୍କ ସହିତ ଦି’ଟା ଖାଇନେଲି । ଇଚ୍ଛା ହେଲା ଖାଇସାରିଲା ପରେ ଟିକେ ପଢ଼ିବି, କିନ୍ତୁ ପେଟଟା ଓଜିନିଆ ଲାଗିବାକୁ ଟିକେ ଶୋଇ ପଡ଼ିଲି । ରାତି ପ୍ରାୟ ତିନିଟା ହେବ, ଗୋଟିଏ ସ୍ଵପ୍ନ ଦେଖିଲି—

 

ମୁଁ ନିଘୋଡ଼ ନିଦରେ ଶୋଇଛି, ଗୀତା ବସି ମୋର ମୁଣ୍ଡ ଟିପି ଦେଉଛି ଓ କହୁଛି “ଆପଣଙ୍କ ପରୀକ୍ଷା ସରିଲାପରେ ମୋତେ କଣ ଏକା ଛାଡ଼ି ଚାଲିଯିବେ ? ନା ମୁଁ ଆପଣଙ୍କୁ ଛାଡ଼ିବି ନାହିଁ । ସବୁଦିନେ ମୁଁ ଆପଣଙ୍କ ପାଖରେ ରହିବାକୁ ଚାହେଁ । ଆପଣ ଆଉ ମୋତେ ନିରାଶ କରନ୍ତୁ ନାହିଁ । ଆପଣ ଜାଣନ୍ତି ନାହିଁ, ଏହି ହୃଦ ମନ୍ଦିରରେ କାହାର ପ୍ରତିମା ପୂଜା ପାଉଛି । ଦିନେ, ସେହିଦିନ ସବୁ ମୁଁ ସେପରି ଦେଇଛି” ଏହା କହି କାନ୍ଦିବାକୁ ଲାଗିଲା । ଏତିକିରେ ହଠାତ୍ ମୋର ଦିନ ନିଦ ଭାଙ୍ଗିଗଲା, ଭାବିଲି ଏହା କ’ଣ ସତ୍ୟ । ସେତ ଜଣେ ବିଶିଷ୍ଟ ଡାକ୍ତର ତଥା ଜମିଦାର ଝିଅ । ସେ କାହିଁକି ମୋ ପରି ଗରିବ ଯୁବକର ପାଣି ଗ୍ରହଣ କରିବାକୁ ଚାହେ । ଆଉ କିଛି ଭାବି ପାରିଲି ନାହିଁ । ପଢ଼ିବାକୁ ଇଚ୍ଛାକରି, ନିଦରେ ଆଖି ବୁଜି ହୋଇ ଗଲା । ପୁଣି ଥରେ ଶୋଇପଡ଼ିଲି, ଏକାଥରେ ସକାଳ ହେଲା । ଦାନ୍ତ ଘଷି ବହିପତ୍ର ନେଇ ପଢ଼ି ବସୁଛି ଏହି ସମୟରେ ନୀଳମଣି (ମେସ୍‌ଚାକର) କହିଲା, ବାବୁ ଆପଣଙ୍କୁ ପୂର୍ଣ୍ଣବାବୁ ଡାକ୍ତର ମଟର ପଠାଇ ଡକାଇଛନ୍ତି । ମଟର ପଦାରେ ଛିଡ଼ା ହୋଇଛି । ମନରେ ଭାରି ସନ୍ଦେହ ହେଲା । ଭାବିଲି ପୂର୍ଣ୍ଣବାବୁ ତ ଦଶପଲ୍ଲା ଯାଇଛନ୍ତି । ଏତେ ଖବର କ’ଣ । ଗୋଟିଏ ଚାଞ୍ଚଲ୍ୟ ଖେଳିଗଲା । ପୂର୍ଣ୍ଣବାବୁଙ୍କ ଗୋଟିଏ ବୋଲି ଝିଅ ଗୀତା ଅଛି । ମେସ୍‌ର ପିଲାଙ୍କୁ ଅଗୋଚର ନୁହେଁ । ଆଠଦିନତଳେ ଶ୍ରୀ ରାମଚନ୍ଦ୍ରଭବନରେ ଏସରାଜ ବଜାଇ ପ୍ରଥମ ହୋଇ ପ୍ରାଇଜ୍ ନେଇ ଚାଳିଗଲା ସମସ୍ତେ ଦେଖିଛନ୍ତି । କିଏ କେତେ ପ୍ରକାର କଥାବାର୍ତ୍ତା ହେଲେ । କାରଣ ଦୁଇଜଣ ମୋର ସମବୟସ୍କ ମୋତେ ଶୁଣାଇ କହିଲେ, ଏଥର ଗୋଟାଏ ବଡ଼ ଫିଷ୍ଟ ବସନ୍ତବାବୁଙ୍କଠାରୁ ମିଳିବ । ସବୁଦିନଆ ଚିରାଲୁଙ୍ଗି ଖଣ୍ଡକ ପିନ୍ଧିଥାଏ ଓ ମଇଳା ଜାମାଖଣ୍ଡିଏ ପିନ୍ଧି ଗୋଡ଼ରେ ଦୁଇଟା ଛିଣ୍ଡା ଚପଲ ପୁରାଇ, କାହାରି କଥା ନ ଶୁଣି ଯାଇ ବସିଲି ମଟରରେ । ମୋତେ ଶୁଭୁଥାଏ ପିଲାମାନେ କହୁଥାନ୍ତି—ମୋତେ ଏହିପରି ଯୋଟିଲେ ପଚାଶଟଙ୍କିଆ ମିଲ୍‍ଲୁଗା ଯାମା ଯୋତା ପିନ୍ଧିବାହାରି ପଡ଼ନ୍ତି । ଯେ ହତଭାଗା ସବୁଦିନେ ହତଭାଗା-। କିନ୍ତୁ ବସନ୍ତବାବୁଙ୍କ ପରି ଭାଗ୍ୟ କେତେ ଜଣଙ୍କର ଅଛି । ପ୍ରତାପ କହି ପକାଇଲା, ଆରେ ତାଙ୍କ ସହିତ କ’ଣ ତୁ ଆମକୁ ତୁଳନା କରୁଛୁ । ସିଏତ କଲେଜରେ ଜଣେ ବିଶିଷ୍ଟଛାତ୍ର, ତାଙ୍କୁ ଏପରିକି ପ୍ରଫେସରଙ୍କଠାରୁ ଆରମ୍ଭକରି ପିଲାମାନେ ସମସ୍ତେ ଜାଣନ୍ତି । ଦ୍ଵିତୀୟରେ ସେ ଜଣେ କଲେଜଛାତ୍ର ହୋଇ ଯେପରି ଭାବରେ ଜୀବନଯାପନ କରୁଛନ୍ତି, କିଏ ସେହିପରି କରିବ କହିଲୁ-? ସେ ପୂର୍ଣ୍ଣବାବୁଙ୍କର ଜ୍ଵାଇଁ ହେବେ ନାହିଁ ଆଉ ତୋ ପରି ଭାଗା ତାଙ୍କର ଜ୍ଵାଇଁ ହେବ-। ତୁ ତ ଚକଚକିଆ ସୁଟ୍ ପିନ୍ଧି ଛିଡ଼ା ହୋଇଥିଲୁ, ଡ୍ରାଇଭର ତୋତେ ନମସ୍କାର ପକାଇ ମଟର ଦେଖାଇ ଦେଲା ନାହିଁ ? ସେ ଚିରାଲୁଙ୍ଗି ଜାମା ପିନ୍ଧିଛନ୍ତି, ତାଙ୍କୁ କାହିଁକି ନମସ୍କାର ହୋଇ ମଟର ଦରଜା ଖୋଲିଦେଲା । ତାଙ୍କ ଭିତରେ ମୋ କଥା ନେଇ ଯୁକ୍ତି ତର୍କ ଚାଲିଲା । ସେତେବେଳକୁ ମଟରଟା ଲେଙ୍କାଗଳି ପାରହୋଇ ଆଗକୁ ଚାଲି ଯାଇଥିଲା । କିଛି ସମୟ ପରେ ଗାଡ଼ ପହଞ୍ଚିଲା ପୂର୍ଣ୍ଣବାବୁଙ୍କ କୋଠା ସାମନାରେ । ବିଦୁ ଓ ଗୀତା ବସିଛନ୍ତି ଗୋଟିଏ ଲମ୍ବାବେଞ୍ଚ ଉପରେ । ମାଉସି ବସି ଦାନ୍ତ ଘଷଛନ୍ତି । ପାଗଳ ବେଶରେ ମୁଁ ମଟରରୁ ଓହ୍ଲାଇବା ଦେଖି ବିଦୁ ଓ ଗୀତା ହସିହସି ଘର ଭିତରକୁ ଚାଲିଗଲେ । ମୁଁ ତାହା ବୁଝି ପାରିଲି । ଯାଇ ମାଉସୀଙ୍କ ପାଖରେ ବସିଯାଇ ଡକାଇ ପଠାଇବାର ଖବର ବୁଝିଲି ।

 

ମାଉସୀ—ଆଚ୍ଛା ବାପା ସତ କହିବୁ, ଗୀତା ଯାହା ମୋ ଆଗରେ କହୁ ଥିଲା ତା’ କ’ଣ ସତ୍ୟ ?

 

କ’ଣ କହୁଥିଲା ମୁଁ ପଚାରିଲି—

 

ମାଉସୀ—ତୁ ସାଇକେଲ ଓ ଘଣ୍ଟା ବିକିଲୁ କାହିଁକି ?

 

ପ୍ରତ୍ୟେକ ଘଟଣା ମୂଳକୁ କହିଗଲି, ମାଉସୀ କାନ୍ଦି ପକାଇଲେ, ମୁଁ ମଧ୍ୟ ସମ୍ଭାଳି ନ ପାରି କାନ୍ଦିଲି ।

 

ମାଉସୀ—ଆଚ୍ଛା ବାପା, ଘରେ ତୋର ବୁଢ଼ୀମା ଏକଲା ଚଳେ କିପରି ? ନା ଘରେ ଚାକରଟିଏ ଅଛି । ଆମର ଖଣ୍ଡାଏତ ଘର, ଜମି ପାଞ୍ଚମାଣ, ଗାଈ ଗୋରୁ ଛଟା, ଜମି ଭାଗ ଚାଷହୁଏ, ସେଥିରୁ ଯାହା ହୁଏ, ମା ଓ ଚାକରଟି ଚଳନ୍ତି । ଚାକରଟି ଦୁଇଓଳି ରୋଷେଇ କରିଦିଏ ।

 

ମାଉସୀ—ମିନି କିଏ ?

 

ସେ ମୋର ସାନଭଉଣୀ ମିନିକୁ ଯେତେବେଳେ ତିନିବର୍ଷ ସେତେବେଳେ ବାପା ମୋର ଆମକୁ ଦୁଃଖର ସମୁଦ୍ରରେ ଭସାଇ ଦେଇ ସବୁଦିନ ପାଇଁ ସଂସାରରୁ ବିଦାୟ ଗ୍ରହଣ କଲେ । ସେତେବେଳକୁ ମୋତେ ତେରବର୍ଷ, ମୁଁ ଇନ୍ଦୁପୁର ମାଇନର—ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥାଏ । ବାପା ମରିଲାବେଳେ ମୋତେ କେତେ ଖୋଜିଛନ୍ତି କିନ୍ତୁ ଦେଖିବାକୁ ପାଇନାହାନ୍ତି । ତା’ପରେ ଆସି ଶୁଦ୍ଧକ୍ରିୟା ଶେଷକରି ବୋଉକୁ ବୋଧକରି ସ୍କୁଲକୁ ଚାଲିଗଲି । ସେ ବର୍ଷ ମୁଁ Univerrsity କରେ ପ୍ରଥମହୋଇ ବୃତ୍ତିପାଇ ପାଶକଲି । ତା’ ପରେ ଗୋଟିଏ ମଫସଲ ସ୍କୁଲର ହେଡ଼ମାଷ୍ଟରଙ୍କଠାରୁ ସାହାଯ୍ୟ ତାଙ୍କୁ Matric ପାସ୍‍ କଲି ବୃତ୍ତପାଇ, ତା’ପରେ କଲେଜ୍‌ରେ କିପରି ? ଲେଖାଇଲି, ଆଇ. ଏସ. ସି ପାସ୍‍ କଲି । ବର୍ତ୍ତମାନ ବି. ଏସ. ଗାଧୋଇ ଦେବି । ମିନି ଅପରପ୍ରାଇମେରୀ ପାସ୍‍ କଲା ପ୍ରଥମ ହୋଇ କେତକ ପାଇଲା । ତାର ପଢ଼ିବାର ଇଚ୍ଛା ଦେଖି ଗାର୍ଲସ୍କୁଲରେ ନାଆଁଲେଖାବୋଡ଼ିଂରେ ରଖାଇ ଦେଇଛି, ତା’ର କୌଣସି ଅସୁବିଧା ହୋଇ ନାହିଁ ମିନି ପରି ଛାତ୍ରୀ କଦାପି ଅସୁବିଧା ଭୋଗ କରିବ ନାହିଁ କଲେଜ ପ୍ରତ୍ୟେକଥର ଫାଷ୍ଟ ହେଉଛି । ଏହି ଡିସେମ୍ବର ମାସ ସମୟରେ ସେହି ପରୀକ୍ଷାଦେବ । ସେ ବୃତ୍ତି ପାଇବାର ଆଶାଅଛି ।

 

ମାଉସୀ—ଆଚ୍ଛା ମିନିକୁ ଆଣି ଆମ ଘରେ ରଖାଇଲେ କିଛି ପଅର ହେବ ?

 

ନା କ୍ଷତି ନୁହେଁ, ତଥାପି ..... କହିଲି ମୁଁ ।

 

ତଥାପି ଫତାପି କିଛିନୁହେଁ ବୋଉ, ମିନିକୁ ଆଣି ଆମ ଘରେ ରଖିବା ,ଏତକ କହି ପକାଇଲା ଗୀତା । ମିନି ଯେପରି ଛାତ୍ରୀ ତୁ ସେପରିନା କହିଲୁ ? ତା’ ସାଙ୍ଗରେ ମିଶିବାକୁ ଇଚ୍ଛା କରୁଛୁ, କହିଲେ ମାଉସୀ । ଗୀତା ତମତମ ହୋଇ ପଳାଇଲା ତାର ପଢ଼ା ଘରକୁ । ଚାହୁଁ ରହିଥାଏ, ବିଦୁ ବସି ରହିଥାଏ । ଜଣା ଯାଉଥାଏ ସତେ ଯେପରି ଗୋଟିଏ ଭାବନାରେ ପେଡ଼ି ତାର ମସ୍ତକରେ ଓଜାଡ଼ି ହୋଇ ପଡ଼ିଛି । ଆଚ୍ଛା ତୋର କେତେ ଫିସ୍ ପଡ଼ିବ କଲେଜରେ ? କହିଲେ ମାଉସୀ । ମୋ ପାଖରେ ପଚାଶ ଟଙ୍କା ଅଛି ବାକି କୋଡ଼ିଏ ଟଙ୍କା ନଖଟ ହେଉଛି କହିଲି ମୁଁ ।

 

ତୁ ଟିକେ ମୋତେ ନ ପଚାରି ପିଲାଳିଆ ବୁଦ୍ଧିରେ ଏତେ କାମ କରିଦେଲୁ ୟା ଭିତରେ, କହିଲେ ମାଉସୀ । ଆଉ କେଉଁ ବିଦୁସକାଶେ ଡକାଇ ଥିଲେ, ନା ଏଇଥି ପାଇଁ ପଚାରିଲି ମୁଁ । ନା–ଏଇଥି ପାରିଲି କହିଲେ ମାଉସୀ । ଖବର ବୁଝି । ମୁଁ ତେବେ ଯାଉଛି ମୋତେ ଡେରି ହେଲାଣି ଗାଧୋଇବି ।

 

ମାଉସୀ—ଆଜି ଯିବି ଏହା କହି ବାହାରିଲି । ମାଉସୀ ଅଟକାଇଲେ ଥିଲା ତା’ ଗାଧୋଇବାକୁ, କିନ୍ତୁ ମନାକଲି ମୁଁ । ଗୀତା ମଧ୍ୟ କ’ଣ—ମନା କଲି । କିଛିକ୍ଷଣ ପରେ ଦଶଟଙ୍କିଆ ନୋଟ ମାଉସୀ ଆଣି ମୋ ଛିଣ୍ଡା ଜାମାର ଛାତି ପକେଟରେ ଗେଞ୍ଜି ଦେଲେ ।

 

ମାଉସୀ—ତୁ ନେ ଖର୍ଚ୍ଚ କରିବୁ, ପରେ ଦେଖାଯିବ । ମୁଁ ଚମକି ପଡ଼ିଲି ପ୍ରତ୍ୟେକରେ ଏତେ.....ଟ.......ଙ୍କା ମାଉସୀ କହିଲେ ତୋ ଟିଉସନ ମୁଁ ମା ପାଇଲୁ, ଏହା କହି ଘର ଭିତରକୁ ଚାଲିଲେ । ଏହି ମାଉସୀ—ଗୀତା ତିନିଖଣ୍ଡି ଦଶଟଙ୍କିଆ ନୋଟ ଆଣି ତଳପକେଟରେ ଦେଇ କହିଲା “ମୋତେ ଆପଣ ଟିଉସନ କରିଛନ୍ତି ତାର ଦରମା ମୋଠାରୁ ନେବେ, ସେ କିଏ ମୋ ପାଇଁ ଦେବେ ? ହଠାତ୍ ଚମକି ପଡ଼ିଲି କଣ କହିବି କିଛି ବୁଦ୍ଧି ଦେଖାଗଲା ନାହିଁ । ଗୀତା, ଟଙ୍କା ଯେତେ ଫେରାଇ ଦେଲି ସେ ନେଲା ନାହିଁ, ବରଂ ଅଭିମାନ କଲା । ଏହି ସମୟରେ ମାଉସୀ ଆସି କହିଲେ “ଗୀତା, ତା ସଙ୍ଗରେ କାହିଁକି ଲଗାଉଛୁ ଛାଡ଼ିଦେ ସେ ଯାଉ,ମଟର ଛିଡ଼ା ହେଲାଣି, ତା’ର ପରା ପରୀକ୍ଷା । ତୋର ସିନା ପାଶ କରିବାର ଇଚ୍ଛା ନାହିଁ, ତାର କ’ଣ ନାହିଁ ?

 

ଗୀତା କହି ପକାଇଲା, ତୁ ଦେଲୁ ଟଙ୍କା ମୋର ହେଲା ଦୋଷ ଏହାକହି ମୋର ହାତଟାକୁ ଧରି ମଟର ପାଖକୁ ଟାଣି ନେଇ ଆସିଲା । କହିଲା ମୋ ଟଙ୍କାରେ ଭଲ ପୋଷାକ ତିଆରି କରିବ । ଆଜି ଶୀଘ୍ର ଆସବେ ପଢ଼ାଇବାକୁ ଅନେକ ରହିଗଲାଣି । ମୁଁ ଚାହିଁ ଦେଲି, ମାଉସୀ ଆମର ଆଡ଼କୁ ସ୍ଥିର ଦୃଷ୍ଟି ନିକ୍ଷେପ କରିଥାନ୍ତି, ମଟରରେ ବସିଲି । କିଛିକ୍ଷଣ ପରେ ଯାଇଁ ଖଣ୍ଡାୟତ ମେସରେ ପହଞ୍ଚିଲି, ଡ୍ରାଇଭରକୁ ବିଦାୟ ଦେଲାବେଳେ ସେ କହିଲା ‘ଆପଣଙ୍କୁ କଲେଜରେ ଛାଡ଼ି ଯିବି ମାଆ କହିଛନ୍ତି’ । ଗୀତା ସ୍କୁଲକୁ ଯିବ କିପରି ? ମୁଁ ପଚାରିଲି । ବଗିରେ ଯିବେ କହିଲା ଡ୍ରାଇଭର । ଶୀଘ୍ର ଶୀଘ୍ର ଗାଧୋଇ ଖାଇ ନେଇ ବାହାରିଲି କଲେଜ । ଇତିମଧ୍ୟରେ ମେସ୍‌ରେ କେତେକ ପିଲା ମଟରଟା ଏତେ ସମୟ ଛିଡ଼ା ହେବାର ଦେଖି ଡ୍ରାଇଭରକୁ ପଚାରି ନେଉଥାନ୍ତି ଯେ ମଟରରେ ବସନ୍ତ ବାବୁ କଲେଜ ଯିବେ । ମୁଁ ବାହାରିଲାବେଳକୁ ମୋ ସାଥିରେ ଛ ସାତଜଣ ପିଲା କଲେଜ ଯିବାକୁ ବାହାରିଲେ । କଣ କରିବ ଡ୍ରାଇଭର ବିଚାରା, ଭୟରେ ସମସ୍ତଙ୍କୁ କଲେଜରେ ଛାଡ଼ି ମୋତେ ନମସ୍କାର କରି ମଟର ନେଇ ଫେରି ଆସଲା । ସେଦିନ ଅଫିସରେ ସମସ୍ତ ଫିସ ଦାଖଲ କରିଦେଲି, ପଅରି ଦିନ ପରୀକ୍ଷା ।

 

ଆଜି ପରୀକ୍ଷା—ଖାଇବା ପିଇବା ଠିକ୍ ନ ଥାଏ । ମନ ଯାଇ ବହି ପାଖରେ, ମୋର ଯିବା ଆସିବାକୁ ଅସୁବିଧା ହେବ ଜାଣି ମାଉସୀ ମୋ ପାଇଁ ତାଙ୍କ ମଟର ବନ୍ଦୋବସ୍ତ କରିଥାନ୍ତି, ଆଉ କିଛି ଅସୁବିଧା ହେଲା ନାହିଁ । କ୍ରମେ ସମୁଦାୟ Peper ସରିଲା । ବାକିଥାଏ Practical paperଟା । ସବୁଥିରେ ମୋର ଖୁବ୍ ଭଲ ହୋଇଥାଏ ଟିକେ ଭୟଥାଏ ଶେଷ । paperଟାକୁ, ସେଦିନ ପରୀକ୍ଷା ସରିଗଲା । ମୁଁ ଆଶା କରି ନ ଥିଲି ଯେ ଏଥିରେ ଏତେ ଭଲ ହେବ ବୋଲି ପରୀକ୍ଷା ଶେଷ ହେଲା ପରେ ମଟରେ ସିଧା ମେସ୍‌କୁ ନ ଯାଇ ମାଉସୀଙ୍କ ଚାଲିଗଲି । ପରୀକ୍ଷା ଭିତରେ ତାଙ୍କ ଘରକୁ ଆଦୌ ଯାଇ ନଥିଲି । ସମସ୍ତେ ଶୁଣିଲେ ମୁଁ ଖୁବ୍‍ ଭଲ କରିଛି, ମାଉସୀ ଆଶୀର୍ବାଦ କଲେ, ତୁ କୃତୀତ୍ଵ ସହିତ ପାଶ୍ କର । ଜାଣି ପାରିଲି ଆଉ ଜଣକର ଅନ୍ତର କହି ଉଠୁଛି, ପାସ୍‍ କର—ଭୁଲି ନ ଯା—

 

ପ୍ରଥମେ ଜଳଖିଆ ଦିଟା ଖାଇନେଲି, ସେଦିନ କିଛି ନ ଭାବି ମେସ୍‌କୁ ଆସି ଅଚିନ୍ତାରେ ଶୋଇଗଲି । ଠିକ୍ ସନ୍ଧ୍ୟାବେଳକୁ ଉଠିଲା ମନେ ପଡ଼ିଲା ବିଦୁ କ’ଣ ଖଣ୍ଡିଏ ଚିଠି ମୋ ପକେଟରେ ରଖି ଦେଇଛି । ମୁହଁ ଧୋଇ ପାଇଖାନା ଆସି ସାରିଲା ପରେ ଚିଠି ଖଣ୍ଡିକ ଖୋଲିଲି, ଲେଖାଅଛି–

 

ମାଷ୍ଟର ବାବୁ—ନମସ୍ତେ !

 

ଆସିଲା ବେଳେ ଆପଣଙ୍କ ସାକ୍ଷାତ ହୋଇ ପାରିଲା ନାହିଁ । ସେଥିପାଇଁ ବିଶେଷ ଦୁଃଖିତ । ପଢ଼ାପଢ଼ିର ତାଡ଼ନାରେ ମୁଁ ବାଧ୍ୟହୋଇ ଚାଲି ଆସିଲି । ମନ ହେଉଥିଲା ଆପଣମାନଙ୍କ ସହିତ କିଛିଦିନ କଟାଇବାକୁ । କିନ୍ତୁ ହୋଇପାରିଲା ନାହିଁ, ପରୀକ୍ଷା ପରେ ଚେଷ୍ଟା କରିବି ଯିବାକୁ । କିନ୍ତୁ ତାହା ଠିକ୍ କରି କହି ପାରୁନାହିଁ, ଆପଣ ନିଶ୍ଚୟ ପାସ୍‍ କରିବେ ସନ୍ଦେହ ନାହିଁ । ମୁଁ ଆପଣଙ୍କର ଦୁଃଖ ଶୁଣିଛି, ସେଥିପାଇଁ ଦୁଃଖିତା । କାଲି ମୋର ପରୀକ୍ଷା, ଆଶା ନାହିଁ ପାସ୍‌ କରିବାକୁ ଗୀତା କ’ଣ କରୁଛି କେଜାଣି, ସେ ନିଶ୍ଚୟ ପାସ୍ କରିବ । କାରଣ ଆପଣଙ୍କ ପରି ଛାତ୍ର ପାଖରେ ସେ ପଢ଼ୁଛି । ମିନିକୁ ଦେଖିବାର ମୋର ଗୋଟାଏ ମସ୍ତବଡ଼ ଆଶା ରହିଲା । ଆପଣଙ୍କ ପାଖରେ ଅନେକ ଖବର ରହିଗଲା, ଭାବିଥିଲି କହିଥାନ୍ତି କିନ୍ତୁ ପାରିଲି ନାହିଁ । ପରେ କହିବି । ଆପଣକୁ ପରୀକ୍ଷା ପରେ ଅନେକ ଦିନ ଛୁଟି ମିଳିବ, ଥରେ ବାଣପୁର ଆସନ୍ତୁ, ଗୀତା ଓ ମିନିକୁ ଧରି । ଏତିକିରେ ବିଦାୟ ନେଉଛି, ବାପା ଓ ବୋଉଙ୍କର ଆଶୀର୍ବାଦ ଗ୍ରହଣ କରିବେ । ଇତି । ଆପଣଙ୍କର

 

ଅପରିଚିତା

ବିଦୁ

 

ଚିଠି ଖଣ୍ଡିକ ପଢ଼ିଲି, ପଢ଼ି ପକେଟରେ ରଖିଦେଲି । ଭାବିଲି ଜଣେ ଅପରିଚିତା ରମଣୀର ମୋ ନିକଟର କି ନିମନ୍ତ୍ରଣ ପ୍ରେରଣ । ସେ ତ ଶିକ୍ଷିତା ସୁନ୍ଦରୀ, ଆଧୁନିକା, ଦ୍ଵିତୀୟରେ ଜଣେ ମାଜିଷ୍ଟ୍ରେଟର ଝିଅ, ପୁଣି ଏକା, କିନ୍ତୁ ତା’ ପାଖରେ ଏ ନିହାତି ଗରିବର ସ୍ଥାନ କେଉଁଠି ? ଆଉ କିଛି ନ ଭାବି ଗୀତାର ପରୀକ୍ଷା ଯୋଗୁ ତାକୁ ପଢ଼ାଇବାକୁ ଚାଲିଗଲି ।

Image

 

ଚତୁର୍ଥ ପରିଚ୍ଛେଦ

 

ମୋର ପରୀକ୍ଷା ସରିଛି । ଗୀତାର ଓ ମିନିର ମଧ୍ୟ ପରୀକ୍ଷା ସରିଛି ଅପେକ୍ଷା ରହିଛି କେବଳ ଖବରକାଗଜକୁ, ଆଉ କାହିଁକି ମୋତେ କଟକ ସହରଟା ଭଲ ଲାଗିଲା ନାହିଁ । ଭାବିଲି ଘରେ କିଛିଦିନ ରହି କଟାଇ ଆସିବି । ଏହା ଭାବି ଗଲି ଗୀତାର ଘରକୁ । ଗୀତାକୁ ସମସ୍ତ ବିଷୟ କହିଲି କିନ୍ତୁ ସୁଖର ବିଷୟ ଗୀତାଠାରୁ ଅନୁମତି ପାଇଗଲି । ଯାହାକି ମୁଁ ସ୍ଵପ୍ନରେ ଥରେ ଭାବି ନଥିଲି ତା ଭଗବାନଙ୍କ କୃପାରୁ ହୋଇଗଲା । ବାକି ରହିଲେ ମାଉସୀ । ଭାବିଲି ସେ ନିଶ୍ଚୟ ଅନୁମତି ଦେବେ ଯିବାକୁ । ଏହି ସମୟରେ ଗୀତା ଖଣ୍ଡିଏ ଚିଠି ଅଣି ମୋତେ ଦେଖାଇ କହିଲା—ମୋତେ କ’ଣ ପୁରସ୍କାର ଦେବେ କହନ୍ତୁ ମୁଁ ଆପଣଙ୍କୁ ଗୋଟାଏ ଜିନିଷ ଦେବି । କି ଜିନିଷ ପଚାରିଲି ମୁଁ । ପ୍ରଥମେ ଆପଣ ପ୍ରତିଜ୍ଞା କରନ୍ତୁ ତାପର ଦେବି ନଚେତ ନାହିଁ, କହିଲା ଗୀତା ।

 

ତୁ’ତ ମତେ ସବୁ ଆଗରୁ ଦେଇ ଦେଇଛୁ—ଆଉ ତୋତେ ଦେବି କ’ଣ ? ଆଚ୍ଛା ମୋ ପାଖରେ କିଛି ନାହିଁ, ଅଛି କେବଳ ଏହି University Questions ନେବୁ ? କହିଲି ମୁଁ ।

 

ମୋର ସବୁ କ’ଣ ହେବ ? କହିଲା ଗୀତା । ତେତେ ଏହି ଛିଡ଼ା ଖଦଡ଼ ଜାମାଖଣ୍ଡିକ ନେ କହିଲି । ହସି ହସି ମୋ ଦେହରେ ଆଉଜି ପଡ଼ି ଚିଠି ଖଣ୍ଡକ ମୋ ହାତରେ ଧରାଇ ଦେଲା । ସେଥିରେ ଲେଖା ଥିଲା—

 

ଗାର୍ଲସ୍କୁଲ ହଷ୍ଟେଲ

ତା ୧୩ । ୧୨ । ୪୭

 

ମାନନୀୟ ନନା !

 

ମୋର ଭକ୍ତିବୋଳା ନମସ୍କାରଟି ଗ୍ରହଣ କରିବେ । ଆମର ପରୀକ୍ଷା ଆଠଦିନହେବ ସରିଲାଣି, ସବୁ ପିଲାମାନେ ଘରକୁ ଚାଲି ଗଲେଣି । ଆମେ ଆଉ ଚାରିଜଣ ଅଛୁ, ଆମେ ବୋଡ଼ିଂର ସୁପରିନ୍‌ଟେଣ୍ଡଣ୍ଟ ମୋତେ ତାଙ୍କର ଧରମ ଭଉଣୀ କରିଛନ୍ତି, ମୋତେ ସେ ଭାରି ଭଲପାନ୍ତି । ବର୍ତ୍ତମାନ ମୁଁ ତାଙ୍କରି ରୁମ୍‌ରେ ଅଛି । ସେ ମୋତେ ଏ ଛୁଟିରେ ତାଙ୍କ ଘରକୁ ନେଇ ଯିବାକୁ କହୁଛନ୍ତି । ତାଙ୍କ ଘର ଭଦ୍ରକରେ, କିନ୍ତୁ ମୋର ଆଦୌ ଇଚ୍ଛା ନାହିଁ । ତାଙ୍କ ଘରକୁ ଯିବାକୁ ମନ ହେଉଛି ଟିକେ ବୋକୁ ଦେଖିବାକୁ । ପ୍ରାୟ ଦୁଇ ବର୍ଷ ହେବ ଘରକୁ ଯାଇ ନାହିଁ । ଆପଣଙ୍କ ବୋଧହୁଏ ପରୀକ୍ଷା ସରିବନି । ହଁ ଗୀତା ଅପା କିଏ ସେ ମୋ ପାଖକୁ ଖଣ୍ଡେ ଖଣ୍ଡେ ଚିଠି ଦିଅନ୍ତି, କାର୍ଯ୍ୟବଶତଃ ତଥା ଅପରିଚିତା ଯୋଗୁଁ ତାଙ୍କ ପାଖକୁ ଖଣ୍ଡେ ଚିଠି ଦେଇ ପାରିନି, ବୋଧହୁଏ ସେ ମୋ ଉପରେ ରାଗ କରିଥିବେ । ଆଜି ଆପଣ ଆସି ମୋତେ ଏଠାରୁ ନେଇଯାନ୍ତୁ । ଇତି ।

 

ଆପଣଙ୍କର ସ୍ନେହାଧୀନା

ମିନି

 

ଚିଠିଖଣ୍ଡିକ ପଢ଼ିଲି, ପରେ ଗୀତା ହାତକୁ ଦେଇ ଦେଲି, ପଢ଼ି ଖୁବ ବହେ ହସିଲା । ଧାଇଁଗଲା ମାଉସୀଙ୍କ ପାଖକୁ, କଣ ତାଙ୍କୁ କହିଲା ସେ କେଜାଣି, ମାଉସୀ ମୋତେ ପଚାରିଲେ, ବସନ୍ତ ଆଜି ମିନି ଆସୁଛି ? ଆସିବାର ଅଛି କହିଲି ମୁଁ ଆଚ୍ଛା ସେ ଛୁଆଲୋକ ଚିଠି ଲେଖିଛି, ବର୍ତ୍ତମାନ ଯା ମଟରରେ ତାକୁ ପ୍ରଥମେ ଆମ ଘରକୁ ନେଇ ଆସିବୁ, କହିଲେ ମାଉସୀ । ବାହାରିଲି ଗାର୍ଲସ୍କୁଲ ବୋଡ଼ିଂକୁ । ମୁଁ ଯିବା ଆଗରୁ ଗୀତା ଯାଇ ମଟରରେ ବସିଛି, ସାଙ୍ଗ ହୋଇ ଗଲୁ । ମଟର ଯାଇ ପହଞ୍ଚିଲା ଗାର୍ଲସ୍କୁଲ ହଷ୍ଟେଲ ଫାଟକ ପାଖରେ । ଗୀତା ଆଗତୁରା ଯାଇ ମୋର ଭିତରକୁ ଯିବାର ସମସ୍ତ ବନ୍ଦୋବସ୍ତ କରି ଦେଲା । ଭିତରକୁ ଗଲି । ସୁପରିନ୍‌ଟେଣ୍ଡେଣ୍ଟ ମିସେସ୍ ଦାସ ମିନିର ଅନେକ ପ୍ରଶଂସା କଲେ । ଆଚ୍ଛା ମିନି ପାସ୍‍ କରିବ ନା ପଚାରିଲି ମୁଁ । ମୁଁ ଲେଖି ଦେଇପାରେ ମିନି ଇଉନିଭର୍ ସିଟିରେ ପ୍ରଥମସ୍ଥାନ ଅଧିକାର କରି ବୃତ୍ତି ପାଇ ପାସ୍‌ କରିବ । ତା’ ପରି ଛାତ୍ରୀ ହୋଲସ୍କୁଲରେ ବିରଳ, କହିଲେ ମିସେସ୍ ଦାସ । ଏହି ସମୟରେ ମିନି ଓ ତାହାର ସାଥୀ ତିନିଜଣ ଆସି ମୋତେ ନମସ୍କାର ହେଲେ । ମିନିକୁ ମୁଁ ଭଲ ଭାବରେ ଚିହ୍ନି ପାରିଲି ନାହିଁ, କାରଣ ତାହାର ସେ ଆଉ ପିଲାଳିଆ ମିଞ୍ଜାସ ନାହିଁ । ସବୁଆଡ଼େ ତାହାର ପରିବର୍ତ୍ତନ ହୋଇଛି । ତାହାର ସେ ଢଳ ଢଳ ଚାହାଁଣୀ ଦେଖି ମନରେ ମୋର ଆସିଲା ଆନନ୍ଦ । ଭାବିଲି ଆଜି ମୋର ସେ ଅବାଧ୍ୟ ମିନି ନାହିଁ । ସେ ଚାହେଁ ତାର ନିଜତ୍ଵ , ବେଶୀ କିଛି ଭାବି ପାରିଲି ନାହିଁ । ପଚାରିଲି ଘରକୁ ଯିବୁ ମିନି ? ମିସେସ୍ ଦାସ ଉତ୍ତର ଦେଲେ ଆପଣଙ୍କର ମିନିଠାରେ କି ଅଧିକାର ଅଛି ଯେ ଆପଣ ଆସିଛନ୍ତି ନେବାକୁ ? ସେ ମୋର ଭଉଣୀ ମୋ ସାଙ୍ଗରେ ଆଜି ରାତି ଗାଡ଼ିରେ ଆମ ଘରକୁ ଯିବ ।

 

ଆଚ୍ଛା ଆପଣ ନେଇଯାନ୍ତୁ କହିଲି ମୁଁ, ମୋର କିଛି ଆପତ୍ତି ନାହିଁ । ଆପତ୍ତି ନାହିଁ ଯଦି ଆପଣ କାହିଁକି ଆସିଲେ ନେବାକୁ, କହିଲେ ମିସେସ୍ ଦାସ । ଆପଣଙ୍କର ଭଉଣୀ ହେଲେ ସେ କ’ଣ ମୋର ଭଉଣୀ ନୁହେଁ । ସେହି ହିସାବରେ ଆସିଛି ମୁଁ ନେବାକୁ, କହିଲି ମୁଁ । ଘରର ସମୟ ଅବସ୍ଥା କହିଲି ତାଙ୍କୁ । ବୁଢ଼ୀମା’ମୋର ମିନିକୁ ନ ଦେଖି କାନ୍ଦୁଥିବ, କହିବାରୁ ମିସେସ୍ ଦାସ ଆଣିବାକୁ ଅନୁମତି ଦେଲେ । ମିନି କେତେଖଣ୍ଡ ବହି, ତାହାର ବ୍ୟବହାରିକ ଲୁଗା ଜାମା ଧରି ମିସେସ ଦାସଙ୍କୁ ନମସ୍କାର ହୋଇ ପଦାକୁ ବାହାରି ଆସିଲା । ମିସେସ୍‍ ଦାସ ମଧ୍ୟ ଆମ ସହିତ ଫାଟକ ପର୍ଯ୍ୟନ୍ତ ଆସିଲେ । ତାଙ୍କଠାରୁ ବିଦାୟ ଗ୍ରହଣକରି ତିନିଜଣ ବସିଲା ମଟରରେ । ବାଟରେ ପଚାରିଲି, ମିନି, ଗୀତା ଅପା କିଏ ତୋ ପାଖକୁ ଚିଠି ଦିଏ ? କେଜାଣି ମୁଁ ଜାଣି ନାହିଁ । ତାଙ୍କ ଚିଠିରୁ ଜାଣିପାରେ ତାଙ୍କର ମୋ ପ୍ରତି ଭାରି ସ୍ନେହ, କହିଲା ମିନି । ଆମେ ଦୁଇଜଣ ହସି ଉଠିଲୁ । ମିନି ଆଶ୍ଚର୍ଯ୍ୟ ହୋଇଗଲା । କହିଲି ଯେ ତୋର ପାଖରେ ବସିଛନ୍ତି—ସେ ହେଉଛନ୍ତି ତୋର ଗୀତା ଅପା, ତାଙ୍କୁ ନମସ୍କାର ହୋଇଛୁ ? ସାଙ୍ଗେ ସାଙ୍ଗେ ମିନି ସେହି ମଟର ଭିତରେ ନମସ୍କାର ହେଲା । ଆମେ ବର୍ତ୍ତମାନ କେଉଁଠାରୁ ଯାଉଛୁ ? ପଚାରିଲା ମିନି । ଯାଉଛେ ତୋର ଗୋଟିଏ ଛୁଆ ବୋହୁଟିଏ ଅଛିଯେ ତାଙ୍କୁ ଦର୍ଶନ କରିବାକୁ । ଗୀତା ହସି ହସି କହିଲା । ଗୀତର ଗାଲରେ ଗୋଟିଏ ସରୁ ଚାପୁଡ଼ାଦେଇ ମିନିକୁ କହିଲି ଆମେ ବର୍ତ୍ତମାନ ତୋର ଗୀତା ଅପାର ଘରକୁ ଯାଉଛୁ-। ଆଜି ତାଙ୍କ ଘରେ ରହିବା କାଲି ସକାଳେ ଗାଡ଼ିରେ ଘରକୁ ଯିବା । କଣ ତୋ ଇଚ୍ଛା କହିଲୁ ମିନି-? ୟା’ଙ୍କ ଘରେ ଯେଉଁ ବୁଢ଼ୀ ଅଛନ୍ତି ସେ ହେଉଛନ୍ତି ଗୀତାର ବୋଉ ତାଙ୍କୁ ନମସ୍କାର ହେବୁ-। ମଟର ଯାଇଁ ପହଞ୍ଚିଲା । ମାଉସୀ ଆମର ଡେରି ହେବାର ଦେଖି ବାରଣ୍ଡାରେ ଛିଡ଼ା ହୋଇଥାନ୍ତି-। ଆମେ ତିନିଜଣ ମଟରରୁ ଓହ୍ଲାଇଲୁ । ମୋର ଇଙ୍ଗିତରେ ମିନି ଯାଇ ନମସ୍କାର ହେଲା ମାଉସୀଙ୍କୁ-। ମାଉସୀ ମିନିକୁ କୁଣ୍ଢାଇ ଘରଭିତରକୁ ନେଇଗଲେ, ଆମେ ଦିହେଁ ଗଲୁ ଗୀତାର ପଢ଼ା ଘରକୁ-

 

ଗୀତା—ଆଚ୍ଛା ଆପଣ କାଲି ମୋତେ ଛାଡ଼ି ଚାଲିଯିବେ ? ମୋତେ ଏକଲା ଆଦୌ ଭଲ ଲାଗିବ ନାହିଁ ।

 

ମୁଁ କହିଲି ଯିବାକୁ ବାଧ୍ୟ ହେଉଛି, କାରଣ ଘରକୁ ଅନେକ ଦିନ ହେବ ଯାଇ ନାହିଁ । ବୋଉ କାନ୍ଦୁଥିବ, ସେଆଡ଼େ ଘରର ଅବସ୍ଥା କ’ଣ ହେଲା କିଛି ଜାଣି ପାରିଲି ନାହିଁ ।

 

ଗୀତା—ତେତେ ମିନିକୁ ଛାଡ଼ି ଦେଇଯାନ୍ତୁ ।

 

ନା, ମିନି ମୋ ସାଙ୍ଗରେ ଯିବ । ସେ ଅନେକ ଦିନ ହେବ ଘରକୁ ଯାଇ ନାହିଁ କହିଲି ମୁଁ-। ଦିନ ଦିନକର ଘଟଣା ମନରେ ପଡ଼ିଲେ ମନେହୁଏ ସତେ ଯେପରି ସ୍ଵର୍ଗଟା ଛିଡ଼ି ପଡ଼ୁଛି-। ପୃଥିବୀଟା ରସାତଳ ଗାମୀ ହୋଇ ଯାଉଛି । ସେ ଦିନ ସନ୍ଧ୍ୟା ସମୟ, ଅମାବାସ୍ୟା ରଜନୀଟା କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଆସିଲା । ଜଣା ଯାଉ ଥାଏ ସତେ ଯେପରି ଧରଣୀ ରାଣୀ ଖଣ୍ଡିଏ କଳାଲୁଗା ପିନ୍ଧି ଦେଶ ପର୍ଯ୍ୟଟନ ପାଇଁ ବାହାରୁଛନ୍ତି । ପଲ୍ଲୀ ବଧୂମାନେ ନିଜ ନିଜର ଅଭିଳାଷ ଜଣାଇ ବୃନ୍ଦାବତୀଙ୍କ ପାଖରେ ସନ୍ଧ୍ୟା ଦେଇ ସାରିଲେଣି । ଅଦୂରର ଦେବତା କେତେବେଳୁ ଆଳତିର ଘଣ୍ଟି କାହାଳୀ ବାଜି ସରିଲାଣି । ଆମେ ଦୁଇଜଣ ବସିଛୁ କୋଠାର ଛାତ ଉପରେ-। ମୁଁ କେଉଁ ଭାବନା ରାଜ୍ୟ ଦେଇ ଗତି କରିଥିଲି ସେତେବେଳେ ମୋର ମନ ନାହିଁ । ଗୀତା କଣ ଆଡ଼ୁସାଡ଼ୁ ପଚାରୁଛି, ତାକୁ ମୁଁ କିଛି ଉତ୍ତର ଦେଇ ପାରୁନାହିଁ । କେତେବେଳେ ସେ ଗୋଟିଏ ଗୋଲାପର ସୁନ୍ଦର ହାରକରି ମୋର ଗଳାରେ ଝୁଲାଇ ଦେଇଛି । ଯେତେବେଳେ ସେ ଜୋରକରି ମୋର କୋଳରେ ତା’ର ମୁଣ୍ଡଟା ରଖି ଦେଲା, ସେତେବେଳେ ମୁଁ ଜାଗ୍ରତ ହେଲି ।

 

ଗୀତା—ମୁଁ ଚାହେଁ ସବୁଦିନ ଏହିପରି ତୁମ କୋଳରେ ମୁଣ୍ଡ ରଖି ଶୋଇବାକୁ । ବଡ଼ମୁସ୍କିଲିରେ ପଡ଼ିଲି ମୁଁ, କ’ଣ ବା ଉତ୍ତର ଦେବି ତାକୁ ? କହିଲି ତୋପରି ବଡ଼ଲୋକ ଝିଅର ମଥା କ’ଣ ଏ ଗରିବ ସହି ପାରିବ ? ତାକୁ ବହିବାକୁ ଆହୁରି ଢେର ଅଛନ୍ତି । ଆଚ୍ଛା ମୋର ମଥାଟା କ’ଣ ଏତେ ଓଜନ ? ଗୀତା କହିଲା । କହିଲି, ନା ଓଜନ ନୁହେଁ ତମ ପାଖରେ ମୁଁ ଆକାଶ ପାତଳ ପ୍ରଭେଦ । ଏହା ଶୁଣି ଗୀତା ମନରେ ଦୁଃଖକରି କାନ୍ଦି ପକାଇଲା । ଅନେକ କଥା ବୁଝାଇଲା ପରେ ତୁନି ହେଲା । ସେତେବେଳକୁ ସେ ତାର ସମସ୍ତ ଶରୀରଟା ମୋ କୋଳରେ ରଖିସାରିଛି । କ’ଣ କରିବି କିଛି ବୁଦ୍ଧି ଦେଖାଗଲା ନାହିଁ । ପାପପ୍ରବୃତ୍ତ ଆସି ବାରମ୍ବାର ମନକୁ ଉତ୍ତେଜନା ଦେଲା । ତା’ପରେ ସେହି ଛାତ ଉପରେ ଯାହା ହେଲା ତାହା ବର୍ଣ୍ଣନାତୀତ—ଏହି ସମୟରେ ମନି ଗୀତା ଅପା—ଗୀତା ଅପା ଡାକ ଛାଡ଼ିଲା । ଦୁଇଜଣ ଯାକ ଗଲୁ । ସେତେବେଳେ ମୋତେ ଗୀତାର ମୁହଁକୁ ଚାହିଁବାକୁ ଲାଜ ମାଡ଼ୁଥାଏ ।

 

ପ୍ରାୟ ଆଠଟା ବାଜି ଯାଇଥିଲା, ଚାକର ଆଣି ଖାଇବାକୁ ଦେଲା—ଖାଇଲି । ଖାଇସାରିଲା ପରେ ଗୀତା ମୋ ପାଇଁ ତାର ପଢ଼ାଘରେ ବିଛଣା କରିଦେଲା । ଆଦୌ ନିଦ ମାଡ଼ୁ ନଥାଏ । ଆକାଶ ପାତାଳ ଭାବିବାକୁ ଲାଗିଲି । ମିନି ଓ ଗୀତା ମୋପାଖରେ ଶୋଇଲେ ବୋଲି ମୁଁ ଅନୁମାନ କଲି । ନିଦ ଆଦୌ ହେଲା ନାହିଁ । କାନ୍ଥଘଡ଼ିଟାରେ ଟିଂଟିଂ ହୋଇ ବାଜିଲା ବାରଟା । ଚେଷ୍ଟାକଲି ଶୋଇବାକୁ କିନ୍ତୁ ନାନାପ୍ରକାର ଭାବନା ଆସି ମୁଣ୍ଡରେ ଖେଳୁଥାଏ । ଟିକିଏ ତନ୍ଦ୍ରା ଆସିଲା ।

 

ରାତି ପାହି ସକାଳ ହେଲା ସବୁଦିନ ପରି । ଭାବିଲି ଆଉ ଏଠାରେ ରହିଲେ ବିପଦ । ମିନିକୁ ତରତର କରି ଗାଧୋଇ ଖୋଇନେଲି । ମାଉସୀଙ୍କର ଇଚ୍ଛା ଆଉ କିଛିଦିନ ତାଙ୍କ ଘରେ ରହିବାକୁ । କିନ୍ତୁ ତାହା ମୁଁ କରାଇ ଦେଲି ନାହିଁ । ମାଉସୀ ମଟର ବନ୍ଦୋବସ୍ତ କରିଦେଲେ । ତାଙ୍କଠାରୁ ବିଦାୟନେଇ ବସିଲୁ ମଟରରେ । ଗୀତା ବାଟୋଇ ଦେବା ପାଇଁ ଚାଲିଲା ଆମ ସାଙ୍ଗରେ ଷ୍ଟେସନ । ଡ୍ରାଇଭରକୁ କହିଲି ଖଣ୍ଡାୟତ ମେସ୍ ବାଟେ ଗାଡ଼ି ନେବାକୁ । ସେ ଗାଡ଼ି ନେଇ ମେସ୍‍ ଫାଟକ ପାଖରେ ଛିଡ଼ାକଲା । ମେସ୍‍ ଚାକରକୁ କହି ମୋର ଜିନିଷ ପତ୍ର ଲଦିଲି ଗାଡ଼ିରେ । ମେସ୍ ପିଲାମାନେ ଫିଷ୍ଟ ପାଇଁ ଦାବି କଲେ । କହିଲି ପାସ କଲେ ନିଶ୍ଚୟ ଦେବି । କେହି କେହି ମୋତେ ବିଦାୟ ଆଶାରେ ଓ କେହି ଗୀତା, ମିନିକୁ ଦେଖିବା ଆଶାରେ ମଟର ପାଖରେ ଜମିଗଲେ । ସମସ୍ତଙ୍କ ପରିଚୟ ଦେଲି । ମିନିକୁ କହିଲି ପିଲାମାନଙ୍କୁ ନମସ୍କାର ହେବାକୁ-। ସେ ତାହା କଲା—ସେମାନଙ୍କ ଧାରଣା ନ ଥିଲା ମିନି ମୋର ନିଜର ଭଉଣୀ ବୋଲି-। ପିଲାମାନଙ୍କଠାରୁ ବିଦାୟ ନେଇ ବସିଲୁ ମଟରରେ । ଗୀତାର ପରିଚୟ ଦେବାକୁ ପଡ଼ିଲା ନାହିଁ-। ମଟର ଚାଲିଲା ଆଗକୁ । ଷ୍ଟେସନରେ ପହଞ୍ଚିଲି, ଗାଡ଼ି ଅଧଘଣ୍ଟାଏ ବାକିଥାଏ ଆସିବାକୁ-। ମୁଁ ଯାଇ ଦୁଇଖଣ୍ଡ ଇଣ୍ଟର କ୍ଳାସ ଟିକେଟ ଆଣିଲି । ଯାଇ ବସିଲୁ ୨ୟ ଶ୍ରେଣୀ ଉଏଟିଂ ରୁମରେ-। ପ୍ରଥମ ବେଲ୍ ବାଜିଲା । ତା’ କିଛି ସମୟ ପରେ ଦ୍ଵିତୀୟ ବେଲ ଓ ତା’ ପରେ ତୃତୀୟ ବେଲ ସଙ୍ଗେ ସଙ୍ଗେ ଗାଡ଼ିଟା ତାର ପ୍ରକାଣ୍ଡ କାୟା ବିସ୍ତାର କରି ଆସି ଛିଡ଼ା ହୋଇ ପ୍ଲାଟଫର୍ମ ଭିତରେ । କୁଲି ଲଗାଇ ଜିନିଷ ପତ୍ରତକ ଗାଡ଼ିକୁ ଉଠାଇ ଦେଲି । ମିନି ମଧ୍ୟ ଉଠିଗଲା । କିଛି ସମୟ ପରେ ଗାଡ଼ି ଛାଡ଼ିବାର ଘଣ୍ଟା ବାଜିଲା, ସେତେବେଳକୁ ଗୀତାର ମୁହଁଟି ଶୁଖି ଯାଇଥାଏ କ’ଣ କହିବ କହିବ ହେଉଥାଏ କିନ୍ତୁ ତାର ପାଟି ଖୋଲୁ ନଥାଏ ଗାଡ଼ି ଛାଡ଼ିବାର ଦେଖି କହିଲି, ଗୀତା ତମେ ନିଶ୍ଚୟ ପାସ୍‍ କରିବ, ମନରେ ଦୁଃଖ କରନା ମତେ ଅଳ୍ପ ଦିନେ ମିନିକୁ ନେଇ ପୁଣି କଟକ ଆସିବାକୁ ହେବ-। ଆମର ବୋଧହୁଏ ଏକା ସାଙ୍ଗରେ ଫଳ ବାହାରିବ । ଆଚ୍ଛା ତମେ ପାସ୍‍ କଲେ ତମେ କ’ଣ ଦେବ କହିଲ ? କେବଳ ଶୁଷ୍କ ହସଟିଏ ତା’ ମୁଖରୁ ବାହାରି ପଡ଼ିଲା—କହିଲା ଯାହା ଦେବାର ଦେଇ ସାରିଛି, ଆଉ ଦବାର କିଛିନାହିଁ । ସବୁବୁଝି ପାରିଲି । ଏହି ସମୟରେ ଗାଡ଼ି ଛାଡ଼ିଲା, ବସିଲି ଗାଡ଼ିରେ, ମିନିପାଇଁ ହଳେ କାନଫୁଲ ଆଣିଥିଲା ବଢ଼ାଇ ଦେଲା ତାର ହାତକୁ, ଓ ଗୋଟିଏ କାଗଜ ପୁଟୁଳାରେ ମୋ ପାଇଁ ଗୋଟିଏ ସରୁ ଧୋତି ଓ ଶିଲ୍‍କ ପଞ୍ଜାବି ରଖିଥିଲା ଦେଲା-। ଖୋଲି ଦେଖିବାକୁ ଅବସର ପାଇଲି ନାହିଁ । ସଙ୍ଗେ ସଙ୍ଗେ ଗାଡ଼ିଟା ସିଟି ଦେଇ ତାର ଅସୁର କାୟା ବିସ୍ତାର କରି ଧାଇଁଲା ଆଗକୁ । ସେତେବେଳକୁ ଗୀତାର ଆଖିରେ ଲୁହ । ଚାହିଁ ଥାଏ ଆଖି ପାଇବା ଯାକେ । ତାହାର ରୁମାଲ ଆମ ଆଡ଼କୁ ହଲାଉଥାଏ । କ୍ରମେ ଗାଡ଼ିଟା ପାହାଡ଼ର ଅନ୍ତରାଳରେ ଲୁଚିଗଲା । ଯାହା କିଛି ଭାବନା ମୋର ମିନି ଆଡ଼ୁ ସାଡ଼ୁ ପଚାରି ମୋର ଭାବନାରେ ବାଧା ଦେଉଥାଏ ।

Image

 

ପଞ୍ଚମ ପରିଚ୍ଛେଦ

 

ଘରକୁ ଆସିବାର ଆମର ଆଠଦିନ ହୋଇଗଲାଣି । ଗ୍ରାମର ଆଦେଖାଲୋକ କେତେପ୍ରକାର ବଦନାମି ଆମ ନାମରେ ଦେଉଛନ୍ତି । ଦିନେ ମୁଁ ଚାରିଟାବେଳେ ଆମର ପିଣ୍ଡାରେ ମସିଣାଖଣ୍ଡେ ବିଛାଇ ବସି ପରୀକ୍ଷା ଫଳ କଥା ଭାବୁଛି । ଏହି ସମୟରେ ଜଣେ ମଉସା ଲେଖା ହେବ ଆସି ବସିଲେ । ନମସ୍କାର ହେଲି । ପରେ ସେ ମୋତେ ପଚାରିଲେ ଆଚ୍ଛା ବାପା ତୁ ଏଡେ ବଡ଼ ଝିଅଟାକୁ ନେଇ କଟକରେ ପଢ଼ାଉଛୁ ? ଆମର ସେ ପାଠପଢ଼ା ନ ହେଲେ । ଏପରି ହେଲେ ସେ ଝିଅକୁ କିଏ ବିଭା ହେବ କହିଲୁ ? ତମେ ଆସିଲା ଦିନ ମୁଁ ଆମ ଆମ୍ବ ତୋଟାରେ ବସି ଚାହିଁ ଥାଏ । ମିନି ଜୋତା ମାଡ଼ି, ମୁଣ୍ଡରେ ଲୁଗା ନଦେଇ ତୋ ସାଙ୍ଗରେ ଆସୁଛି । ମୁଁ ପ୍ରଥମେ ଚିହ୍ନି ପାରିଲି ନାହିଁ ସେଠି ଶ୍ୟାମଭାଇ ବସିଥିଲେ, ପଚାରିବାରୁ କହିଲେ, ସେପରା ଦୀନବନ୍ଧୁ ଭାଇଙ୍କ ପୁଅ ବସନ୍ତ ଆଉ ତାଙ୍କ ଝିଅ ମିନି କଟକରୁ ଆସିଲେ । ସେତେବେଳେ ମୋ ମୁଣ୍ଡରେ ବଜ୍ର ପଡ଼ିଲା ପରି ଜଣାଗଲା । ଦୀନବନ୍ଧୁ ଭାଇଥିଲେ କ’ଣ ଏପରି ଛାଡ଼ି ଦିଅନ୍ତେ ?

 

ରାଗ ସମ୍ଭାଳି ନେଇ କହିଲି—ମଉସା—ଏପରି ଯେ କହନ୍ତି ବା ବଦନାମ ଦିଅନ୍ତି ସେ ନିହାତି ଛୋଟ ଲୋକ । ଆପଣ ଜାଣନ୍ତି ନାହିଁ ଆଜିକାଲି ଝିଅମାନେ ପାଠ ନ ପଢ଼ିଲେ ତାଙ୍କର ଅବସ୍ଥା କ’ଣ ହେଉଛି ? କଲିକତାରେ ପରା ସ୍ତ୍ରୀଲୋକମାନେ ଡିପୋଟି ହୋଇଛନ୍ତି । ଆପଣ କିଛି ନ ବୁଝି ଏପରି କହୁଛନ୍ତି । ବିଶେଷତଃ ମିନି ସେ ରକମ ପିଲା ନୁହେଁ, ଏତିକି କହି ଚୁପ ହେଲି । ମଉସା କହିଲେ—କାହିଁକି ନା ମୋ ଦେହ ନ ସହିବାରୁ ମୁଁ କହିଲି । ଆଚ୍ଛା ମିନି ଯେତିକି ପଢ଼ିଛି ସେତିକିବି କ’ଣ ହେବ ନାହିଁ ? ମୁଁ କହିଲି—ମୁଁ ବି,ଏ ପଢ଼ିଛି ମିନିକୁ ମଧ୍ୟ ବି,ଏ ପଢ଼ାଇବି । ଏହା ମୋ’ର ପ୍ରତିଜ୍ଞା, ଯଦି କେହି ମୋର ଭଉଣୀକୁ ବିଭା ନହୁଏ ମୁଁ ତାକୁ ପୋଷିବି । ଏଥିରେ ଗ୍ରାମବାସୀଙ୍କର ଯାଏ ଆସେ କେତେ ? ଆଉ ଚଉଦଦିନ ପରେ ତ ପୁଣି ତାକୁ କଟକ ନେଇଯିବି, ଏତିକି କହିଲି ।

 

ରାଗରେ ଭଦ୍ରଲୋକଟି ତମତମ ହୋଇ ଉଠି ଚାଲିଗଲେ । ମାଆ ମୋର ଅସୁସ୍ଥଥିବାରୁ ମୁଁ ମଧ୍ୟ ତା ନିକଟକୁ ଚାଲିଗଲି । ସେ ଦିନ ତାକୁ ଭୀଷଣ ଜ୍ଵର । ମିନି ସର୍ବଦା ତା ପାଖରେ ଥାଏ । ସେଦିନ କିଛି ଖାଇବାକୁ ଇଚ୍ଛା ହେଲା ନାହିଁ । କୌଣସି ମତେ ରାତିଟା କଟାଇ ଦେଲି । ସକାଳ ହେଲା, କ୍ରମେ ବୋଉର ଅବସ୍ଥା ଶୋଚନୀୟ ହୋଇ ଆସିଲା ମିନିକୁ ଦେଖିଲି ଭୟରେ ରହିଗଲାଣି । ଆମର ଗାଁ ନିହାତି ମଫସଲ, ଡାକ୍ତର କି କବିରାଜ ଆଦୌ କେହି ନାହାନ୍ତି-। ତେଣୁ କଟକ ମାଉସୀଙ୍କ ପାଖକୁ ଚିଠି ଖଣ୍ଡିଏ ଲେଖିଲି—

 

କଂପଗଡ଼

ତା ୧୩ । ୧୨ । ୪୭

 

ପୂଜାନୀୟା ମାଉସୀ,

 

ମୋର ନମସ୍କାର ଗ୍ରହଣ କରିବେ ଓ ଗୀତାକୁ ଆଶୀର୍ବାଦ ଜଣାଇବେ । ମୁଁ ବର୍ତ୍ତମାନ ବଡ଼ଦୁଃଖରେ ପଡ଼ିଛି ଗଲେ କହିବି । ବର୍ତ୍ତମାନ ବୋଉକୁ “ନିମୋନିଆ” ଧରିଛି ବଞ୍ଚିବି କି ନା ସନ୍ଦେହ, ମଉସା ଯଦି ଥିବେ ତାଙ୍କୁ ଆଜିରେ ପଠାଇଦେବେ । ଆମର ଏଠାରେ ଆଦୌ ଡାକ୍ତର କବିରାଜ ନାହାନ୍ତି । ପଟାମୁଣ୍ଡାଇ କେନାଲ ବନ୍ଧରେ ମଟର ଆମ ଘର ପର୍ଯ୍ୟନ୍ତ ଚାଲି ଆସିବ, ଆଉ କିଛି ଫଳ ମଧ୍ୟ ପଠାଇବେ । ମିନି ବୋଉର ସେବା କରି କରି ତାକୁ ମଧ୍ୟ ଜ୍ଵର । ଆଉ କିଛି ଲେଖି ପାରୁନାହିଁ । ଇତି ।

 

ଆପଣଙ୍କର

ବସନ୍ତ

 

ଚିଠିଖଣ୍ଡିକ ଲେଖି ଶନିବାର ଦିନ ଡାକରେ ପକାଇ ଦେଲି । ରବିବାର ଓ ସୋମବାର ମଝିରେ ବିତିଗଲା । ଠିକ୍ ମଙ୍ଗଳବାର ରାତି ସାଢ଼େ ତିନ୍ ମିନି ହଠାତ୍ କାନ୍ଦି ଉଠିଲା । ରାତ୍ରି ଅନିଦ୍ରା ଯୋଗୁ ମୁଁ ଟିକେ ଶୋଇ ପଡ଼ିଥାଏ । ତାହାର ଚିତ୍କାର ଶୁଣି ଧାଇଁଗଲି, ଦେଖିଲି ବୋଉମୁହଁଟା କଳାପଡ଼ି ଗଲାଣି, ବାର୍ଲିଆଉ ଠାକୁ ନାହିଁ । କେବଳ କାନ୍ଦୁଛି ସେ । କେତେବେଳେକେ କହିଲା—ବାପ ବସନ୍ତ ପାଖକୁ ଆ । ଭାବିଥିଲି ତୋର ବାହାଘରଟା ଦେଖି ସୁଖୀ ହୋଇଥାନ୍ତି । ତାହା ଏ ହତଭଗନୀ ଜୀବନରେ ଘଟିଲା ନାହିଁ, ବୁଢ଼ୀ (ମିନି) ତୋ ଜିମା ରହିଲା । ତାହାର କୌଣସି ତୃଟି କରିବୁ ନାହିଁ, ଏତକ କହି ପାଣି ଟୋପାଏ ମାଗିଲା—ମିନି ପାଟିରେ ଟୋପାଏ ପାଣିଦେଲା—ତା’ପରେ ପୁଣି ଆରମ୍ଭକଲା—ଗାଆଁ ବାଲା ଯାହା କହିବେ ଶୁଣିବୁ ନାହିଁ । ଆବୁଢ଼ୀ—ତୋତେ ଟିକେ ଦେଖିନିଏ । ଏହା କହି ଝଲକାଏ ବାନ୍ତିକରି ପକାଇଲା । ମୁଁ ଜାଣିଲି ଆଉ ବେଶୀ ସମୟ ନାହିଁ । ତାହାର ପାଟିରେ ଟୋପାଏ ନିର୍ମାଲ୍ୟ ପାଣିଦେଲି । ଦବାର ଦୁଇମିନିଟ ପରେ ବୋଉ ମୋର ଜଗନ୍ନାଥ କହି ଆଖି ବୁଜିଦେଲା । ମୁକ ପରି ଛିଡ଼ା ହୋଇଛି ମୁଁ ସେଇଠି । ମିନି ତଳେ ପଡ଼ିଛି ତାହାର ଚେତା ନାହିଁ । ଚାକରଟି ପାଖରେ ଥିଲା—ମିନି ମୁହଁରେ ପାଣି ଦେବାରୁ ସେ ଉଠିଲା—ମିନିକୁ ଚାକର ଜିମାରେ ଶବ ପାଖରେ ଛାଡ଼ି ସେହି ରାତିରେ ପଡ଼ୋଶିଘରକୁ ଗଲି । କେତେ ଅନୁରୋଧରେ ଆଠଜଣ ଆସିଲେ । ସେହି ରାତିରେ ଶବ ଶ୍ମଶାନକୁ ଘେନିଗଲୁ । ମୁଁ ସେଠାରେ ଧୈର୍ଯ୍ୟ ଧରି ପାରୁ ନ ଥାଏ, କିନ୍ତୁ ମାକୁ ମୋର ମୋଡ଼ିମାଡ଼ି ଜୁଇରେ ଲଦି ନିଆଁ ଲଗାଇ ଦେଲେ । କି ଦୋଷ ସେ କରିଥିଲା ସେମାନଙ୍କର କେଜାଣି ସକାଳ ଆଠଟା ସୁଦ୍ଧା ସର୍ବଗ୍ରାସୀ ଅଗ୍ନି ମୋର ମା’କୁ ଖାଇ ଭସ୍ମ କରି ଦେଲା । ସମସ୍ତେ ଆସିଲେ ମୁଁ ମଧ୍ୟ ପଛକୁ ଅନାଇ ଆସିଲି ତାଙ୍କ ସାଙ୍ଗରେ । ଦେଖେ ତ ଆମ ଦାଣ୍ଡରେ ମଟରକାର ଖଣ୍ଡେ ଠିଆ ହୋଇଛି । ମାଉସୀ ଓ ଗୀତା ମଟରକୁ ଆଉଜି ଛିଡ଼ାହୋଇଛନ୍ତି । ମୋର ଅବସ୍ଥା ଦେଖି ମଉସା କାନ୍ଦି ପକାଇଲେ, ଗୀତା ମଧ୍ୟ କାନ୍ଦ ସମ୍ଭାଳି ପାରିଲା ନାହିଁ । ମୁଁ ଆଉ ଧୈର୍ଯ୍ୟ ଧରି ରହି ପାରିଲି ନାହିଁ । ଗାଁରଲୋକମାନେ ଆସି ଜମା ହୋଇଛନ୍ତି । ବିଶେଷତଃ ମୂର୍ଖଲୋକମାନେ ଗୀତାକୁ ଦେଖି କେତେ ପ୍ରକାର ସନ୍ଦେହ କରୁଛନ୍ତି । କିଛି ସମୟପରେ ମଉସା ଓ ଗୀତାକୁ ବିଦାୟ ଦେଲି । ମଟର ଚାଲିଗଲା । ଗାଧୋଇ ଆସି କିଛି ଖାଇବାକୁ ଇଚ୍ଛା ହେଲା ନାହିଁ । ମିନିକୁ ଖୋଇଲି ସେ ମଧ୍ୟ ଖାଇଲା ନାହିଁ ।

 

ଛାତିକୁ ପଥର କରି ଶୁଦ୍ଧିକ୍ରିୟା ସମ୍ପନ୍ନ କଲି । ବ୍ରାହ୍ମଣ ଖିଆ ଇତ୍ୟାଦି କାମ ସାରିଲା । ସେମାନଙ୍କୁ ଉପଯୁକ୍ତ ଦକ୍ଷିଣା ଦେଲି । ଭାଇମାନେ କାହିଁକି କେଜାଣି ରାଗରେ ଖାଇବାକୁ ଆସିଲେ ନାହିଁ । ବାରେ ଦୁଇବାରେ ପାଞ୍ଚବାରେ ଖୋସାମତ କଲି ତେବେ ସୁଦ୍ଧା ସେମାନଙ୍କର ପାଷାଣ ହୃଦୟ ତରଳିଲା ନାହିଁ । ରାଗରେ ଆଉ ଡାକିଲି ନାହିଁ ।

 

ମାଆ ମୋର ମରିବାର କୋଡ଼ିଏ ଦିନପରେ । ମିନି ମୋର ସାଥେ ସାଥେ ସବୁବେଳେ ଥାଏ । ଏତେଦିନ ରହିଲା କାହାରି ଘରକୁ ଯାଇନାହିଁ । ଦିନେ ମୁଁ ଓ ମିନି ବୁଲି ଯାଇଥିଲୁ ଫେରୁଛୁଁ, ଆମର ଜଣେ ବଡ଼ବାପାଙ୍କ ଦାଣ୍ଡବାଟେ । ବଡ଼ମା ଦେଖି ଡାକିଲେ । ଆମେ ଦୁହେଁ ଗଲୁ । ଆମ ଦୁଃଖରେ କେତେ ସେ ଦୁଃଖିତ ହେଲେ । ମୋତେ ଜଣାପଡ଼ୁଥାଏ ଏ ସବୁ ଉପରମନରେ । ଛାଡ଼–କେତେ କଥା ପଡ଼ିଲା । ଶେଷରେ ଖାଇବାକୁ ଅନୁରୋଧ କଲେ । ନ ଖାଇ ଆମେ ଚାଲିଆସିଲା ବେଳେ ସାଢ଼େ ତିନି । ଏହି ସମୟରେ ପୋଷ୍ଟ ପିଅନ ଖଣ୍ଡେ ଚିଠି ଆଣିଦେଲା, ଦେଖିଲି ଗୀତାର ହସ୍ତାକ୍ଷର ।

 

କଟକ

ଶୁକ୍ରବାର

 

ସ୍ନେହର ମିନି,

 

ଆଶୀର୍ବାଦ ଗ୍ରହଣ କରିବୁ ଓ ନାନାଙ୍କୁ ମୋର ପ୍ରମାଣ ଜଣାଇ ଦେବୁ । କାଲି ଆମର ଫଳ ବାହାରିଛି ଯେ ତୋର ଅନର୍ସ ଡିଷ୍ଟିଂସନ ରଖି ପାସ୍ କରିଛନ୍ତି । ତୁ ପାସ୍ କରିଛୁ ପ୍ରଥମ ଶ୍ରେଣୀରେ କିନ୍ତୁ ଦୁଃଖର ବିଷୟ ମୁଁ ଥାର୍ଡ ଡିଭିଜନରେ ପାସ୍ କରିଛି । ସେ ଯାହା ହେଉ ଭାଇଙ୍କୁ କହିବୁ ମିଠେଇ ନ ଆଣିଲେ ସବୁଦିନ ନିଠେଇ କରି ଚିଡ଼ାଇବ । ତୁ ଶୀଘ୍ର ଚାଲିଆ—ଗାଁରେ ରହିଲେ ମନ ବେଶୀ ଦୁଃଖ ହେବ । ନାନା ତୋର ଏଥର ପଚାରିବେ କି ନା କେଜାଣି । ବର୍ତ୍ତମାନ ସେ ଜଣେ B.Sc. । ସେଦିନ ଆମେ ଯେଉ ଦୁଃଖରେ ଫେରୁଛି ଆମେ ଜାଣୁ । ନାନାକୁ କହି ଶୀଘ୍ର ଆମ ହାଇସ୍କୁଲରେ ନାମ ଲେଖାଇବାର ବନ୍ଦୋବସ୍ତ କରିବୁ । ଇତି ।

 

ତୋର

ଗୀତାଅପା

 

ଚିଠିଖଣ୍ଡକ ପଢ଼ି ମନରେ ଆନନ୍ଦ ଆସିଲା ନାହିଁ ବରଂ ଆସିଲା ନିରାନନ୍ଦ ମିନିରୁ ସେହିପରି ଜଣା ପଡ଼ୁଥାଏ । ଘରେ ଆସି ପହଞ୍ଚିଲି । ମିନିକୁ କହିଲି, କାଲି କଟକ ଯିବା । ସେ ଏଥିରେ ସମ୍ମତ ପ୍ରକାଶ କଲା । ସେ ଦିନ ରାତିରେ ସମସ୍ତ ଜିନିଷ ପାତ୍ର ବନ୍ଧା ବାନ୍ଧିକଲୁ ଦି’ଟା ଖାଇ ଶୋଇ ପଡ଼ିଲୁ । ସକାଳୁ ଉଠି ନିତ୍ୟକର୍ମ ସାରି ଷ୍ଟେସନକୁ ଆସିବାକୁ ଖଣ୍ଡିଏ ବଳଦ ଗାଡ଼ି ଠିକ୍ କଲୁ । ଆଜି ଆମର କେହି ନାହିଁ । ପଦେ ମିଠାକଥା କହିବାକୁ ଯେ ଥିଲା ସେ ଆଜି ନାହିଁ ।

 

ମୋ ମା’ ଆଜି ପାଉଁଶ ହୋଇପଡ଼ିଛି ନୂଆ ତୋଟାରେ । ଚାକର ଜିମାରେ ଘରଛାଡ଼ି ଗାଡ଼ିରେ ବସିଲୁ । ଗ୍ରାମବାସୀମାନେ ଆମକୁ ଦେଖି ଆଖିଠାର ମାରୁଥାନ୍ତି । ସେଥିପ୍ରତି ଆମର ଭ୍ରୂକ୍ଷେପ ନଥାଏ । ଗାଡ଼ି ଚାଲିଲା—ଧାନମଣ୍ଡଳ ଷ୍ଟେସନ ଆମ ଘରଠାରୁ ତିନିକୋଶ ବାଟ । ଗହୀରବିଲରେ ଗୁଳାଧରି ଗଲେ ବାଟଦେଢ଼କୋଶ ହେବ । କ୍ରମେ ଗାଡ଼ି ଯାଇ ପହଞ୍ଚିଲା ଧାନମଣ୍ଡଳ ଷ୍ଟେସନରେ । ଆମର ପହଞ୍ଚିଲାବେଳକୁ ଗାଡ଼ି ଟାଇମ୍ ହୋଇଯାଇଥିଲା । ଦୁଇଖଣ୍ଡ ଟିକେଟ ଆଣିଲି । ଗାଡ଼ି ଆସି ଛିଡ଼ାହେଲା, ଜିନିଷ ପତ୍ର କୁଲି ଦ୍ଵାରା ଚଢ଼ାଇ ମିନିକୁ ମଧ୍ୟ ଚଢ଼ାଇ ଦେଲି । ତା’ପରେ ନିଜେ ଗାଡ଼ି ଭିତରକୁ ଗଲି । କାରଣ ମୋଟେ ତିନିମିନିଟ ଗାଡ଼ି ଷ୍ଟେସନରେ ରହେ । ଠିକ୍ ସାଢ଼େ ଗୋଟାକରେ ଗାଡ଼ିଟା କଟକ ଷ୍ଟେସନରେ ପହଞ୍ଚିଲା । ଗାଡ଼ିରୁ ଉତୁରି ଖଣ୍ଡିଏ ବଗିକରି ଜିନିଷପତ୍ର ଲଦି ବଗି ଛୁଟାଇ ହେଲୁ ଗୀତାର ଘରକୁ । ଅଧଘଣ୍ଟାରେ ଗାଡ଼ି ଯାଇଁ କୋଠା ସାମନାରେ ପହଞ୍ଚିଲା । ବଗିରୁ ଓହ୍ଲାଇ ତାଙ୍କ ଘରକୁ ଗଲୁ । ମାଉସୀ ଓ ଗୀତାର ଅପୂର୍ବ ଆନନ୍ଦ ଆମକୁ ଦେଖି । ସେ ଦିନ କୌଣସି ମତେ ଦିନଟି କଟିଗଲା ।

Image

 

ଷଷ୍ଠ ପରିଚ୍ଛେଦ

 

ଅନେକ ଦିନପରେ ମୁଁ ଖଣ୍ଡିଏ S.I. of police post ପାଇଛି ଗୋଟିଏ ନିହାତି ମଫସଲ ଥାନା ବିଂଝାରପୁରେ । ମିନି ଏଥି ମଧ୍ୟରେ ମ୍ୟାଟ୍ରିକ୍ ପାସ୍ କରି ସାରିଛି । କଲେଜରେ ତାର ନାମ ଲେଖାଇ ଗାର୍ଲସ Hostel ରେ ତାକୁ ରଖାଇ ଦେଇଛି ଆଶାଥିଲା ମୋର ଅନ୍ୟ କୌଣସି ଚାକିରି କଟକରେ କରିଲେ ପଢ଼ିବି । କିନ୍ତୁ ତା’ ଭାଗ୍ୟରେ ଜୁଟିଲା ନାହିଁ । ବର୍ତ୍ତମାନ ଅନୁଭବ କରୁଛି ପୋଲିସ ଚାକିରି ଆଦୌ ଭଲନୁହେଁ । କାରଣ ଦୌଡ଼ି ଦୌଡ଼ି ନିଜର ପ୍ରାଣ ଯିବ ।

 

ଦିନେ ମଫସଲରୁ ଗୋଟିଏ ମଡ଼ର କେସ୍ ଇନକ୍ଵାରିରୁ ଫେରି ମୋର ବସାର ସାମନାରେ ଖଣ୍ଡିଏ ଚୌକି ପକାଇ ବସିଛି । ପ୍ରାୟ ଦିନ ସାଢ଼େ ଦୁଇ । ସେହି କେସ୍ କଥା ବସି ଭାବୁଛି, ଏହି ସମୟରେ ଡାକ ପିଅନ ଚିଠି ଖଣ୍ଡେ ଆଣିଦେଲା । ଚିଠିଟି ଖୋଲି ପଢ଼ିଲି । ମାଉସୀ ଲେଖିଛନ୍ତି,—

 

ସ୍ନେହର ବସନ୍ତ,

 

କଟକ

ମଙ୍ଗଳବାର

 

ଅନେକ ଦିନ ହେବ ତୋର ସାକ୍ଷାତ ନ ପାଇ ବଡ଼ ଦୁଃଖିତା— ହଁ କଅଣ କରିବୁ ପର ଅଧୀନରେ ମୁଣ୍ଡ ବିକିଲେ ତ ସେଇଆ ହୁଏ । ଗୀତା ବର୍ତ୍ତମାନ ରୋଗ ଶଯ୍ୟାରେ ଶାୟିତା ମାଉସା ନିଜେ ଔଷଧ ଇନେଜେକସନ୍ ଥକିଲେଣି ଅନ୍ୟ ଡାକ୍ତରମାନେ ମଧ୍ୟ ଆସି ଦେଖିଗଲେଣି । ଦାଶବାବୁ ସିଭିଲ୍ ସର୍ଜନ କହୁଛନ୍ତି କି ରୋଗ ନଥିବାସ୍ଥାରେ ବିଶେଷ ଭାବି ଭାବି Brain ର Defect ଘଟିଛି । କିଛିଦିନ ୟାଙ୍କୁ ପୁରୀର ସମୁଦ୍ରକୂଳରେ ରଖନ୍ତୁ, ନଚେତ୍ Case ଟା Serious ହୋଇଯିବ । ତୋର ମଉସା ବଡ଼ ଚିନ୍ତିତରେ ଅଛନ୍ତି । ଏକୁଟିଆ ଲୋକ, ଯଦି ଘରଛାଡ଼ି ଯିବେ ଘରର ଅନେକ କ୍ଷତିହେବ । ଏଡେ ବଡ଼ ଘରକୁ ଯଦି ପୁଝାରୀ ଚାକର ଜିମାରେ ଛାଡ଼ି ମୁଁ ଯାଏଁ ଘରର ଅବସ୍ଥା ଯାହା ହେବ ଅନୁମାନ କରିନେବୁ । ଥରେ ଆସି ଗୀତାକୁ ଦେଖି ଯା-। ଚେଷ୍ଟା କରିବୁ କିଛିଦିନ ଛୁଟି ଆଣିବାକୁ । ତୋତେ ସେ ଅନେକ ଥର ଖୋଜିଲାଣି ଦେଖିବାକୁ-। କିନ୍ତୁ ନ ପାଇ କାନ୍ଦୁଛି । କହିଲା, କଲେଜରେ ପଢ଼ିବାକୁ ମନାକଲା ମଉସା ତୋର ସେଥିରେ ବାଧାଦେଲେ ନାହିଁ । ମନରେ ଦୁଃଖ କରିବୁ ନାହିଁ । ବର୍ତ୍ତମାନ ସେ ଟିକେ ଚାଲବୁଲ କଲାଣି-। ମିନିକୁ ମଟର ପଠାଇ ଦୁଇଥର ଆଣି ଥିଲି । କେବଳ କାନ୍ଦିକାନ୍ଦି ସେ ଯାଉଛି । ମିନି ଭଲରେ ଅଛି-। ଆଶା କରୁଛି ତୁ ଭଲରେ ଥିବୁ । ଇତି । ତୋର

 

ମାଉସୀ

 

ଚିଠି ଖଣ୍ଡକ ପଢ଼ି ମନ ମୋର ଭାରି କଷ୍ଟ ହେଲା । ଦୁଇପ୍ରକାର ଚିନ୍ତା ଆସି ମନରେ ଧକା ଦେଲା । ଏଣେ ମୋର ନିଜର କର୍ତ୍ତବ୍ୟର ଚିନ୍ତା, ଏଣେ ଗୀତା—ଭାବିଲି ଗୀତା ମୋର କିଏ-? ମୁଁ କାହିଁକି ତା’ ପାଇଁ ଏତେ ଚିନ୍ତିତ ? ଯେତେଦିନ ତାହା ଘରେ ଖଟୁଥିଲି ତାହା ବିନିମୟରେ ଆଣୁଥିଲି ଟଙ୍କା, କିନ୍ତୁ ବର୍ତ୍ତମାନ ସେଦିନ ନାହିଁ । ବିବେକ କହିଉଠେ ନିର୍ମ୍ମମ, ତ ଜାଣୁନା ସେ ନିରୀହ ବାଳିକା ଆଜି କାହା ପାଇଁ ରୋଗଶଯ୍ୟାରେ ଶାୟିତା । ଜାଣିଶୁଣି ତୁ ତାକୁ ଏ ରୋଗ ଦେଉଛୁ । ବର୍ତ୍ତମାନ ତୁ ତାକୁ ଭୁଲି ନଯାଇ ତା’ ପ୍ରତି ତୋର ଯାହା କର୍ତ୍ତବ୍ୟ ତା’ କର ନଚେତ ପରେ ବିପଦ । ଚମକି ପଡ଼ିଲି । ସବୁ ଅନ୍ଧାର ଦିଶିଲା, ଭାବିଲି ଏହି ମୁହୂର୍ତ୍ତରେ ଛୁଟି ଏକମାସ ନେଇ ଆଜି ରାତି ଗାଡ଼ିରେ କଟକ ଯିବି ଗୀତାକୁ ଦେଖିବାକୁ । ସଙ୍ଗେ ସଙ୍ଗେ ଖଣ୍ଡେ ଦରଖାସ୍ତ ଲେଖିଲି; ଥାନାକୁ ଗଲି ଛୁଟି ପାଇଁ କିନ୍ତୁ ଭାଗ୍ୟର କଥା ଏକମାସ ଛୁଟି ମିଳିଗଲା, ଫେରିଲି ବସାକୁ-। ବିଛଣାପାତ୍ର ବନ୍ଧା ବନ୍ଧି କଲି, ଇଚ୍ଛା ହେଲାନାହିଁ କିଛି ଖାଇବାକୁ, ଆଉ କିଛି ଚିନ୍ତି ନାହିଁ-। ଚିନ୍ତା ହୁଅନ୍ତା ମୋର ଯଦି ପିଲାପିଲି ଥାନ୍ତେ । ଦୁଇଜଣ କନେଷ୍ଟବଲ ସାଙ୍ଗରେ ନେଇ ମଟରଷ୍ଟାଣ୍ଡକୁ ଗଲି । ସେମାନେ ମୋତେ ମଟରରେ ଚଢ଼ାଇ ଦେଇ ଫେରିଲେ ଥାନାକୁ । ମଟର ପହଞ୍ଚିଲା ଯାଜପୁର ରୋଡ଼ ଷ୍ଟେସନରେ । ପ୍ରାୟରାତି ସାଢ଼େତିନି ସେତେବେଳକୁ ପାସେଞ୍ଜର ଗାଡ଼ିଟା ଚାଲି ଯାଇଥିଲା ଆଉ କୌଣସି ଗାଡ଼ି ନାହିଁ ତେଣୁ ରାତିସାରା ସେଇ ଖୋଲା ମୁସାଫର ଖାନାରେ ବସିବାକୁ ହେଲା ସକାଳ ପର୍ଯ୍ୟନ୍ତ । ଗାଡ଼ି ପୁଣି ଦିନ ଦଶଟାରେ । ଗାଡ଼ି ଆସି ବାର ସମୟ ହେଲା-। ଦାନ୍ତ ଘଷିନଥାଏ, କି ପାଇଖାନା ଯାଇ ନଥାଏ, କେବଳ ଗାଡ଼ିକୁ ମୋର ତୀକ୍ଷ୍‌ଣ ଦୃଷ୍ଟିଥାଏ-। କେତେବେଳେକେ ଗାଡ଼ିଟା ଆସି ଛିଡ଼ା ହେଲା ଷ୍ଟେସନରେ, ସମସ୍ତ ଭାବନା ମୋର ତୁଟିଲା-। କୁଲି ଦ୍ଵାରା ବିଛଣା ଉଠାଇ ନେଇ ବସିଲି ଗାଡ଼ିରେ । ପାଞ୍ଚମିନିଟ୍ ପରେ ଗାଡ଼ି ଛାଡ଼ିଲା । କଟକରେ ଗାଡ଼ି ପହଞ୍ଚିଲା ବେଳକୁ ଦିନ ସାଢ଼େ ଗୋଟାଏ । ଖଣ୍ଡିଏ ବଗି କରି ଛୁଟାଇଦେଲେ ଗୀତାର ଘରକୁ-। ପୋଷାକ ଭିତରେ ମୋ ଦେହରେ ଥାଏ ପୋଲିସ S.I.ର ଡ୍ରେସ୍ । ବଗିଟା କ୍ରମେ ଘରେ ନିକଟ ହୋଇ ଆସିଲା । ଚାହିଁଥାଏ ଗୀତା କୋଠାର ଛାତଉପରେ ଛିଡ଼ା ହୋଇ କ’ଣ ଖଣ୍ଡିଏ ପଢ଼ୁଛି-। ବଗିର ଶବ୍ଦ ଶୁଣି ଚାହିଁ ରହିଲା ଆମରି ଆଡ଼େ । ବୋଧହୁଏ ସେ ଚିହ୍ନିପାରିଲା ନାହିଁ ଦୂରରୁ ମୋତେ-। କାରଣ ତାହାର ଆଶାନୁହେଁ ଯେ ମୋତେ ଏପରି ମାଟିଆ ଡ୍ରେସ୍ ରେ ଦେଖିବା ବୋଲି-। କୋଠାର ସାମନାରେ ବଗି ଛିଡ଼ାହେଲା । ତଥାପି ଗୀତା ମୋତେ ଛାତଉପରେ ଛିଡ଼ାହୋଇ ଚାହିଁଥାଏ । ମୁଁ ବଗିରୁ ଓହ୍ଲାଇ ସିଧା ପଶିଗଲି ଘର ଭିତରକୁ । ମଉସା ଓ ମାଉସୀ କ’ଣ କଥାବାର୍ତ୍ତା ହେଉଥାନ୍ତି ମୁଁ ଯାଇ ତାଙ୍କୁ ନମସ୍କାର ହେଲି । ରାତି ଅନିଦ୍ରା ଯୋଗୁଁ ଶୁଖିଯାଇଥାଏ ମୁଁ । ମୋତେ ଏପରି ଅବସ୍ଥାରେ ଦେଖି ସେମାନେ ବଡ଼ ଦୁଃଖ ପ୍ରକାଶ କଲେ । ମାଉସୀ ଆଣି ତେଲ ଦେଲେ, ଗାଧୋଇ ପଡ଼ି ଦିଟା ଖାଇନେଲି । କିପରି ଭାବରେ ଆସିଲି ସମସ୍ତ କଥା କହିଗଲି, କିନ୍ତୁ ମାସେ ଛୁଟି ଆଣିଛି ବୋଲି କହିଲି ନାହିଁ । ଯାହା ପାଇଁ ଏତେ କଷ୍ଟକର ଧାଇଁ ଆସିଲି ତାହର ଦେଖା ଏତେବେଳ ପର୍ଯ୍ୟନ୍ତ ପାଇନାହିଁ । ମଉସା ଡାକିଲେ ଗୀତା, ଗୀତା । ଗୀତା ଦରଜା ପାଖରେ ଛିଡ଼ା ହେଲା । ଦେଖିଲୁ ଆମ ଘରେ ଏ ଭଦ୍ରଲୋକ କିଏ ବସିଛନ୍ତି ? ମାଉସୀ କହିଲେ । ଗୀତାର ଗୋଟିଏ ଶୁଷ୍କନମସ୍କାର ପକାଇ ଚାଲିଗଲା କେଉଁଆଡ଼େ । କିଛିସମୟ ପରେ ମୋର ସେହି ପୂର୍ବ ପରିଚିତ ଗୀତାର ପଢ଼ାଘରକୁ ଗଲି । ଟେବୁଲ ଉପରେ ଦେଖିଲି, କେତେ ଖଣ୍ଡି ପଢ଼ା ବହି ଛିନ୍ନଅବସ୍ଥାରେ ପଡ଼ିଛି, ବାକିତକ ନଭେଲ । ନଭେଲ ବହି ଦେଖୁ ଦେଖୁ ଖଣ୍ଡିଏ ବହି ଦେଖିଲି “ଆସିବ କେବେ ପ୍ରିୟ” ମନହେଲା ଟିକିଏ ବହିଟା ପଢ଼ିବାକୁ, କାରଣ ଛାତ୍ର ଜୀବନରେ କେବେହେଲେ ଖଣ୍ଡେ ନଭେଲ ବହି ଧରିନହିଁ, କିମ୍ବା ବର୍ତ୍ତମାନ ଚାକିରିଆ ଜୀବନରେ ସମୟ ପାଇନାହିଁ ଖଣ୍ଡେ ବହି ପଢ଼ିବାକୁ । ତେଣୁ ବହିଖଣ୍ଡକ ଖେଳାଇଲି, ହଠାତ୍ ପଡ଼ିଗଲା ଗୀତାର ଖଣ୍ଡିଏ ଚିଠି, ଖୋଲିଲି ଚୋରଙ୍କ ପରି—

 

କଲେଜ ହଷ୍ଟେଲ

ରାତି ସାଢ଼େବାର

 

ସାଥି ମୋର !

 

ଦିନକର ଦେଖାରେ ନିଜର କରିନେଲ । ବର୍ତ୍ତମାନ ମୁଁ ତା’ ଭାବୁଛି, ମନେ ଅଛିତ ସେଦିନ ସିନେମା ହଲରେ କଣ କହିଥିଲି ? ମୁଁ ତମକୁ ଭଲ ପାଏନା ବୋଲି ଲେଖିଛ । ତମେ ଜାଣନା କାହାର ପ୍ରତିମୂର୍ତ୍ତି ମୋର ଆଖି ଆଗରେ ନାଚୁଛି । ଯେତେ କହନ୍ତି ହୃଦୟ ଚିରି ଦେଖାଇ ଦିଅନ୍ତି ଯେ, ମୋର ପ୍ରତ୍ୟେକ ଶିରା ପ୍ରଶିରାରେ କାହାର ଛବି ଅଙ୍କିତ । ଏପରିକି ପାଠପଢ଼ା ମୋତେ ବିଷ ପରି ଲାଗୁଛି,ତମେ ବୋଧହୁଏ ଜାଣନା ମୁଁ ଅନେକବାର ତମରି ଘର ଦେଇ ବଜାରକୁ ଯାଏ, କେବଳ ତମକୁ ଦେଖିବା ପାଇଁ ଥରେ । ମାତ୍ର ତମର ସାକ୍ଷାତ ନ ପାଇ ନିରାଶରେ ଫେରେ । ଭାବେ ତମ ଘରକୁ ଯିବାକୁ କିନ୍ତୁ ବହୁଥର ଯିବାଟା ଲୋକଚକ୍ଷୁରେ ସନ୍ଦେହ, ତଥା ମୋର ଅନାଧିକାର ଚର୍ଚ୍ଚା ହୋଇଯିବ ଏହା ଭାବି ଯାଏ ନାହିଁ । ଥରେ ଥରେ ମନ ମୋର ଏପରି ହୁଏ, ବହି ପତ୍ର ପୋଡ଼ିଦେଇ ଧାଇଁଯିବି ତମ ନିକଟକୁ । ମାତ୍ର ପାରେନା । ବିବାହ ! ବିବାହ ଯେଉଁ ସମ୍ବନ୍ଧ ତାହା କାହାରି ଉପରେ ନିର୍ଭର କରେନା, କରେ କେବଳ ବର ଓ କନ୍ୟା ଉପରେ, ବାପା ମା’ କି ଅନ୍ୟ ଉପରେ ନୁହେଁ । ମୁଁ ଶୁଣିପାରୁଛି ବାପା ମୋର ଗୋଟିଏ ଜାଗାରେ ମୋ ପାଇଁ ବିବାହ ପ୍ରସ୍ତାବ ପକାଉଛନ୍ତି । ଜୀବନ ଗଲେ ସେଠି ମୁଁ ବିବାହ କରି ପାରେନା, ବରଂ ବାପା ବୋଉ ସାଙ୍ଗରେ ଅପଡ଼ ହେବ । ଚାହେ ମୁଁ ତୁମକୁ, ହିଁ ସେଦିନ ତମେ ଯେ ବସନ୍ତ ବାବୁଙ୍କ କଥା କହୁଥିଲ ମୁଁ ଅନେକ ଉପରକ୍ଳାସ୍‍ ପିଲାଙ୍କୁ ପଚାରି ତାଙ୍କ ଖବର ବୁଝିଛି । ସେ ଖୁବ ଭଲ ଆଦର୍ଶ ଧରଣର ଛାତ୍ର ଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର କେତେଟା ଭଲ କାମରେ ରେକର୍ଡ଼ ଅଛି । ପ୍ରଫେସରମାନେ ମଧ୍ୟ ସମୟ ସମୟରେ ତାଙ୍କର ଉଦାହରଣ ଦିଅନ୍ତି । ତାଙ୍କର ଗୋଟିଏ ଭଉଣୀ ମିନି ସେକେଣ୍ଡ ଇଅରରେ ପଢ଼ୁଛି । ଖୁବ ଭଲ ଛାତ୍ରୀ—ଦେଖିବାକୁ ମଧ୍ୟ ଖୁବ୍‍ ସୁନ୍ଦରୀ । ସେସବୁ ଯାହା ହେଉ ଆମର ପ୍ରତିଭା ପୂର୍ଣ୍ଣକରି ଯୁବକ ଯୁବତୀମାନଙ୍କୁ ଗୋଟିଏ ନୂତନ ଆଦର୍ଶର ପଥ ଦର୍ଶାଇଦେବା । ଦେଖିବା ଆମର ଅନ୍ଧସମାଜ ଆମ ବିରୁଦ୍ଧରେ କ’ଣ କରିପାରେ । ସତ୍ୟକର, ତ୍ରିବାର ସତ୍ୟକର ଏ ପଥରେ ତମେ ପଥିକ ହେବ କି ନା ? ଅନେକ କଥା ରହିଗଲା । ତାହା ଚିଠି ଦ୍ଵାରା ଲେଖି ପାରୁନାହିଁ । କାଲି ରବିବାର ଅଛି ନିଶ୍ଚୟ ଯିବି—ଅପେକ୍ଷାରେ ଥିବି । ଇତି

 

ତମର

ଶରତ

 

ଚିଠି ଖଣ୍ଡକ ପଡ଼ିଲାମାତ୍ରେ ମୋର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ କେଉଁ ଲୋହିତ ସାଗରରେ ପଡ଼ିଲା । ମୋତେ ଆଦୌ ମାଲୁମ ନାହିଁ, ଭାବିଲି—ବିଶ୍ଵାସଘାତକୀ ! ଥରେ ବିଭା ହୋଇ ଆଉ ଥରେ କରିବ, ତାହାର ଆଉ ରକ୍ଷାନାହିଁ । ମୋତେ ଦିନେ ଏହି ରାକ୍ଷସୀ ତାହାର ମାୟାରେ ପକାଇଥିଲା । ବର୍ତ୍ତମାନ ପକାଇଛି ଆଉ ଜଣକୁ । ଧିକ ତମ ସ୍ତ୍ରୀ ଜାତିକୁ ଶତାଧିକ । କେଉଁ ଅପୂର୍ବ ବେଶରେ ପୁରୁଷକୁ ଭୁଲାଇନେଇ ସର୍ବସ୍ଵ ନଷ୍ଟକର । ଶିକ୍ଷିତା ସ୍ତ୍ରୀଜାତିର କ’ଣ ଆଦର୍ଶ ଏ ? ବରଂ ସ୍ତ୍ରୀମାନଙ୍କୁ ଶିକ୍ଷା ନଦେଇ, ଡଙ୍କା ଚଟ ଖଣ୍ଡିଏ ଦେଇ ବିଦାୟ ଦେବା ହାଣ୍ଡିଶାଳ ଅଫିସକୁ । ରାଗରେ ମୋର ସର୍ବାଙ୍ଗ ଥରି ଉଠିଲା, ଭାବିଲି ଏହି ମୁହୂର୍ତ୍ତରେ ଚାଲିଯିବି ଏଠାରୁ । ଏହି ସମୟରେ ଗୀତା ପଶି ଆସି କହିଲା—ଆପଣଙ୍କର କ’ଣ ମୁଁ ମନେ ଥିଲି ? ସବୁ ସ୍ନେହ ଜଣାପଡ଼ିଲା ଯେ, ଆଚ୍ଛା ଯଦି ମୁଁ ମରି ଯାଇଥାନ୍ତି.....ମନେ ମନେ ଭାବୁଥାଏ ମରି ଯାଇଥିଲେ ବରଂ ଭଲ ହୋଇଥାନ୍ତା । ସେ ଯେଉଁ କଥା କହିଯାଉ ଥାଏ ସେ କଥାଗୁଡ଼ାକ ମୋର କାନରେ ଆଦୌ ପଶୁ ନଥାଏ ।

 

ହଠାତ୍ କାନ୍ଧରେ ହାତ ପକାଇ ଦେବାରୁ, ମୁଁ ଚୌକି ଉପରକୁ ଉଠି ପଡ଼ି କହିଲି—ଯାଉଛି ମିନି ବାଟେ ହୋଇ ଷ୍ଟେସନ ହୋଇ ଯିବି । ଜମା ଦୁଇଦିନ ଛୁଟି ଆଣିଛି । ହଠାତ୍ ଛଳନା କରି ଗୀତା କହିଲା—ସବୁ ସ୍ନେହ କ’ଣ ଭୁଲି ଗଲେ ? ହଁ ନ ଯିବେ କାହିଁକି । ବର୍ତ୍ତମାନ ଟଙ୍କା ରୋଜଗାର କଲେ । ସେଇଥି ପାଇଁ ନୁହେଁ ।

 

ହଁ ତା ହୋଇପାରେ, କିନ୍ତୁ ବିନା ଦୋଷରେ ତ କାହାରିକୁ ମୁଁ ଜେଲ ଦଉନାହିଁ କହିଲି ମୁଁ-। ବର୍ତ୍ତମାନ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ ଆଠ ଦିନ ପର୍ଯ୍ୟନ୍ତ, କହିଲା ଗୀତା । ମୋତେ କ’ଣ ବାନ୍ଧି ରଖିବୁ ? କହିଲି ମୁଁ ।

 

ହଁ ସେ କ୍ଷମତା ମୋର ଅଛି କହିଲା ଗୀତା ।

 

ତା ମାନିପାରେ, ସେ ଦକ୍ଷତା ଦିନେ ତୋର ଥିଲା । କିନ୍ତୁ ବର୍ତ୍ତମାନ ତୁ ତାହା ହରାଇ ବସିଛୁ । ବର୍ତ୍ତମାନ ତୋ ସହିତ ପଦେ କଥା ହେବା ଅନ୍ୟାୟ, କହିଲି ମୁଁ । ସନ୍ଦେହରେ ଗୀତା ପଡ଼ିଲା ପରି ଜଣାଗଲା, ତାର ମୁହଁ ଶୁଖିଆସିଲା । କହିଲା—କିଛି ତ ମୁଁ ଅବହେଳା କରି ନାହିଁ ।

 

ମୁଁ କହିଲି ସେକଥା କିଛି କହୁନାହିଁ । ଏହା କହି ଉଠିଲି ଆସିବାକୁ—ଗୀତା ମୋର ଫାଉଣ୍ଟେନ ଓ ଗୋଟାଏ ଥାନାର ଡାଏରୀ ନେଇ ପଳାଇଗଲା, କହିଲା ଆଜି ଯିବେ ନାହିଁ । ବାଧ୍ୟ ହେଲି ରହିବାକୁ । ବସି ରହିବାକୁ ଘରେ ମୋତେ କାହିଁକି ଆଦୌ ଭଲ ଲାଗିଲା ନାହିଁ । ବଜାରକୁ ବାହାରିଲି । ମାଉସୀ ଆସି କହିଲ—ଟିକେ ନ ଶୋଇ କେଉଁଠାକୁ ବାହାରୁଛୁ ?

 

କହିଲି—ଆଜି ରାତିଗାଡ଼ିରେ ବିଞ୍ଝାରପୁର ଯିବି । ତେଣୁ ମିନି ପାଖକୁ ଯାଇ ତାର କ’ଣ ଦରକାର ଖର୍ଦ୍ଦିକରି ଦେଇ ତାକୁ ଦେଇ ଯିବି । ଗୀତାକୁ ଆସିଥିଲି ଦେଖିବାକୁ ସେ ତ ସମ୍ପୂର୍ଣ୍ଣ ଭଲ । ଆଉ ରହିବା ଦରକାର ନାହିଁ । ତା’ପରେ ମୋର ଗୋଟାଏ ମର୍ଡ଼ରକେସ୍ ଇନକ୍ଵାରି କରି ଯିବାର ଅଛି । ନିହାତି ଯିବାକୁ ହେବ କହିଲି ମୁଁ । ମାଉସୀ କିଛି ନ କହି କହିଲେ—ତୋ ମଉସା ଆସନ୍ତୁ କ’ଣ କହୁଛନ୍ତି, ଏହା କହି ଚାଲିଗଲେ । ବଜାରକୁ ବାହାରିବ ସମୟରେ ଗୀତା ଆସି କହିଲା—ମୋର କେତୁଟା ଜିନିଷ ବଜାରକୁ ଆଣିବାର ଅଛି ମୁଁ ଯିବି । କି ଜିନିଷ ପଚାରିଲି ମୁଁ ?

 

ସୁଏଟର ବୁଣା ସୂତା । ଆଉ ଦେଖି......କ’ଣ ନଭେଲ ବହିନା, କହିଲି ମୁଁ । ନା କହି ହସିଦେଲା । କହିଲି ଯାଉଛି ମୁଁ ଡେରି ହେଲାଣି, ବାହାରିଲି ପ୍ରଥମେ ମିନି ପାଖକୁ । ମିନି ସହିତ ସାକ୍ଷାତ କଲି । ତାହାର କ’ଣ ଆବଶ୍ୟକ ବୁଝିଲି ଯେ କାଗଜ ଦୁଇ ଦସ୍ତା, ଗୋଟିଏ Fountain pen । ମୁଁ ତା ପାଖରୁ ଆସିବା ସମୟରେ ମିନି କହିଲା—ନନା ମୁଁ ଟିକେ ଆପଣଙ୍କ ସଙ୍ଗେ ବଜାରକୁ ଯିବି । ତା ଅନୁରୋଧ ରକ୍ଷାକରିବାକୁ ଖଣ୍ଡେ ରେକ୍ସା ଡାକିଲି । ରିକ୍ସା ଆସିବାରୁ ଦୁଇଜଣ ଯାକ ବଜାରକୁ ଗଲୁ-। ମୋର କେତୋଟି ନିହାତି ଦରକାର ଜିନିଷ କିଣିଲା ଓ ତା ପାଇଁ କାଗଜ ଓ ଗୋଟିଏ ପାର୍କରେ ଫାଉଣ୍ଟେନପେନ୍ ପଇଁତିରିଶ ଟଙ୍କାରେ କିଣିଲି । ବଜାରରୁ ପ୍ରଭାତି ସିନେମା ବାଟେ ଫେରିଲା ବେଳେ ଦେଖିଲି ରାମରଜ୍ୟ ବହି ଚାଲିଛି । ମନ ହେଲା ଯିବାକୁ । ମାତ୍ର ମିନିଥିବାରୁ ଟିକେ ଅଡ଼ୁଆ ଲାଗୁଥାଏ । ପଚାରିଲି ମିନି, ତୁ କେବେ ବାଇସ୍କୋପ ଦେଖିଛୁ ? ନା ମୁଁ ଆଦୌଦେଖି ନାହିଁ-। ଆମ ହଷ୍ଟେଲରୁ ସବୁ ପିଲାମାନେ ଥରେ ଥରେ ଆସନ୍ତି, କିନ୍ତୁ ମୁଁ ଆସେ ନା, କହିଲା ମିନି । ଆଚ୍ଛା ତେବେ ଚାଲ ଭଲ ଫିଲିମଟା ଅଛି, ଦେଖିଯିବା, ମୁଁ କହିଲି । ମିନି କିଛି ଉତ୍ତର ଦେଲା ନାହିଁ-। ରିକ୍ସାକୁ ବିଦାୟ ଦେଇ ଭାଇ ଭଉଣୀ ଦୁହେଁ ହଲ ଭିତରକୁ ଗଲୁ । ମୁଁ ଯାଇ ଟିକଟି ଦି’ଖଣ୍ଡ ଆଣିବାର ପାଞ୍ଚମିନିଟପରେ ଖେଳ ଆରମ୍ଭ ହେଲା । ମିନିର ସିନେମା ବିଷୟରେ କୌଣସି ଅଭିଜ୍ଞତା ନଥିଲା । ତେଣୁ ମଝିରେ ମୋତେ ସବୁ କଥା ପଚାରୁ ଥାଏ । ଖେଳ ସରିଲା । ଖଣ୍ଡିଏ ରେକ୍ସାକରି ଆସିଲି ମିନିକୁ ତା’ ହଷ୍ଟେଲରେ ଛାଡ଼ିବାକୁ । ରାତି ପ୍ରାଏ ସାଢ଼େ ଆଠ । ମିନି ତାଙ୍କ ମେସ୍ ସୁପରନଟେଣ୍ଡେଣ୍ଟଙ୍କ ସାଙ୍ଗରେ ମୋର ପରିଚୟ କରାଇ ଦେଲା । ସେ ହେଉଛନ୍ତି ଜଣେ କଲେଜରେ ପ୍ରଫେସର । ତାଙ୍କ ସହିତ ଅନେକ କଥା ଭାଷା ହେଲି । ଏହା ଭିତରେ ମିନି ଯାଇ ମୋର ଖାଇବାର ବନ୍ଦୋବସ୍ତ କରି ସରିଛି । ମୁଁ ବାହାରିବା ସମୟରେ ମିନି କହିଲା—ନନା ପୁଝାରି ଭାତ ବାଢ଼ିଲାଣି, ଦିଟା ଖାଇ ଦେଇଥାନ୍ତୁ । ଅନେକ ମନା କଲି କାରଣ ଏତେ ଯୁବତୀଙ୍କ ଭିତରେ ଜଣେ ଯୁବକର ଯାହା ଅବସ୍ଥାହୁଏ । ମୋତେ ଭାରି ଲାଜ ମାଡ଼ୁଥାଏ । ମିନି ତାର ରୁମକୁ ମୋତେ ଡାକି ନେଲା ଦେଖିଲି କୋଠରିଟି ବେଶ ପରିଷ୍କାର ଅଛି । ପାଞ୍ଚଟି ଖଟ ପଡ଼ିଛି ସମସ୍ତେ Second Year ର ଛାତ୍ରୀ । ଏହା ଭିତରେ ସେମାନେ ମିନିଠାରୁ ମୋର ପରିଚୟ ବୁଝି ନେଇଥିଲେ । ମୁଁ କୋଠୋରିରେ ପ୍ରବେଶ କଲାମାତ୍ରେ ସମସ୍ତେ ମୋତେ ନମସ୍କାର କଲେ । ମୁଁ ମଧ୍ୟ ପ୍ରତି ନମସ୍କାର ହେଲି । କିନ୍ତୁ ସେମାନଙ୍କ ମୁହଁକୁ ମୁଁ ଚାହିଁ ପାରୁନଥାଏ ଲାଜରେ । କ’ଣ ବା କାହାକୁ କହିବି କିଛି ବୁଦ୍ଧି ଦିଶୁନଥାଏ, ଖାଇବା କଥା ଦୂରେ ଥାଉ । ମିନି ସମସ୍ତଙ୍କ ପରିଚୟ ଦେଲା-। ତାଙ୍କ ଭିତରେ ପୁରୀଜିଲ୍ଲାର ପୋଲିସି ସୁପରନଟେଣ୍ଡେଣ୍ଟଙ୍କ ଝିଅ ମିରା ଥାଏ । କେଜାଣି କାହିଁକି ପାଞ୍ଚମିନିଟ୍ ଦେଖାରେ ତାଙ୍କର ସ୍ନେହଟା ମୋ ଆଡ଼କୁ ଘନେଇ ଆସୁଥିବାର ଜଣା ଯାଉଥାଏ-। ତାହାର ପଦେ ପଦେ କଥାରୁ ମୋତେ ଜଣା ଯାଉଥାଏ ସତେ ଯେପରି ଅମୃତ ବୃଷ୍ଟି ହେଉଛି-। ଏହି ସମୟରେ ପୁଝାରି ଖାଇବାକୁ ନେଇଆସିଲା । ମିନି ଆଉ କଣ ଆଣିବାକୁ ବରାଦ କରୁଥାଏ-। ମିରା ଆଣି ଖଣ୍ଡିଏ ଆସନ ପକାଇ ଦେଇ କହିଲା, ବସନ୍ତୁ । ନଚେତ ଭାତ ଶୁଖିଯିବ । ନିଜର କାଚ ଗ୍ଲାସରେ ନିଜର ସୁରେଇର ପାଣି ଆଣି ଦେଲା । ଏହି ସମୟରେ ମିନି ନିଜେ ଭଜା ଥାଳିଆଟି ଆଣି ପହଞ୍ଚିଲା । ହଠାତ୍ ମିରା ରାଗି ଉଠି କହିଲା, ଏହିପରି କଣ ଭଦ୍ର ଲୋକର ଚର୍ଚ୍ଚା କରନ୍ତି-? ମୁଁ ଜାଣେ ତୁ ନିଶ୍ଚୟ ସବୁ ବନ୍ଦୋବସ୍ତ କରି ଦେଇଥିବୁ । ତେଣୁ ଆଣିବାକୁ ମୋର ଟିକେ ଡେରି ହେଲା । ଏହା ଶୁଣି ମନେ ମନେ ମୁଁ ଭାବିଲି ଏହ ଭିତରେ ଗୋଟେ ଗୂଢ଼ ରହସ୍ୟ ଅଛି-। ଲାଜଲାଜରେ ଖାଇ ନେଇ ଶୀଘ୍ର ହାତ ଧୋଇନେଲି । ମିରା ଏହା ଭିତରେ ଗୋଟିଏ ପ୍ୟାକଟେ୍ ସିଗାରେଟ ଆଣି ଖଟ ଉପରେ ରଖି ଦେଇଛି । ପଚାରିଲି ଆପଣ ସିଗାରେଟ ଆଣିଛନ୍ତି ମିରାଦେବୀ ଛୋଟ ହଁ ଟିଏ କଲା । ମୋର ସେତେ ସିଗାରେଟ ଖାଇବାର ଅଭ୍ୟାସନାହିଁ କହିଲି ମୁଁ-। ହଠାତ୍ ମିନି କହି ପକାଇଲା, ନନା କଲେଜରେ B.Sc. ପାସକଲା ପର୍ଯ୍ୟନ୍ତ ସିଗାରେଟ ଧରି ନଥିଲେ, କିନ୍ତୁ ଏହି ଚାକିରି ଖଣ୍ଡିକ ପାଇବାରୁ ସିଗାରେଟ ପକେଟ ପକେଟ ଉଡ଼ିଯାଉଛି-। ମୁଁ କେବଳ ହସିଲି । ଏହି ସମୟରେ ମିନିର ଆଉ ଗୋଟିଏ ସାଙ୍ଗ ଲିଲି କହି କହି ପକାଇଲା–ନନା ତ ତମର ଏକଲା, ଆଉ ଯେଉଁ ଟଙ୍କା ପାଉଛନ୍ତି ତୁ ସେଥିରୁ କିଛି ଆଣୁଛୁ । ବାକିତକ ଆଉ କ’ଣ ହେବ ? ଏହିପରି ଧୂମ୍ରପାନରେ......କହି ହସିଲା ।

 

କହିଲି ମିନି ମୁଁ ଯାଉଛି । ଏହାକହି ଉଠି ଛିଡ଼ାହେଲି । ଆପଣ ବର୍ତ୍ତମାନ କେଉଁଠାକୁ ଯିବେ ପଚାରିଲା ମିରା । କହିଲି ଯେଉଁଠି ଯିବି ସେଇଠି ରହିବି । କଟକ ସହରର ପ୍ରତ୍ୟେକ ଗଳି ମୋର ଆଖିଆଗରେ ନାଚୁଛି, ମୁଁ ଯେଉଁ ମେସ୍‌ରେ ଥିଲି ସେଠି ରହିପାରେ, ନଚେତ୍ ମୋର class mate ପ୍ରଫୁଲ ଏହି କଟକରେ ସବ୍‍ଡିପୋଟି ଅଛି । ସେ ମୋତେ ଦେଖି ଭାରି ଅଭିମାନରେ କହିଥିଲା ତା ବସାରେ ଆଜି ରହିବାକୁ । ସେଠି ରହିପାରେ, ରହିବାକୁ ଅନେକ ଜାଗାଅଛି । ଏହା କହି ମିନିକୁ କହିଲି—କିଛି ଦରକାର ହେଲେ ଚିଠି ଲେଖିବୁ ମୋ ପାଖକୁ କହି ବାହାରିଲି । ସମସ୍ତେ ସେ ସଙ୍ଗରେ ବଟେଇ ଦେବାକୁ ଗଲେ । ଫାଟକ ପାଖରେ ସେମାନଙ୍କୁ ବିଦାୟ ଦେଇ ଚାଲିଲି ଆଗକୁ ସେମାନେ ନମସ୍କାର ହୋଇ ଫେରିଗଲେ । ଜାଣିପାରୁଥାଏ ମିରା କିଛି ଭାବିଲା ପରି ତାର ମୁହଁଟି ଦେଖାଯାଉଥାଏ ।

 

ଟାଉନ ବସରେ ଚଢ଼ି ଆସି ମାଉସୀଙ୍କ ଘରେ ପହଁଞ୍ଚିଲି । ମାଉସୀ ଖାଇବାକୁ କହିଲେ, ମନାକଲି । ଚାକର ବିଛଣା କରିଦେଲା । ଶୋଇ ପଡ଼ିଲି । ମୁଁ ଆସିବା ଆଗରୁ ଗୀତା ଶୋଇ ପଡ଼ିଥାଏ । ଭାବିଲି—ଯେଉଁ ଗୀତା ମୋର ଅପେକ୍ଷାରେ ରାତି ପାହିବା ପର୍ଯ୍ୟନ୍ତ ନ ଶୋଇନ ଖାଇ ଜାଗ୍ରତ ହେଇରହେ, ଆଜି ସେ........ଆଉ ଭାବି ପାରିଲି ନାହିଁ ଶୋଇ ପଡ଼ିଲି ।

 

ସକାଳ ହେଲା । ନିତ୍ୟକର୍ମ ସାର ଜଳଖିଆ ଖାଇ ବାହାରିଲି ଷ୍ଟେସନ । ବଗି ଖଣ୍ଡିଏ ଡାକି ବିଛଣା ପତ୍ର ନଦିଲି ! ମାଉସୀଙ୍କଠାରୁ ବିଦାୟ ନେଇ ବସିଲି ବଗିଟିରେ । ଗୀତା ନମସ୍କାରଟିଏ ହୋଇ କହିଲା—ଆଚ୍ଛା ଆପଣ ଆସନ୍ତୁ । ମୋର ଟିକେ କାମ ଅଛି ମୁଁ ଯାଉଛି ଭୁଲିଯିବେ ନାହିଁ । ବଗି ଚାଲିନାହିଁ—ଗୀତା ଏତିକି କହି ଚାଲିଗଲା ମନେ ମନେ କହିଲି—ଧିକ୍ ଶତଧିକ୍ ଏହି ଯୁବତୀକୁ ।

Image

 

ସପ୍ତମ ପରିଚ୍ଛେଦ

 

ଏହା ଭିତରେ ଅନେକ ଦିନ ବିତି ଗଲାଣି । ମୁଁ ଯାହା ଲୋକମାନଙ୍କ ଆଗରେ ପ୍ରତିଜ୍ଞା କରିଥିଲି, ମୋ ପ୍ରତିଜ୍ଞା ପୂର୍ଣ୍ଣ ହୋଇଛି ଭଗବାନଙ୍କ କୃପାରୁ । ମିନି B. A. ପାସ୍ କରିଛି । କେବଳ ମୋର ଭାବନା ମାର ମୃତକାଳିନ ଉପଦେଶ ବୁଢ଼ୀର ମୋର ଅବହେଳା କରିବୁନାହିଁ ଏହି କଥା ପଦକ ମନରେ ପଡ଼ିଲେ ଗୋଟାଏ ଭାବନାଆସେ । ମିନି ବର୍ତ୍ତମାନ ଯୁବତୀ, ଉଚ୍ଚ ଶିକ୍ଷିତା, ଆଧୁନିକ,ତେଣୁ ତାହାର ଉପଯୁକ୍ତ ବର ଠିକ୍‌ କରିବାକୁ ହେବ । ମନେ ମନେ ଦୃଷ୍ଟି ପକାଉଥାଏ କିନ୍ତୁ ପାଉ ନଥାଏ । ମୁଁ ଚାକିରି କରିଛି, ମିନି ମଧ୍ୟ B. A. ପାଶକରି ଗାର୍ଲସ ହାଇସ୍କୁଲରେ ମାଷ୍ଟରାଣୀ ହୋଇଛି । ଦରମା ଶହେ ତିରିଶ ଟଙ୍କା ପାଏ । ବାକି ଟଉସନରୁ ଟଙ୍କା ପଚାଶ ଉପାୟ କରେ । ମାସକୁ ମାସ ସେ ଶହେ କୋଡ଼ିଏଟଙ୍କା ମୋ ନାମରେ ମନିଆଡ଼ର କରି ପଠାଏ । ତାର ଇଚ୍ଛା ଆମର କିପରି ଖଣ୍ଡିଏ ଭଲ ଘର ଦେହ, କିନ୍ତୁ ଉଦଯୋଗ କରି କରାଇବାକୁ କେହିଲୋକ ନ ଥିବାରୁ ତାହାର ଇଚ୍ଛା ପୂରଣ ହୋଇପାରେନା । ମିନି ଚିଠିଦିଏ । ମୋଏ ପୂର୍ବ ପରିଚିତ । ମିରା ମଧ୍ୟ ଚିଠି ଲେଖେ । ମିରା ମଧ୍ୟ B. A. ପାସ୍ କରି ତାର ବାପାଙ୍କର ଅନିଚ୍ଛା ସତ୍ଵେ ମାଷ୍ଟାରାଣୀ ଚାକିରି କରୁଛି । ସେମାନେ ଏକା ଘରେ ଥାନ୍ତି । ଦିନେ ମୁଁ ଥାନାରୁ ଆସି ବସାରେ ଖଣ୍ଡିଏ ନ ନଭେଲ ବହି ପଢ଼ୁଛି, ଏହି ସମୟରେ ଜଣେ କନେଷ୍ଟବଲ ଖଣ୍ଡିଏ ଚିଠି ଆଣି ଦେଲା । ଖୋଲି ଦେଖିଲ ସେଥିରେ ଦୁଇଖଣ୍ଡ ଚିଠି ଅଛି । ଖଣ୍ଡିଏ ମିନି ଓ ଆଇ ଖଣ୍ଡିଏ ମିରାର । ମିରା ଚିଠିଖଣ୍ଡି ଖୋଲି ପଢ଼ିଲି—

 

ପ୍ରିୟ ମହାଶୟ,

 

ପ୍ରମାଣ ଗ୍ରହଣ କରିବେ, ଆପଣଙ୍କ ପାଖକୁ ଏତେ ଖଣ୍ଡ ଚିଠି ଦେଲି ତାହା କ’ଣ ଥାନାର ଫାଇଲ୍‍ ସଙ୍ଗରେ ରଖି ଦେଉଛନ୍ତି ? ହଉ ବଡ଼ ଲୋକ, କାହିଁକି ଚିଠି ଖଣ୍ଡେ ଦେବେ । ଏଣିକି ମିନି ମତେ ଚଲେଇ ବୁଲେଇ ଦେଉ ନାହିଁ । ଖାଲି ନୂଆବୋଉ ନୂଆବୋଉ କହି ଚିଡ଼ାଉଛି । ଆମ Staff ମଧ୍ୟ ତାହା ସହିତ ଯୋଗ ଦେଉଛନ୍ତି । ଆପଣ ଦିନକ ପାଇଁ ଆସି ଏ case ଟା Decide କରି ଦେଇ ଯାଅନ୍ତୁ । ଇତି—

 

ଆପଣଙ୍କର

ମିରା

 

ଚିଠି ଖଣ୍ଡିକ ପଢ଼ି ନ ହସି ରହି ପାରିଲି ନାହିଁ । ଭାବିଲି ମିରା ଯଦି ମିନିର ନୂଆବୋଉ ହୁଅନ୍ତା ସେ ତ ମୋର ଅତି ଭାଗ୍ୟର କଥା । କିନ୍ତୁ ମନେ ପଡେ,—ନା—ମିନିର ଆଗ, ତା’ପରେ ମୋର । ଖଣ୍ଡିଏ ଚିଠି ସାଙ୍ଗେ ସାଙ୍ଗେ ଲେଖିଲି ମିରା ପାଖକୁ—

 

ବିଞ୍ଝାରପୁର

ବୁଧବାର

 

ସ୍ନେହର ମିରା ଦେବୀ,

 

ଆପଣ ଅନେକ ଥର ଚିଠି ଦେଇଛନ୍ତି, କିନ୍ତୁ ମୁଁ ତାର ଉତ୍ତର ଦେଇନାହିଁ । ସେଥିପାଇଁ କ୍ଷମା ଦେବେ । ଏଥରକ ଆପଣଙ୍କ ପାଖକ ଅନେକ ଚିଠି ଯିବାର କଥା, କାରଣ ଆପଣଙ୍କ ଚିଠିରୁ–ମିନିଟା ବଡ଼ ଦୃଷ୍ଟ, ନୁହେଁ ? ସେ କହିବା ସମୟରେ ଆପଣ ଜବାବ ଦେଉଥିବେ, ବୋଲି ସେ ସିନା ଡାକୁଥିବ । ମୁଁ ଏଥିରେ କ’ଣ କରିବି । ବର୍ତ୍ତମାନ ଯାଇ ପାରୁନାହିଁ । ଶୁଣୁଛି ମୋର ଏଠାରୁ କଟକ ବଦଳି ହେବ ବୋଲି, ଗଲେ ସବୁ କଥା–ମିନି ତ ଆପଣଙ୍କର ବନ୍ଦୋବସ୍ତ କରିଦେଲା ଆପଣ ତାହାର ବନ୍ଦୋବସ୍ତ କରନ୍ତୁ । ବର୍ତ୍ତମାନ ଥାନା ବିଷୟ ନେଇ ଟିକେ ଚିନ୍ତିତ ଅଛି–ପରେ । ଇତି

 

ତୁମର

ବସନ୍ତ

 

ଚିଠି ଖଣ୍ଡିକ ସାଙ୍ଗେ ସାଙ୍ଗେ ଡାକରେ ପକେଇ ଦେଲି । ଏଥିଭିତରେ ମୋର କେତେକ ସାଙ୍ଗ ମିନିର ବିହାଘର ପ୍ରସ୍ତାବ ଅନେକ ଜାଗାରେ ପକାଉଛନ୍ତି । କିନ୍ତୁ ମୋ ମନକୁ ଯାଉ ନ ଥିବାରୁ ମନା କରିଦିଏ । ଦିନେ ମିନିର ଧରମ ଭଉଣୀ ମିସେସ୍ ଦାସଙ୍କ ପାଖରୁ ଖଣ୍ଡିଏ ଚିଠି ପାଇଲି, ଲେଖାଥିଲା—

 

ପୂଜନୀୟ ମହାଶୟ

 

ମୁଁ ଜାଣି ପାରୁଛି ଆପଣ ବୋଧହୁଏ ମିନିର ବିଭାଘର ନେଇ ଚିନ୍ତିତ । ମୁଁ ଗୋଟିଏ ପ୍ରସ୍ତାବ ପକାଉଛି ଆମ ଘରେ । ଏଥିରେ ଆପଣଙ୍କର ମତ୍ତ କ’ଣ ଲେଖିବେ । ମୋର ଗୋଟିଏ ବଡ଼ଭାଇ M.SO. ପାସ୍‍ କରି ପୁରୀ କଲେଜରେ ପ୍ରଫେସର ହୋଇଛନ୍ତି । ବୟସ ତାଙ୍କୁ ପଚିଶି କି ଛବିଶି । ବାପା ଓ ବୋଉ ଅନେକ ଜାଗାରେ ତାଙ୍କର ବିବାହ ପ୍ରସ୍ତାବ ପକେଇଛନ୍ତି । ସେ କହୁଛନ୍ତି ନିଜ ଇଚ୍ଛାରେ ବିବାହ କରିବେ । ସେ ମୋତେ ଭାରି ଆଦର କରନ୍ତି । ମୁଁ ଯଦି ଏ କଥା ତାଙ୍କ ଆଗରେ କହେ ତେବେ ସେ ନାରାଜ ହେବେ ନାହିଁ । ମିନିକୁ ମୁଁ ଯେପରି ଭଲପାଏ ମୁଁ ତାହାର ତେବେ ଖରାପ କରିବି ନାହିଁ । ସେ ଆମ ଘରକୁ ଗଲେ ଭଲ ହୁଅନ୍ତା । ଭାଇ ଏଥି ଭିତରେ ରେଭେନ୍ସା କଲେଜକୁ ବଦଳି ହୋଇ ଆସୁଛନ୍ତି । ଏଥିରେ ଆପଣଙ୍କର ମତ କ’ଣ ଯଦି ମତ ଜାଣନ୍ତି ତାହାର ସମସ୍ତ ବନ୍ଦୋବସ୍ତ ମୁଁ କରିବି । ମିନି ଯେଉଁ ମାଷ୍ଟରାଣୀ ହୋଇଛି ତାହାହିଁ ପୁଣି ହେବ । କିନ୍ତୁ ମଝିରେ ବିଭାଘରଟା ସରିଯିବ । ଶୀଘ୍ର ଏହାର ଉତ୍ତର ପାଠକରେ । ଇତି

 

ଆପଣଙ୍କ

ମିସେସ୍ ଦାସ

 

ଚିଠି ଖଣ୍ଡିକ ପଢ଼ି ଭାବିଲି ବରଟି M. So. ପାସ୍ କରିଛି । ମିନି ମୋର B.A. ପାସ୍ କରିଛି । ବାହାଘରଟା ହେଲେ କିଛି ମନ୍ଦ ହୁଅନ୍ତାନାହିଁ । ପରକ୍ଷଣରେ ଭାବେ ତା’ର ବାପ ମା’ ତାକୁ ଏମ. ଏସ୍. ସି. ପଢ଼େଇଛନ୍ତି, କେତେ ଜିନିଷ ଡିମାଣ୍ଡ କରିବେ । କିନ୍ତୁ ମୋ ପରି ଗରିବ କଣ ତାଙ୍କୁ ଏତେ ଜିନିଷ ଦେଇ ପାରିବ । ବିଶେଷତଃ ଆଜିକାଲି ଯେ ଶିକ୍ଷିତ ପାଠୁଅ ବର ସେମାନେ ଯେତେ ଯୌତୁକ ଚାହୁଁଛନ୍ତି ବାପା ମା’ ତାଙ୍କର ସେତେ ଚାହୁଁ ନାହାନ୍ତି । ଆଚ୍ଛା ଚେଷ୍ଟା କରିବି, ଯଦି ତାର ଭାଗ୍ୟରେ ଥାଏ, ଏହା ଭାବି ମିସେସ୍ ଦାସଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲି ।

 

ବିଂଝାର ପୁର

ତା ...............................

 

ମାନନୀୟା ମିସେସ୍ ଦାସ,

 

ଆପଣ ଚିଠି ଖଣ୍ଡିକ ପଠାଇ କେବଳ ମୋ ମୁଣ୍ଡଉପରେ ଭାବନାର ପେଡ଼ିଟିଏ ଥୋଇ ଦେଲେ । ଆପଣ ଯାହା ଲେଖିଛନ୍ତି ମୋ ମନକୁ ଖୁବ୍‌ଗଲା, କିନ୍ତୁ ଆପଣଙ୍କର ଭାଇ ଯାହା ମୋ ଉପରେ Demand କରିବେ ମୋ ପରି ଗରିବ କ’ଣ ତାହା ସବୁ ଦେଇ ପାରିବ ? ହଁ ମୁଁ ଦେବି କିନ୍ତୁ ଅମୋର ସକ୍ଷ ମୁତାବକ । ଆପଣଙ୍କ ପାଖରେ ମିନି ପାଠ ପଢ଼ିଛି, କେତେ ହଇରାଣରେ ତାହା ସବୁ ଜାଣନ୍ତି । ମିନିଠାରୁ ମଧ୍ୟ ମୋ କଜେଲ ପଢ଼ା ଅବସ୍ଥା ଜାଣିଥିବେ । ଘର ଖଣ୍ଡିଏ ନାହିଁ, ତିଆରି କରିବାକୁ ଇଚ୍ଛା ଥିଲେ ମଧ୍ୟ ନିଜର ଲୋକ କେହି ନାହିଁ କରିବାକୁ । ଏପରି ଅବସ୍ଥା ମୋର,ହେଉ ଆପଣ ଭାଇଙ୍କ ପାଖକୁ ଓ ବାପା, ବୋଉଙ୍କ ପାଖକୁ ଲେଖି ଜଣାନ୍ତୁ, ସେମାନଙ୍କ ମତ କ’ଣ ? ମିନି ତ ଆପଣଙ୍କ ଭଉଣୀ, ଆପଣ ଯାହା କରିବେ ସେଥିରେ ମୋର କୌଣସି ଅପତ୍ତ ନାହିଁ । ମୁଁ ତ ଆସି କଟକ ଠାରୁ ସୁଦୂର ମଫସଲରେ ଚାକିରି କରିଛି, ମିନିର ଖବର ବୁଝି ପାରୁ ନାହିଁ । ମିନିଠାରୁ ଯଦି ଓ ଶୁଣିଛି ତଥାପି ତାର ସାଥିମାନଙ୍କ ଠାରୁ ଶୁଣିଛି । ସେ କହୁଛି ବିବାହ ନକରି ଚିରକୁମାରୀ ବ୍ରତ ଅବଲମ୍ବନ କରିବ । କିନ୍ତୁ ସେ ସବୁ ତାର ପିଲାଳିଆ କଥା । ଯାହା ହେଉ ଏହାର ଉତ୍ତର ଶୀଘ୍ର ଲେଖିବେ । ମୋର ଏଥି ଭିତରେ କଟକ ମଙ୍ଗଳାବାଗ ଥାନାକୁ ବଦଳିହେବାର ଅଛି, ଯଦି ଯାଏ ଭଲ ହେବ । ଇତି ।

 

ଆପଣଙ୍କ

ବସନ୍ତ

 

ଚିଠି ଖଣ୍ଡିକ ଡାକରେ ପକାଇ ଆଉ ନିଶ୍ଚନ୍ତିରେ ବସି ପାରିଲି ନାହିଁ । ସବୁ ସମୟରେ ମିନିର ବିଭାଘର ମୋର ଆଖି ଆଗରେ ନାଚିବୁଲିଲା ସମୟରେ ସମୟେ ମନରେ ସୁଖ ଆସେ ଦୁଃଖମଧ୍ୟ ଆସେ । ଭାବେ ମିନି ବିଭା ହୋଇଗଲେ ତା ଭାଗ୍ୟ ନେଇଯିବ । କିନ୍ତୁ ପରକ୍ଷଣରେ ଭାବେ ମିନି ମୋର ଗୋଟିଏ ଭାଇ ପରିଥିଲା । ସବୁକାର୍ଯ୍ୟରେ ସାହାଯ୍ୟ କରୁଥିଲା ମୋତେ । ମିନିଗଲେ ମୁଁ ଏକା । ଗୋଟିଏ ବଂଶରେ ଏକା ମୁଁ । ମୁଁ ଜଣେ ତାରଇଚ୍ଛା ନୁହେଁ ଏକାକରି ଦେବାକୁ ମତେ । ପ୍ରଥମେ ମୋର ବିଭାଘର ସାରିଲେ ତାର ଇଚ୍ଛା ପରେ ବିବାହ କରିବାକୁ । କି ଭାଗ୍ୟରେ ତା’ର ଭଉଣୀ ମୋ ପାଖରେ ଜୋଟିଥିଲା କେଜାଣେ ? ଯେତେବେଳେ ମନେପଡ଼େ ମିନି ଆଉ ଅଳ୍ପ ଦିନପରେ ମୋ ପାଖକୁ ଅନ୍ତର ହୋଇଯିବ ଏକାଥରେ ମୁଁ ଛୋଟାହୋଇ ପଡ଼ିବି, କାନ୍ଦ ମାଡ଼େ ଆଉକିଛି ଭାବିପାରେ ନାହିଁ । ଛୋଟ ପିଲାଟି ଦିନରୁ ମୋରି କୋଳରେ ବଢ଼ି ଆସିଛି ସେ । ଆଜି ତାକୁ ଊଣେଇଶି ବର୍ଷ ବୟସ । ଦିନେ ହେଲେ ମୋ ମୁହଁକୁ ଅନାଇ କଥା କହିନାହିଁ, କିନ୍ତୁ ମନେପଡ଼େ ମାଆ ଯାହା କହୁଥିଲା ତାହା ପୂର୍ଣ୍ଣ କରିବି । ମା’ ମୋର ଅଧା ସ୍ଵର୍ଗରେ ରହି ତାର ବିଭାଘର ଦେଖି ଖୁସି ହେବ । ଆମ ମୂର୍ଖ ଗ୍ରାମବାସୀମାନଙ୍କୁ ଗୋଟାଏ ଆଦର୍ଶ ଦେଖାଇ ଦେବି । ଯେପରିକି ସେମାନେ ନିଜମୁହଁରେ ନିଜେ କାଳି ବୋଳି ହେବେ । ଆମ ଗ୍ରାମର ଯେଉଁ ମୁଖିଆମନେ ମୋ ନାଁରେ ଓ ମୋର ଭଉଣୀ ନାମରେ ଯେଉଁ କୁତ୍ସାରଟନା କରୁଛନ୍ତି ଦେଖିବି ଯଦି ଭଗବାନଙ୍କ ଦୟାରୁ ବିଭାଘରଟା ହୋଇଯାଏ । ଏହିପରି ଅନେକ କଥା ମୋର ମସ୍ତିଷ୍କକୁ ଆଲୋଡ଼ିତ କରୁଛି, ପ୍ରାୟ ସନ୍ଧ୍ୟାବେଳ, ଏହି ସମୟରେ ନୋଟିସ୍ ପାଇଲି ଯେ ଥାନାରୁ ନଅମାଇଲ ଦୂରରେ ଗୋଟିଏ ଚୋରିକେସ୍ ଇନ୍‌କ୍ଲାରି କରିଯିବାକୁ ହେବ । ତେଣୁ ପୂଝାରିକୁ ଶୀଘ୍ର ରୋଷେଇ କରିବାକୁ କହିଲି, ଖାଲି ଭାତ ଡାଲିଟିକେ କରିଦେଲା । ଦି’ଟା ଖାଇ ଦେଇ ପୂଝାରିକୁ ବସରେ ଛାଡ଼ି ଚାରିଜଣ କନେଷ୍ଟବଲ ଓ ମୁଁ ସାଇକେଲ ଧରି ବାହାରିଲୁ । ବରପଦାରେ ପହଞ୍ଚିଲା ବେଳକୁ ରାତିପ୍ରାୟ ଦଶଟା ରାସ୍ତା ଟିକେ ଭଲ ଥିବାରଟୁ କଷ୍ଟ ହେଲା ନାହିଁ—ଜହ୍ନରାତି ଥିଲା ।

 

ତାହାର ମାସକ ପରେ, ଭାଗ୍ୟକୁ ମୋର କଟକର ମଙ୍ଗଳବାଗ ଥାନାକୁ ବଦଳି ହୋଇଛି । ସେଠାରେ ମୋର କାର୍ଯ୍ୟ କରିବାର ପନ୍ଦରଦିନ ହୋଇଗଲାଣି । ଅନେକ ମୋର କାର୍ଯ୍ୟ କରିବାର ପନ୍ଦରଦିନ ହୋଇଗଲାଣି । ଅନେକ ମୋର ସାଙ୍ଗପିଲା ଦେଖା ହୁଅନ୍ତି । ଯେତେବେଳେ, ଖୁବ୍ ହସ ଖୁସିରେ ବେଳ କଟିଯାଏ, ଭାବେ ମିନିକୁ ଆଣି ମୋ ବସାରେ ରଖିବି । ତାହାର ସ୍କୁଲ ଟାଇମ୍‌କୁ ସେ ଯାଇ ସ୍କୁଲରେ ପହଞ୍ଚିବ । ତାର ପରକ୍ଷଣରେ ଭାବେ ନା ଯୁବତୀ ଭଉଣୀକୁ ମୋ ପାଖରେ ରଖିଲେ ଲୋକେ ମୋର ଭଉଣୀ ନ ଭାବି ଅନ୍ୟ ପ୍ରକାର ଭାବିବେ । ଆଉ ମଧ୍ୟ ମୁଁ ତ ସବୁ ସମୟରେ କଟକରେ ରହିପାରୁ ନାହିଁ, ବଦଳି ଚାକିରି—ଯଦି ଆଉ ଜଣେ କେହି ତା’ ସାଙ୍ଗକୁ ଯୋଟନ୍ତା ତେବେ ତାକୁ ଆଣିଲେ କିଛି ଅସୁବିଧା ହୁଅନ୍ତା ନାହିଁ । କିଛି ଭାବି ସ୍ଥିର କରି ପାରିଲି ନାହିଁ-। ସେ ଦିନ ରବିବାର ଥାଏ । ଭାବିଲି ମିସେସ୍ ଦାସଙ୍କ ସହିତ ଟିକେ ସାକ୍ଷାତ କରିବି । ଆଉ ମିନି ଓ ମିରାଙ୍କୁ କହି ଆସିବି ଯେ ମୁଁ କଟକ ବଦଳି ହୋଇ ଆସିଛି ବୋଲି । ଗାର୍ଲସ୍କୁଲ ଭିତରକୁ ଯିବା ତେବେ ସହଜ ନୁହେଁ, ଫାଟକ ପାଖରେ ଛିଡ଼ା ହୋଇ ମିନି ପାଖକୁ ଖଣ୍ଡିଏ ଲେଖି ପଠାଇଲି-। ସେ ମୋର ପରିଚୟ ଦେଇ ଭିତରକୁ ଯିବାକୁ ଅନୁମତି ଆଣିଲା । ସେ ଦିନ ରହିବାର ଥାଏ ବୋଲି ପିଲାମାନେ ସିନେମା ଦେଖି ବାହାରିଥାନ୍ତି । ମିନି ମଧ୍ୟ ବାହାରିଛି । ମୋତେ ଦେଖି ମିନି ଓ ମିରାଙ୍କର ସିନେମା ଦେଖା ସ୍ଥଗିତ ହେଲା । ଅନ୍ୟ ପିଲାମାନେ ମାର୍ଟିନ ସେ ଅଟେଣ୍ଡ୍ର କରିବାକୁ ଚାଲିଗଲେ । ମିନି ଓ ମିରାଙ୍କୁ ସେମାନଙ୍କୁ ରୁମକୁ ବିଦାକରି ମିସେସ୍ ଦାସଙ୍କ ପାଖକୁ ସାକ୍ଷାତ ପାଇଁ ଗଲି । ଯାଇ ଦେଖେତ ତାଙ୍କର ଦୁଇଜଣ ସାଥି ଓ ସେ ନିଜେ ଜଣେ କଣ କଥା ଭାଷା ହେଉଛନ୍ତି-। ପାଞ୍ଚମିନିଟ ସେଠାରେ ଛିଡ଼ା ହୋଇ ଯାହାକି ଶୁଣି । ମିସେସ୍ ଦାସ ତାଙ୍କ ଭାଇଙ୍କ ସହିତ, ମିନିର ବିଭାଘର ପ୍ରସ୍ତାବ ଖୁବ୍‍ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ମଝିରେ ମଝିରେ ମିନିର ଖୁବ୍‍ ପ୍ରଶଂସା ମଧ୍ୟ କରୁଛନ୍ତି । କେତେକେତେ ତାଙ୍କର କଥାବାର୍ତ୍ତା ସାରିବାକୁ ପଦାକୁ ଆସି ଦେଖନ୍ତି ତ ମୁଁ ଛିଡ଼ା ହୋଇଛି । ଓଃ ନମସ୍କାର ଆପଣ କେତେବେଳକୁ ଏଠାରେ ଛିଡ଼ା ହୋଇଛନ୍ତି, ଭିତରକୁ ଗଲେ ନାହିଁ, କହିଲେ ମିସେସ୍‌ଦାସ । ପ୍ରତି ନମସ୍କାର ଜଣାଇ କହିଲି ଭାବିଥିଲି ଯିବାକୁ, ମାତ୍ର ସେଟା ମୋର ମୋର ଅନଧିକାରଚର୍ଚ୍ଚା ହୋଇଥାନ୍ତା । ତାଙ୍କର କୋଠରିକୁ ନେଇ ବସିବାକୁ ଖଣ୍ଡେ ଚୌକି ଦେଖାଇ କହିଲେ—ଆପଣ ଟିକେ ବସନ୍ତୁ, ମୁଁ ସେମାନଙ୍କୁ ବିଦାୟ ଦେଇଆସୁଛି, କହି ମିସେସ୍ ଦାସ ଚାଲିଗଲେ ।

 

ପ୍ରାୟ ପାଞ୍ଚମିନିଟ ଫେରିଆସି ପଚାରିଲେ ଆପଣ ବର୍ତ୍ତମାନ କେଉଁଠି ?

 

ମୁଁ କହିଲି ଏହି କଟକକୁ ପନ୍ଦରଦିନ ଦେବ ବଦଳି ହୋଇଆସିଛି ।

 

ମିଓ ଦାସ—କ’ଣ ପନ୍ଦର ଦିନ ହେବ ଆସିଲେଣି ଏ ଆଡ଼କୁ ଟିକେ ଆସି ପାରୁନାହାନ୍ତି-?

 

ମୁଁ—କ’ଣ କରିବି ଭଉଣୀ ଆପଣଙ୍କ ପରିତ ବସିବାକାମ ଆମର ନୁହେଁ ? କେତେଆଡ଼କୁ ମଥା ଖେଳାଇବାକୁ ପଡ଼ୁଛ ଏଥିମଧ୍ୟରେ ମୁଁ ମଧ୍ୟ ମିନି ସହିତ ସାକ୍ଷାତ କରିବାକୁ ଆସ ପାରି ନାହିଁ । ଆଜି ଆସି ତାଙ୍କର ସିନେମା ଦେଖା ବନ୍ଦ କଲି ।

 

ମିଃଦାସ—ଆପଣ ଚିଠି ଖଣ୍ଡକ ପଠାଇଥିଲେ ତାହା ପଢ଼ି ମୋତେ କାହିଁକି ଖୁବ୍ ହସ ମାଡ଼ିଲା । ଆପଣ ଯାହା ଲେଖିଥିଲେ ସେଥିପାଇଁ କୌଣସି ଚିନ୍ତା କରିବେ ନାହିଁ । ମୁଁ ବାପା ବୋଉ ଓ ଭାଇଙ୍କଠାରୁ ସେମାନଙ୍କର ମତାମତ ବୁଝିଛି । ଆପଣ ଜାଣନ୍ତି ନାହିଁ । ବାପା ଓ ବୋଉ ଏଥିମଧ୍ୟରେ ପୁରୀ ଯାଇଥଲେ, ଫେରିବା ସମୟରେ କଟକରେ ଚାରିଦିନ ରହିଗଲେ । ତା’ ଭିତରେ ମିନିକୁ ଦେଖି ଭାରି ଖୁସି ହୋଇ ଯାଇଛନ୍ତି । ମିନି ଏତେ ଗୁଢ଼ ରହସ୍ୟ ଜାଣେନା । ଭାଇ ମଧ୍ୟ ରେଭେନ୍ସା କଲେଜକୁ ବଦଳି ହୋଇ ଆସିଛନ୍ତି । ମିନିକୁ ଦେଖି ତାଙ୍କର ମଧ୍ୟ ପସନ୍ଦ ହୋଇଛି-

 

ମୁଁ—ଦେଉ ଆପଣଙ୍କର ଯାହା ଇଚ୍ଛା !

 

ମିଃଦାସ—ଇଚ୍ଛାକଣ ? ଆଜିହେଲା ବୈଶାଖର ତେର । ସତେଇଶରେ ଗୋଟାଏ ଲଗ୍ନ ଅଛି । ସେହି ସେହିଥିରେ ବିଭାଘର ହେବ ।

 

ମୁଁ ଏତେ—ଶୀଘ୍ର ?

 

ମିଃଦାସ— ଯେତେଶୀଘ୍ର ହେବ ଭଲ ।

 

ଆଉବି କହି ପାରିଲି ନାହିଁ ମନେ ମନେ କାନ୍ଦ ମାଡ଼ୁଥାଏ କହିଲି ହେଉ ଚିଠି ଲେଖନ୍ତୁ ।

 

ମିଃଦାସ—ବାପା ବୋଉଙ୍କର ଇଚ୍ଛା ଆଜି ଯଦି ଗୋଟାଏ ଲଗ୍ନଥାନ୍ତା ତେବେ ବିଭା ଘରଟା ସରିଯାନ୍ତା

 

ମୁଁ କହିଲି ଯାଉଛି ଓ ମିରା ସିନେମା ଦେଖି ବାହାରିଥିଲେ । ମୁଁ ମଧ୍ୟ ମଫସଲରେ ଥିଲି ଅନେକଦିନ ହେବ ଯାଇନି । ସେମାନଙ୍କୁ ସାଙ୍ଗରେ ନେଇ ଟିକେ ଯିବି ସିନେମା ଦେଖି ।

 

ମିଃଦାସ—ହଁ ଆଉ ଗୋଟିଏ କଥା, ଆପଣ ଥିଲେ ଭାଇଭଉଣୀ ଦୁଇ ଜଣ । ମିନି ଆମଘରକୁ ଚାଲିଗଲେ ଆପଣତ ଏକୁଟିଆ ରହିଗଲେ । ଆଚ୍ଛା ମୁଁ ଜଣଙ୍କୁ ଆପଣଙ୍କ ପାଖକୁ ଦେବି, ଗ୍ରହଣ କରିବେ କିନା ଉତ୍ତର ଦିଅନ୍ତୁ ।

 

ମୁଁ—ଆଶ୍ଚର୍ଯ୍ୟ ହୋଇ ପଚାରିଲି । ପ୍ରଥମେ ନ ଦେଖିଲେ ଓ ନଜାଣିଲେ ତ ଗ୍ରହଣ କରି ହେବ ନାହିଁ ?

 

ମିଃଦାସ—ନା ସେ ସବୁ କିଛିନୁହେଁ, କଟକରେ ତ ରହିଲେଣି ସବୁଦିନେ ସିନେମା ଦେଖିବାର ସାଥି ।

 

ମୁଁ—ମୋର ସେ ସବୁ କିଛି ଦରକାର କରେନା ।

 

ମିଃଦାସ—ସେ କଥା କହିଲେ ଚଳିବ ନାହିଁ । ତାଙ୍କର ସମସ୍ତ ବନ୍ଦୋବସ୍ତ ମୁଁ କରିସାରିଛି ।

 

ମୁଁ—ସେ ଲୋକ କିଏ ? ପଚାରିଲି ।

 

ମିନିକୁ ଛାଡ଼ି ଆଉଜଣେ ଯେ ଆପଣଙ୍କ ସହିତ ସିନେମା ଦେଖିଯିବେ, କହିଲେ ମିସେସ ଦାସ । ବୁଝିପାରି ହସିଲି କେବଳ । ମିନିତ ତାଙ୍କୁ ଅନେକ ଦିନରୁ ନୂଆବୋଉ ଡାକି ଆସୁଛି । ଆମ Staff ର ମଧ୍ୟ ସେ ନୂଆବୋଉ । ଏଥି ମଧ୍ୟରେ ମିରାର ବାପା ପୁରୀର ପୋଲିସ ସୁପରିନ୍‌ଟେଣ୍ଡେଣ୍ଟ କଟକ ଆସି ଝିଅଙ୍କୁ ତାଙ୍କର ସାକ୍ଷାତ କରିବାକୁ ଆସିଥିଲେ; ତାଙ୍କ ମାଆ ମଧ୍ୟ ଆସିଥିଲେ । ମିରାର ମାଆଙ୍କ ଆଗରେ ଆପଣଙ୍କ ସମ୍ବନ୍ଧନେଇ ପ୍ରସ୍ତାବ ପକାଇଛି ବୋଲି ଶୁଣି ଖୁସି ହେଲେ । ତାଙ୍କର ଇଚ୍ଛା ମିରା ଚାକିରି କରିବ ନାହିଁ । କିନ୍ତୁ ତମର ଅବାଧ୍ୟ ମିନି ଯେପରି ଢଙ୍ଗ ଧରିଛି, ମିରା ମଧ୍ୟ ସେହିପରି । ହେଉ—ମିନି ଚାଲିଗଲେ ମିରାର ବିଦାୟ ତା’ ପରେ ପରେ ।

 

ଆପଣ କିପରି ପ୍ରସ୍ତାବଟା ପକାଇଦେଲେ ମୋତେ ନ ପଚାରି ? ମୁଁ ତ ବର୍ତ୍ତମାନ ବିବାହ କରିବାକୁ ଚାହେଁ ନା, କହିଲି ମୁଁ ।

 

ଆପଣଙ୍କ ଉପରେ ମୋର ଅଧିକାର ଅଛି ବୋଲି ପ୍ରସ୍ତାବଟା ପକାଇବାକୁ ସାହସ କଲି-। ପୁଣି ଜଣେ ଭଦ୍ର ଲୋକର ଝିଅ ବାମରେ ଆମେ ବଦନାମ ଦେଇ ସାରିଲୁଣି । ସେ ଯାହା ହେଉ ଆପଣଙ୍କୁ ବିବାହ କରିବାକୁ ହେବ କହିଲେ ମିସେସ୍ ଦାସ ।

 

କେବଳ ହସିଦେଇ ବାହାରିଲି ମିନିପାଖକୁ । ମୋର କଟକ ବଦଳି ହୋଇ ଆସିବା କଥା ତାଙ୍କୁ କହିଲି । ସେତେବେଳେକୁ ରାତି ସାତଟା ବାଜିଥିଲା । କହିଲି ମିନି ସିନେମା ଦେଖିବାକୁ ବାହାରିଥିଲୁ ଆ ଯିବା । ମୋ କଥାକୁ ମିରା ଅନୁମୋଦନ କଲା ।

 

ବାହାରିଲୁ—ଆସିବା ସମୟରେ ମିସେସ ଦାସଙ୍କୁ ଅନୁରୋଧ କଲି ଆସିବାକୁ । ତାଙ୍କର କାର୍ଯ୍ୟଥିବାରୁ ଆସିବାକୁ ମନାକଲେ । ଖଣ୍ଡିଏ ବଗିକରି ବସିଲୁ ଆମେ ତିନିଜଣ । ପଚାରିଲି, ମିରାଦେବୀ ଆପଣଙ୍କର କେସଟା କଣ କୁହନ୍ତୁ ବୁଝି ଦେବା ।

 

କି କେସ୍ ? ପଚାରିଲା ମିରା ।

 

କହିଲି ଯେଉଁ କେସ କଥା ପାଖକୁ ଚିଠିରେ ଲେଖିଥିଲା । ବୁଝିପାରି ହସିଲା, କହିଲା କ’ଣ ଏହି ରାସ୍ତାରେ ସେପରି କେସ ବୁଝାଯାଏ । ମିନି ବୁଝି ପାରି କହିଲା—ସେ କେସ୍ ସବୁ ବୁଝାଯାଏ ବେଦୀ ଉପରେ, ଯେତେବେଳେ ଦୁଇହାତ ଏକାଠି ହୁଏ ।

 

ମିରା ପେଲି ଦେଲା ମିନିକୁ । କେବଳ ବସିଥାଏ ମୁଁ । ମିନିଥିଲା ବୋଲି ଆଉ କିଛି ଉତ୍ତର ଦେଇ ପାରିଲି ନାହିଁ । କ୍ରମେ କୋଚମ୍ୟାନ୍ ନେଇ ବଗିଟା “କ୍ୟାପିଟାଲ” ଆଗରେ ଛିଡ଼ାକରି ଦେଲା । ତାକୁ ପଇସା ଦେଇ ସିନେମାହଲ ଭିତରକୁ ଗଲୁ । ‘କିସମତ’ ବହିଥିବାରୁ ଅନେକ ଲୋକ ଆସିଥାନ୍ତି ଟିକେଟ କରିବା କଥା ହେଲା ମୁସ୍କିଲ । କୌଣସି ମତେ ଫାଷ୍ଟକ୍ଳାସ୍‍ ଟିକେଟ ତିନିଖଣ୍ଡ ଆଣି ହଲ ଭିତରକୁ ଯାଇ ତିନୋଟି ସିଟ୍‌ରେ ବସଲୁ ।

 

ଜାଣେ ନା ଜାଣେ ଭଦ୍ରଲୋକ ଆମ ପାଖସିଟ୍‌ରେ ବସି ଆମରି ଆଡ଼କୁ ବାରମ୍ବାର ଚାହୁଁଥାନ୍ତି । କେତେବେଳେକେ ଦେଖିଲି ସେ ସେହିପରି ଭାବରେ ଆମ ଆଡ଼ାକୁ ଚାହୁଁଛନ୍ତି । ଖେଳ ହେବାର ଅନେକ ଡେରିଯାଏ । କିଛି ସମୟ ପରେ ମୁଁ ସେ ଭଦ୍ର ଲୋକଟିର ପରିଚୟ ମାଗିଲି ।

 

ଉତ୍ତର ଦେଲେ ତାଙ୍କ ଘର ହେଉଛି ଭଦ୍ରକରେ । ବର୍ତ୍ତମାନ ରେଭେନ୍ସା କଲେଜରେ ଜଣେ ବିଜ୍ଞାନ ପ୍ରଫେସର । ଆଉ କିଛି ପଚାରିଲି ନାହିଁ । ମିରା ମୋ ପାଖକୁ ବସିଥିଲା, ସେ ଚୁପ୍‍ଚାପ୍ ହୋଇ କହିଲା—ସେ ହେଉଛନ୍ତି ମିସେସ୍ ଦାସଙ୍କ ବଡ଼ଭାଇ । ଅନେକଥର ସେ ତାଙ୍କର ଭଉଣୀ ପାଖକୁ ଯା ଆସ କରନ୍ତି ମୁଁ ଦେଖିଛି । ଏତିକି କହି ଚୁପ୍ ରହିଲା ।

 

ଏଥି ଭିତରେ ଖେଳ ଆରମ୍ଭ ହୋଇଗଲା । ଆଉ କାହିଁକି ଖେଳଟା ମୋତେ ଭଲ ଲାଗିଲା ନାହିଁ । ବସି ଭାବୁଥାଏ ମିନିର କି ଭାଗ୍ୟ, ସବୁ ତା’ ପାଇଁ ଜୋଟି ଯାଉଛି । ଅଥଚ ମୋତେ କିଛି ମୁଣ୍ଡ ଖେଳାଇବାକୁ ପଡ଼ୁନାହିଁ । ବରଟି ତ ଦେଖିବାକୁ ଖୁବ୍‍ ସୁନ୍ଦର, ଜଣେ ଉଚ୍ଚ ଶିକ୍ଷିତ, ଯାହାହେଉ ଏହି ମାସ ସତେଇଶ ଦିନ ବିଭାଘରଟା ଶେଷ କରିଦେବି । ଏହି ସମୟରେ ଅଶୋକ କୁମାରର “ଧୀରେ ଧୀରେ ଆରେ ବାଦଲ” ଗୀତଟା ଶୁଣି ଭାବନାଟି ଭାଙ୍ଗିଗଲା । ଭାବିଲି ଖେଳ ବୋଧହୁଏ ସରି ଆସିଲାଣି, ତାହାର କିଛି ସମୟ ପରେ Interval ହେଲା । ପଦାକୁ ଗଲି, ଏମାନଙ୍କୁ ବସାଇ ଦେଇ ସିଗାରେଟ୍ ଆଣିବାକୁ । interval ସରିଲା । କେଜାଣି କାହିଁକି ଭଲ ଫିଲ୍‌ମଟା ମୋତେ ଆଦୌ ଭଲ ଲାଗିଲା ନାହିଁ । କ୍ରମେ ଖେଳ ସରିଲା ପଦାକୁ ଆସି ଖଣ୍ଡିଏ ବଗିକରି ଆସଲି ଏମାନଙ୍କୁ ଛାଡ଼ିଦେବାକୁ ଫାଟକପାଖରେ ଛାଡ଼ିଦେଇ ସଙ୍ଗେ ଟାଉନ ବସରେ ଫେରିଲି ଥାନାକୁ ।

 

ଦିନେ ମୁଁ ଭାରି କାର୍ଯ୍ୟ ବ୍ୟସ୍ତ ଥାଏଁ । ଏହିସମୟରେ ମାଉସୀଙ୍କ ଚାକର ଆଣି ଖଣ୍ଡିଏ ଚିଠି ଦେଇଗଲା । ସେତେବେଳେ ଆଉ ପଢ଼ିବାକୁ ସମୟ ପାଇଲି ନାହିଁ । ଥାନାରୁ ବସାରୁ ଫେରିଲାବେଳକୁ ରାତି ନଅଟା । ବସାରେ ପହଞ୍ଚି ଚିଠି ଖଣ୍ଡିକ ଖୋଲିଲି ।

 

କଟକ

ମଙ୍ଗଳବାର

 

ଆୟୁଷ୍ମାନ ବସନ୍ତ,

 

ଶୁଣି ଖୁସି ହେବୁ ଯେ ଗୀତାର ବିଭାଘର ଏହି ବୈଶାଖ ମାସ ଦି୨୭ନ ଯାଜପୁର ନିବାସୀ ବୈକୁଣ୍ଠ ପଟ୍ଟନାୟକଙ୍କ ମଧ୍ୟମ ପୁତ୍ର ଶ୍ରୀମାନ ସାଧୁଚରଣଙ୍କ ସଙ୍ଗରେ ଅନୁଷ୍ଠିତ ହେଉଛି । ବୈକୁଣ୍ଠ ବାବୁ ଯାଜପୁରର ଜଣେ ଓକିଲି ତଥା ମସ୍ତବଡ଼ ଜମିଦାର । ତାଙ୍କର ପୁଅ ଆଇ. ଏ. ପାସ କରିଛି । ମଉସା ତାଙ୍କଘର ଦେଖିବାକୁ ଯାଇଥିଲେ । ସେହିଦିନଠାରୁ ତାଙ୍କ ଭାରି ଇଚ୍ଛା ସେଠାରେ ତାର ବିଭାଘର କରିବାକୁ । ଥରେ ଆସି ବୁଲିଯିବୁ, ମିନିର ଖବର ମୁଁ ଆଉ କିଛି ପାଉନାହିଁ । ଗୀତାର ବିଭାଘରକୁ ମିନିକୁ ବାଧ୍ୟ କରିବି କିଛିଦିନ ଛୁଟି ଆଣି ଆମ ଘରେ ରହିବାକୁ । କଟକରେ ଅଛୁ ଥରେ ଆସି ମୋତେ ସାକ୍ଷାତ କରିବୁ । ଇତି

 

ତୋର ମାଉସୀ

 

କାର୍ଯ୍ୟ ବ୍ୟସ୍ତ ଥିବାରୁ ଚିଠିଖଣ୍ଡି ପଢ଼ି ରଖିଦେଲି । ସେହିଦିନ ରାତିରେ ଗୋଟାଏ ଚୋର ଜଣେ ମାରୁଆଡ଼ି ଘରୁ ଦଶହଜାର ଟଙ୍କା ଚୋରିକରି ପଳାଇ ଯାଇଛି । ସେହି କେସ୍‌ଟା ମୋ ହାତକୁ ଆସିଲା ସେ ଲୋକ ମାରୁଆଡ଼ି ଦୋକାନରେ ଚାକିରି କରିଥିଲା । ତା’ ଘର ଜଗତସିଂହପୁର-। ତେଣୁ ମୋତେ ସେହିରାତି ମଟରରେ ଜଗତସିଂହପୁର ଯିବାକୁ ହେଲା । ଚାରିଦିନ ରହି ଚୋରକୁ ଧରି ଫେରିଲି କଟକ । ଆଉ ଗୋଟଏ କେସ୍ ନେଇଥିଲି ସେଥିରେ ମଧ୍ୟ ନାମ ହୋଇଛି-। ଚାରିଦିନ ପରେ—ଠିକ୍ ସନ୍ଧ୍ୟାଦେବାକୁ ଦଶ ପନ୍ଦର ମିନିଟ ବାକି ଥାଏ । ସେଦିନ ଥାନାରେ କିଛି କାମ ନ ଥିବାରୁ ବସାକୁ ଯାଇ ଖଣ୍ଡିଏ “ଡିକେକ୍ଟିଭ” ନଭେଲ ବସି ପଢ଼ୁଛି, ଦେଖିଲି ଖଣ୍ଡିଏ ବଗି ଆସି ମୋର ବସା ଦୁଆରେ ଛିଡ଼ା ହେଲା । ଚାହିଁଥାଏ, ମିସେସ୍‍ଦାସ ବଗିରୁ ଓହ୍ଲାଇ ଆସିଲେ । ନ ଦେଖିଲ ପରି ବହିକୁ ଚାହିଁ ରହିଲା । ନମସ୍କାର କହି ମିସେସ୍‍ ଦାସ ଘର ଭିତରକୁ ପଶିଆସିଲେ-। ଖଣ୍ଡିଏ ଚୌକି ଦେଖାଇ ଦେଲି ବସିବାକୁ, ଆସିବାର କାରଣ ପଚାରିଲି ।

 

ମିସେସ୍ ଦାସ କହିଲେ ଆପଣଙ୍କ ପାଖକୁ ଗୋଟିଏ ଜରୁରି କାର୍ଯ୍ୟରେ ଆସିଛି । ଆଜି ବାପା ଓ ବୋଉ ଭାଇଙ୍କ ବିଭାଘର ଶେଷକଥା ଛିଡ଼ାଇବାକୁ ଆପଣଙ୍କ ପାଖକୁ ଆସିଛନ୍ତି । କାରଣ ଆଜି ମାସର ତେରଦିନ, ଆଉ ରହିଲା ମାତ୍ର ଦିନ ଚୌଦଟା । ସତେଇଶ ପରେ ଆଉ ଲଗ୍ନ ନାହିଁ । ସେମାନେ ଭାଇଙ୍କ ବସାରେ ବର୍ତ୍ତମାନ ଅଛନ୍ତି, ଆପଣ ବର୍ତ୍ତମାନ ମୋ ସହିତ ଚୁଲାନ୍ତୁ । ପଚାରିଲି, ତମ ଭାଇଙ୍କ ବସାଟା କେଉଁଠି ?

 

ଉତ୍ତର ଆସିଲା—ଚାଉଳିଆ ଗଞ୍ଜରେ । କିଛି ନ ବୁଝି ଲୁଙ୍ଗିଟା ପାଲଟି ପକାଇ ଆସି ବସିଲେ ବଗିରେ । ବଗି ଯାଇଁ ପହଞ୍ଚିଲା ତାଙ୍କ ବସାରେ । ମିସେସ୍ ଦାସଙ୍କ ବାପା ଓ ମାଙ୍କୁ ଦେଖିନଥିଲି । ଦାସ ତାଙ୍କ ସହିତ ପରିଚୟ କରାଇ ଦେବାରୁ ନମସ୍କାର ହେଲି । ସେମାନେ ମୋତେ ଦେଖି ଖୁବ୍‍ ଆନନ୍ଦ ହେଲେ । ମିଃ ଦାସଙ୍କ ମା’ ପଚାରିଲେ ଆମେ ଯେଉଁଥି ପାଇଁ ଆସୁଛୁ ତୁମେ ବୋଧହୁଏ । ଜାଣିଥିବ । ହଁ ସବୁକଥା ଜାଣେ, କିନ୍ତୁ..... ଆଉକିଛି କହି ପାରିଲି ନାହିଁ । ଗୁନ ବାବୁ (ଦାସଙ୍କ ବାପା ) କହିଲେ ଆଉ କିନ୍ତୁ କ’ଣ ? ଆଉ ଭାବିବା କିଛି ଦରକାର ନାହିଁ । ଝିଅଠାରୁ ସବୁକଥା ଶୁଣିଛି । ସେ ସବୁ ବିଷୟରେ ତୁମକୁ ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ । ହଁ ଗ୍ରାମରେ ତମର ଭଲ ଘର ନାହିଁ କାର୍ଯ୍ୟ କରିବାକୁ ପଡ଼ିବ ନାହିଁ । ହଁ ଗ୍ରାମରେ ତମର ଭଲ ଘର ନାହିଁ କାର୍ଯ୍ୟ କରିବାକୁ । ଭଲକଥା ଆମ ତରଫରୁ ତ କିଛି Objection ହେବନାହିଁ । ଛୁଅଲୋକ ଏତେ ମୁଣ୍ଡ ଖେଳାଇବା ଦରକାର ନାହିଁ । ଏହି କଟକରେ ବଙ୍ଗାଳୀସାହିରେ ହେମନ୍ତର (ବୁଢ଼ାରପୁଅ) ମାମୁଁ ଘର, ସେଠାରେ ଆମ ତରଫର ସମସ୍ତ କାର୍ଯ୍ୟ ହେବ । ଭଦ୍ରକରେ ହେବନାହିଁ, ତମର ତ ବସାଅଛି-। ଏଠାରେ ଠିକ୍‌ ହେବ । ଆମେ ସେତେ ଆଡ଼ମ୍ବରରେ ଯିବୁନାହିଁ ଅଳ୍ପକେତେ ଜଣ-। ଯୌତୁକ କଥା ଭାବୁଥିବ—ମୁଁ ତାକୁ ଘୃଣାକରେ । ସେ ସବୁ କିଛି ଦରକାର ନାହିଁ, କେବଳ ମୁଁ ଚାହେଁ ମୋର ଉପଯୁକ୍ତା ପୁତ୍ରବଧୂ । ତାଙ୍କର ଝିଅ କହି ପକାଇଲେ—ସେସବୁ କଥା କିଛି ଭାବିବାକୁ ପଡ଼ିବନାହିଁ ଆପଣଙ୍କୁ, ମୁଁ ମୋର ଉପଯୁକ୍ତା ଭାଉଜଟିଏ ଠିକ୍ କରି ନେଇଛି ।

 

ଗୁନ ବାବୁ କହିଲେ—ବାପ ତମେ ଜାଣନା, ତମ ଭଉଣୀ ଯେତେବେଳେ ମୋର ଝିଅ ପାଖରେ ଥିଲା କୌଣସି ଛୁଟିରେ ଝିଅ ଘରକୁ ଗଲେ କେତେ ଭଲକଥା ତା’ ବିଷୟରେ କହେ । କେବଳସବୁ କଥାରେ ହ ମାରି ଆସିବାକୁ ବସିଲି । ଗୁନବାବୁ ଓ ତାଙ୍କ ସ୍ତ୍ରୀ ଖାଇବାକୁ ବାଧ୍ୟ କଲେ-। ମନମୋର ପୋଡ଼ି ଯାଉଥାଏ, କହିଲି ନାହିଁ ଆଜ୍ଞା, କ୍ଷମା କରନ୍ତୁ । ପୂଝାରି ରୋଷାଇ କରିସାରିଥିବ । ଏଆଡ଼େ ଖାଇଲେ ସେଆଡ଼େ ନଷ୍ଟ, କହି ବାହାରିଲି ଆସିବାକୁ ।

 

ସେ ଦିନ ବସାରେ ପହଞ୍ଚି ଖାଇବାରୁ କିମ୍ବା ଶୋଇବାକୁ ଆଦୌ ଇଚ୍ଛା ହୋଇ ନାହିଁ । ସଙ୍ଗେ ସଙ୍ଗେ ନିମନ୍ତ୍ରଣ ପତ୍ର ଲେଖି ଛପାଇବାକୁ ଦେଲି ଜଣେ ବନ୍ଧୁଙ୍କୁ । ଆଉ ମଧ୍ୟ ଏକମାତ୍ର ଛୁଟି ପାଇଁ ଦରଖାସ୍ତ ଲେଖି ଥାନାକୁ ଗଲି, ସେହିକ୍ଷଣି ମଞ୍ଜୁର କରୁ ଫେରିଲି ପୂଝାରି ଡାକିଲା ଖାଇବାକୁ, ସେତେବଳେ ସବୁ ଭୋକ ମୋର ଉଭେଇ ଯାଇଥାଏ । କ’ଣ ଖାଇଲି କିଛି ବୁଝି ପାରିଲି ନାହିଁ । ଯାଇ ଶୋଇ ରହି ଠିକ୍ କଲି ମୋତେ ନିଶ୍ଚୟ ଗ୍ରାମକୁ ଯିବାକୁ ହେବ ଚାଉଳ ପତ୍ର ଘରୁ ଆଣିବାକୁ । ଆଉ ମିନି ପାଇଁ ଛୁଟି ଦୁଇମାସ ଆଣି ତାକୁ କାଲି ଆଣିବାକୁ ହେବ । ଭାବି ଭାବି ଶୋଇ ପଡ଼ିଲି ।

 

ସକାଳ ହେଲା—ଦାନ୍ତ ପତ୍ର ଘସି, ପାଇଖାନା ଯାଇ ସାଇକେଲ ଖଣ୍ଡିତ ଧରି ବଜାରକୁ ବାହାରିଲି । ଗହଣା ଦୋକାନରେ ମିନି ପାଇଁ ସୁନାକାଚ, ଗୋଟିଏ ହାର, ଦୁଇଟି ମୁଦି ଓ ବରପାଇଁ ଗୋଟିଏ ହାର ଓ ମୁଦି ପାଇଁ ବଇନା ଦେଲି । ପାର୍ଲ ସାଇକଲ୍ ଷ୍ଟୋରରେ ଚାଲେ ସାଇକଲ ପାଇଁ ଶହେ ଟଙ୍କା ମଧ୍ୟ ବଇନା ଦେଲି । ଏହିପରି କେତେକ ଦରକାରୀ କାର୍ଯ୍ୟ ଶେଷକର ମିନି ପାଖକୁ ଗଲି । ମିନିକୁ ଦେଖେ ତ ତାହାର ମୁହଁ କଳା ପଡ଼ି ଯାଇଛି । ଆଉ ସେ ପୂର୍ବ ହସ ନାହିଁ, କଣ ଯେପରି ସବୁବେଳେ ଭାବୁଛି । ପ୍ରଥମେ କିଛି ତାକୁ କହି ପାରିଲି ନାହିଁ । ମିରା ଆସି ପ୍ରଥମେ କଥା ପଚାରିଲି । ମିନିର ବିଭାଘର କଥା । ମୁଁ କହିଲି, ମିନି ପାଇଁ ଦୁଇମାସ ଓ ତୁମ ପାଇଁ ପନ୍ଦରଦିନ ଛୁଟି ନେବାକୁ ଆସିଛି । ଦେଖିଲି ମିନି ଟେବୁଲ ଉପରେ ମୁହଁ ରଖି କାନ୍ଦୁଛି । ମୁଁ ଧୌର୍ଯ୍ୟ ଧରି ପାରିଲି ନାହିଁ । କେତେ କ’ଣ ମନେ ପଡ଼ି କାନ୍ଦମାଡ଼ିଲା । ମିରା ଆମ ଦୁଇଜଣଙ୍କୁ କାନ୍ଦଣାରୁ କ୍ଷାନ୍ତକଲା ଏବଂ କହିଲା ଭାଇ ଭଉଣୀଙ୍କର କଣ ଉଚ୍ଚ ଶିକ୍ଷାର ଆଦର୍ଶ ଏ । କିଛି ଉତ୍ତର ଦେଇ ପାରିଲି ନାହିଁ । ମିରାକୁ କହିଲି ତା’ପାଇଁ ଖଣ୍ଡେ ଦରଖାସ୍ତ ଲେଖିବାକୁ । ମିରା ଦରଖାସ୍ତ ଲେଖି ଦୁଇମାସ ଛୁଟି ଆଣିଲା ମିନିର ଜିନିଷ ସବୁ ମିରା ଜିମାଦେଇ ବାହାରିଲୁ । କାରଣ ଚାରିଦିନ ପରେ ଫେରିବାକୁ ହେବ । ଅକାରଣରେ ରେଳଭଡ଼ା ଦେବା କେବଳ ସାରହେବ । ମିନି ତାର ଷ୍ଟାଫମାନଙ୍କ ଠାରୁ ବିଦାୟ ନେଇ ଆସିଲା ମୋ ସାଙ୍ଗରେ ଫାଟକ ବାହାରକୁ । ମିରା ସାଙ୍ଗରେ ଆସିଲା, ଚାହିଁଥାଏ ତାର ଆଖିରେ ଲୁହ । କୌଣସି ମତେ ତାକୁ ବିଦାୟଦେଇ ବଗି ଖଣ୍ଡିଏ କରି ବସାକୁ ଫେରିଲୁ । ଚାରିଟାଗାଡ଼ିରେ ଘରକୁ ଯିବୁ । ଭାବିଥିଲ ମିନିକୁ ଗାଁକୁ ନେଇ ନଥାନ୍ତି । କିନ୍ତୁ ପଡ଼ୋଶୀମାନେ କାଳେ ମନରେ କିଛି ଖରାପ ଭାବିବେ ସେଥିପାଇଁ ତାକୁ ନବାକୁ ବାଧ୍ୟ ହେଲି ।

Image

 

ଅଷ୍ଟମ ପରିଚ୍ଛେଦ

 

ଆମେ ଭାଇଭଉଣୀ ଦୁଇ ଜଣ ଘରେ ଅଛୁ । ଏଥିମଧ୍ୟରେ ମୁଁ ମୋର ଭାଇମାନଙ୍କୁ ବିଭାଘର କଥା କହିଲି । କିଏ କିଏ ଗ୍ରାମରେ କରିବାକୁ କହିଲେ କିନ୍ତୁ ଯେଉଁମାନେ ମୋ ଦୁଃଖରେ ଦୁଃଖୀ ସେମାନେ ମୋର ଅବସ୍ଥା ବୁଝି କଟକରେ କରିବାକୁ କହିଲେ । ଧାନ ଆମର ଯାହାକି ଥିଲା ଗ୍ରାମରେ କୁଟାଇବାକୁ ଦେଇଦେଲି । ମଫସଲରୁ ଭଲ ପରିବା ଶସ୍ତାରେ ମିଳେ ବୋଲି ଆଗତୁରା ଟଙ୍କା ବଇନା କଲି । ବ୍ରାହ୍ମଣ, ଜ୍ୟୋତିଷ ଏମାନଙ୍କୁ ଖବର ଦେଲି । ଏ ସମସ୍ତ ଭାର ମୋର ଜଣେ ବିଶ୍ଵାସୀ ଲୋକର ଜିମା ଦେଇ ଦେଲି ଗ୍ରାମର ଲୋକମାନଙ୍କୁ ନିମନ୍ତ୍ରଣ କରି ତହିଁ ଆରଦିନ କଟକ ବାହାରିଲୁ । ଶୁଣିପାରୁଥାଏଁ ଗ୍ରାମର ଲୋକମାନେ କହୁଥାନ୍ତି, ଭାଇ ଭଉଣୀ ଦିଟା ଖଣ୍ଡାୟତ କୁଳରୁ ଗଲେ, ଗ୍ରାମବାସୀମାନଙ୍କୁ ଛାଡ଼ି କଟିକିଆଙ୍କୁ ଧରି ବିଭାଘର କରୁଛି । ସେମାନଙ୍କର କଥା ନ ଶୁଣି କଟକ ଚାଲି ଆସିଲୁ ।

 

ଆଉ ବିଭାଘର ରହିଲା ଛ ଦିନ । ମୋତେ ଆଦୌ ଫୁରୁସତ ନ ଥାଏ । ଏଥିମଧ୍ୟରେ ମିରାକୁ ମୋ ବସାକୁ ନେଇ ଆସିଛି । କାରଣ ମିନି ଏକୁଟିଆ କାନ୍ଦିବ ବୋଲି । ସମୟେ ସମୟେ ତାର ସହକର୍ମୀମାନେ ଆସନ୍ତି । ଯାହାହେଉ ମୋର ସାଙ୍ଗଲୋକ, ଆଉ କଟକର ଜଣା ଶୁଣା ଲୋକଙ୍କ ନିକଟଙ୍କୁ ନିମନ୍ତ୍ରଣ ପଠାଇଲି । ବିଭାଘରରେ ନିଜର ମାମୁଁଙ୍କର ଉପସ୍ଥିତ ରହିବା କର୍ତ୍ତବ୍ୟ-। କ’ଣ କରିବି ସେ ତ ରାଗିଛନ୍ତି । ତାଙ୍କର ଭଉଣୀ ମରିଛନ୍ତି । ଦେଖିବାକୁ ଟିକେ ଆସି ନାହାନ୍ତି-। କିପରି ଆସିବେ ତାହା ଭାବି ବହୁତ ଅନୁରୋଧ କରି ଚିଠି ଲେଖି ଡାକରେ ପକାଇ ଦେଲି-। ବିଭାଘରର ସମସ୍ତ ଆୟୋଜନ କଲି । କାଲି ବିଭାଘର ।

 

ଶୁଭଲଗ୍ନ ଶୁଭକ୍ଷଣରେ ବିଭା ଘରଟା ସରିଗଲା । ଜଣାଯାଉଥାଏ ସତେ ଯେପରି ମସ୍ତବଡ଼ ପର୍ବତ ମୋ ମୁଣ୍ଡ ଉପରୁ ଗଲା, କିନ୍ତୁ ମନମଧ୍ୟରେ କ୍ରୋଧ ଆସୁଥାଏ ମିନି କଥାକୁ ଭାବି । ବିଭାଘର ଦିନଠାରୁ ମିନି କଟକରେ ନାହିଁ, ତାର ଶାଶୁ ଘରକୁ କିଛିଦିନ ପାଇଁ ଯାଇଛି । କିଛି ମୋତେ ଆଦୌ ଭଲ ଲାଗୁ ନ ଥାଏ । ସେ ଦିନ ମୁଣ୍ଡଟା କାହିଁକି ଭାରି ବାନ୍ଧିଲା । ତେଣୁ ବସାରେ ଶୋଇଛି । ଏ ସମୟରେ କାଗଜବାଲା ଆଣି କାଗଜ ଦେଇଗଲା । ପ୍ରଥମେ ଆଖି ପଡ଼ିଗଲା ଗୋଟାଏ ଜାଗାରେ । ଲେଖା ଅଛି—

 

ମୋର ଝିଅ ଗୀତାଦେବୀ ଦୁଇଦିନ ହେବ କୁଆଡ଼େ ଚାଲିଯାଇଛି । ତାର ଅନିଚ୍ଛା ସତ୍ଵେ ତାର ବିଭାଘରଙ୍କ ଠିକ୍ କରିଥିଲି ଠିକ୍ ମଙ୍ଗଳପାଗ ରାତି ତିନିଟାବେଳେ କେଉଁଆଡ଼େ ପଳାଇ ଯାଇଛି । ବୟସ ପ୍ରାୟ ଅଠର, ବର୍ଣ୍ଣ ସଫା, ହାତରେ ଦୁଇଟପ ଲେଖାଏଁ ସୁନାକାଚ, କାନରେ ଇଅରିଂ, ଚଷମା ଦିଏ । ଟିକେ ଡେଙ୍ଗା, ଅଳ୍ପ ପାତଳୀ । ଯଦି କେହି ଭଦ୍ରଲୋକ ତା’ର ସନ୍ଧାନ ପାଏ ନିମ୍ନ ଠିକଣାକୁ ଖବର ଦେଲେ ମୁଁ ଚିରୋପକୃତ ହେବି । ଇତି ।

 

ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି,

ଭାଷାକୋଷଗଳି

ପୋ. ଚାନ୍ଦନୀଚୌକ, କଟକ ।

 

ଆହୁରି ମଧ୍ୟ ଲେଖାଅଛି—ମା’ ମୋର । କେଉଁଠାରେ ଅଛୁ, ଫେରିଆ, ବାପ ତୋର ଚାରିଦିନ ହେବ କିଛି ଖାଉନାହାନ୍ତି । ଏପରିକି ଜଳ ସୁଦ୍ଧା ଗ୍ରହଣ କରୁ ନାହାନ୍ତି । ଯଦି ଆମେ ତୋର ମତ ନନେଇ ଭୁଲ୍‍ କରିଅଛୁ, ତଥାପି ଆମେ ତୋର ବାପମା, ରାଗକରି ଚାଲି ଗଲୁ । କି ଲୋକଲଜ୍ଜା ଦେଲୁ କହିଲୁ ? ବାପା ତୋର ଘରୁ ବାହାରୁ ନାହାନ୍ତି କି ଆଉ ବାହାରି ପାରିବେ ନାହିଁ-। ମୁଁ ତ ତୋର ମାଆ କେତେ ଶ୍ରଦ୍ଧାସ୍ନେହ ଦିନକଠାରୁ ଆଠବର୍ଷପର୍ଯ୍ୟନ୍ତ କରିଛି ତୁ କେତେ ଅର୍ଦ୍ଦଳି କରିଛୁ ମୋର ଛାତିଉପରେ । ଦିନକର ଭୁଲ୍ ମୋର ସହି ପାରିଲୁ ନାହିଁ । ତୁତ ପାଠ ପଢ଼ିଛୁ ତାର ଫଳ କ’ଣ ଏହି ବାପ ମାଆଙ୍କୁ ପଦଦଳିତ ଲାଞ୍ଛିତ କରି ଯିବା; କେଉଁଆଡ଼େ ବାଇୟାଣୀ ମୋର କେଉଁଠି ଅଛୁ, ଫେରିଆ । ଡ୍ରାଇଭର ପ୍ରତିଦିନ ତୋତେ ମଟର ନେଇ ଏଆଡ଼େ ସେଆଡ଼େ ଖୋଜିବାକୁ ଯାଉଛି, କିନ୍ତୁ ନପାଇ ଫେରୁଛି । ତୁତ ଜାଣୁ ତୋର ଭାଇ ନାହିଁ, କେତେ ଶ୍ରଦ୍ଧାରେ ପୁଅ ପରି ବଢ଼ାଇଥିଲୁ, କ’ଣ ଆମର ଶେଷଜୀବନରେ ଦୁଃଖଦେବାକୁ ସୁନାଟା ମୋର କେଉଁଠି ଯାଇ କାହା ଆଶ୍ରିତ ହୋଇଥିବୁ, କ’ଣ କରୁଥିବୁ ଭାବିଲାବେଳକୁ କାନ୍ଦ ମାଡ଼ୁଛି, ଫେରିଆ ମୋର କୋଳକୁ ତୁ ଜାଣିନୁ ତୋର ସାଥି ମିନିର ବିଭାଘର ହୋଇଯାଇଛି ଭଦ୍ରକରେ, ସେ ଯଦି ଶୁଣିବ କ’ଣ କହିବ-। କଟକରେ ବର୍ତ୍ତମାନ ଆମ କଥା ନେଇ ହାଟ ବସିଛି । ଫେରିଆ, ଯାହା ତ ହେବାର ହେଲାଣି ତୁ ଯିବାଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ମଧ୍ୟ ଜଳସୁଦ୍ଧା ସ୍ପର୍ଶକର ନାହିଁ । ଆଉ ମଧ୍ୟ ବର୍ତ୍ତମାନଠାରୁ ପ୍ରତିଜ୍ଞା କରୁଛି ତୁ ଫେରିଆସି ମୋ ସାଙ୍ଗରେ ନ ଖାଇବା ପର୍ଯ୍ୟନ୍ତ ମୁଁ ଖାଇବି ନାହିଁ-। ଶୁଖି ଶୁଖି ମରିବି-। ତୋର ମାଆର ଶେଷ ସ୍ନେହ ରକ୍ଷାକର ଫେରିଆ ମୋ ଫେରିଆ । ଇତି-

 

ତୋର ବୋଉ

 

ଏତକ ପଢ଼ି ସାରିଲା ପରେ ଓ ମାଉସୀଙ୍କ ମର୍ମ୍ମନ୍ତୁଦ ଚିଠିପଢ଼ି କାଗଜ ଖଣ୍ଡିକ ପଡ଼ିଲା ମୋର ଅଜାଣତରେ । ଭାବିଲି ଖଚଡ଼ ଶରତର ଚକ୍ରାନ୍ତ ଏ । ଶୀଘ୍ର ଥାନାକୁ ଗଲି ଜାଣିବାକୁ ଥାନାକୁ ଏ ଖବର ଆସିଛି କିନା—ଯାଇ ଦେଖେତ ଥାନାକୁ ଖବର ଆସିଛି । ମୋ ନିଜ ହାତକୁ କେସଟା ନେଲି, ପ୍ରତିଜ୍ଞାକଲି ନିଶ୍ଚୟ C.I.D. ଭାବରେ ସେମାନଙ୍କୁ ଧରିବି । ଭାବିଲି ବର୍ତ୍ତମାନ ଯାଇ ଗୀତାର ମାଆକୁ ବୋଧକରି ଆସିବି—କିନ୍ତୁ ସେ ଯେ ମୋତେ ଦେଖିଲେ ବେଶି କ୍ରୋଧ ବଢ଼ି ହାଟଫେଲ ହୋଇଯାଇ ପାରନ୍ତି, ଏହା ଭାବି ଗଲି ନାହିଁ । କଟକରେ ଯୁବକୁ ଯୁବତୀମାନଙ୍କ ମଧ୍ୟରେ ଗୋଟିଏ ଏ ବିଷୟ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ବିଶେଷତଃ ରେଭେନ୍‌ସା କଲେଜ୍‌ରେ ବେଶି, ଯେଉଁ ଆଡ଼କୁ ଗଲି କେବଳ ଗୀତା ଓ ଶରତ କଥା କେତେ ପୁରୁଣା କଲେଜ ସାଙ୍ଗ ମଧ୍ୟ କହିଲେ, କିରେ ବସନ୍ତ ତୋର ଗୀତାଦେବୀଙ୍କୁ ତ ଚିଲ ଝାମ୍ପିନେଇ ଗଲା, ତୁ ମାହାଳିଆରେ ଏତେ ପରିଶ୍ରମ କରୁଥିଲୁ । ଲାଜରେ କିଛି କହେନା, କହେ କେବଳ ଗୀତା ମୋର କିଏ ? ଯେତେଦିନ ପାଠ ପଢ଼ାଉ ଥିଲି ତା’ ପରିବର୍ତ୍ତେ ଆଣୁଥିଲେ ଟଙ୍କା ଦିନେ ଶନିବାର କଲେଜକୁ ଯାଇ ଶରତର ସମୁଦାୟ ଠିକଣା ଓ ବାପର ଠିକଣା ଆଣି ଦେଖିଲି ଯେ ଶରତର ଘର କୁଜଙ୍ଗରେ, ମୋତେ ସେଠାକୁ ଯିବାକୁ ନିଶ୍ଚୟ ହେବ । ତାହାର ପିତାର ନାମ ବୈଦ୍ୟନାଥ ରଥ, ସେ ବ୍ରାହ୍ମଣ । ସେଦିନ ରାତି ବସ୍ ଧରିଲି । କୁଜଙ୍ଗରେ ଓହ୍ଲାଇଲି ପ୍ରାୟ ରାତି ସାଢ଼େଦୁଇ । ସେ ଦିନକ ଡାକ ବଙ୍ଗଳାରେ କୌଣସି ମତେ ରାତିଟି କଟାଇଲି, ସକାଳ ହେଲା, ନିଜର ନିତ୍ୟକର୍ମ ସାରି ଶରତର ଘରକୁ ଗଲି । ଦେଖିଲି ଘରେ ତାର ବୃଦ୍ଧ ପିତା ଓ ମାତା ବ୍ୟତୀତ ଆଉ କେହି ନାହାନ୍ତି । ଭଙ୍ଗା ଘର । ବୃଦ୍ଧକୁ ଶରତ ସମ୍ବନ୍ଧେ ପଚାରିବାରୁ ସେ କହିଲେ—

 

ସେ ଦୁଇଦିନ ହେବ ଘରକୁ ଆସିଥିଲା, ମୁଁ ଦେଖି ନାହିଁ । ଗ୍ରାମ ବାସୀମାନେ କହୁଥିଲେ ସେ କୁଆଡ଼େ ବିଭାହୋଇ ସାରିଲାଣି ସେ ଦିନ ତା’ ସ୍ତ୍ରୀକୁ ସାଙ୍ଗରେ ଧରି ଆସିଥିଲା । ଘରେ ଆସି ପହଞ୍ଚି ଖିଆ ନାହିଁ ପିଆ ନାହିଁ ବାହାରିଲା । ମା’ ତାର ଯେତେ ଅଟକାଇଲା ନ ମାନି ଚାଲିଗଲା । ସୁଟକେଶ ଭାଙ୍ଗି ତାର ମାର ଗୋଟିଏ ସୁନାର ହାର ନେଇ ଚାଲି ଯାଇଛି । ଗୋଟିଏ ମାତ୍ର ପୁଅ ଭିକ୍ଷାକରି ପଢ଼ାଉଥିଲି ମୁଁ ତାକୁ କିନ୍ତୁ, ଆମକୁ ଏ ଅବସ୍ଥାରେ ଏପରି କରି ଯାଇଛି ତାହାର ମଙ୍ଗଳ ହେବ ନାହିଁ ବାପା । ଏହା କହି ବୃଦ୍ଧ କାନ୍ଦିବାକୁ ଲାଗିଲେ, ଏବଂ ପଚାରିଲେ ଆପଣ କିଏ ? ମୁଁ କହିଲି ଶରତ ମୋର ସାଙ୍ଗପିଲା ଏକା ସାଙ୍ଗରେ ପଢ଼ୁ, ଆଉ ସେଠାରେ ଧୈର୍ଯ୍ୟଧରି ରହିପାରିଲି ନାହିଁ, ଭାବିଲି ଯଦି ଶରତ ବର୍ତ୍ତମାନ ମୋର ହାବୁଡ଼ରେ ପଡ଼ନ୍ତା.. ଭିକାରି ବ୍ରାହ୍ମଣର ସନ୍ତାନ ହୋଇ ଗୀତା ଆଗରେ ବଡ଼ଲୋକର ପ୍ରତାରଣାକରି ଆଜି ସେହି ସରଳା ବାଳିକାର ଜୀବନ ନଷ୍ଟ କରିଛି, ଆଉ ଜଳାଇଛି ନିଆଁ ଦୁଇଟି ପରିବାର ମଧ୍ୟରେ ଗ୍ରାମବାସୀମାନଙ୍କଠାରୁ ବୁଝିଲି ସେ ଗୀତାକୁ ନେଇ ଚାଲିଯାଇଛି ଖୋର୍ଦ୍ଧା, ଗ୍ରାମରେ ହାଟ କରୁଛି ଗୀତା ତାହାର ବିବାହତାସ୍ତ୍ରୀ । ବେଳ ଡେରି ନ କରି ଖୋର୍ଦ୍ଧା ଅଭିମୁଖରେ ଯାତ୍ରା କଲି । ଖୋର୍ଦ୍ଧା ସାରା ବୁଲି କୌଣସି ସଂଧାନ ନ ପାଇ ହତାଶରେ ଫେରିଲି ।

 

ଠିକ୍ ଚାରିମାସ ପରେ ମୋର ବଦଳି ହେଲା ପୁରୀର ଟାଉନ ଥାନାକୁ ଆସନ୍ତାକାଲି ପୁରୀ ଏକ୍‍ସ- ପ୍ରେସ୍‌ରେ ଯିବାକୁ ହେବ । ତେଣୁ ମିରାଠାରୁ ଓ ମିନିଠାରୁ ବିଦାୟ ନେବାକୁ ଗଲି । ମିରା ଏକଲା ଅଛି ହଷ୍ଟେଲରେ । କିନ୍ତୁ ମିନି କ୍ଳାସର ପଢ଼ାଇବା କାମସାରି ହେମନ୍ତ ପାଖକୁ ଚାଲିଆସେ । ପ୍ରଥମେ ମିଃ ଦାସଙ୍କ ପାଖରୁ କାମ ସାରିଲି ଗଲି ମିରା ପାଖକୁ । ପ୍ରାୟ ସଂଧ୍ୟାବେଳ-। ଏପରି ହଠାତ୍ ପହଞ୍ଚିବାର କାରଣ ମିରା ପଚାରିବାରୁ ସବୁ ବିଷୟ ତା’ ଆଗରେ କହିଲି-। ପୁରୀକୁ ବଦଳି ହେବା କଥା ଶୁଣି ତା’ ମନଟା ଖରାପ ହେଲାପରି ଜଣା ପଡ଼ୁଥାଏ । କହିଲି–ଭାବିବାର କିଛି କାରଣ ନାହିଁ—ତମର ଗ୍ରାମକୁ ତ ଯାଉଛି ଓ ବାପାଙ୍କ ପାଖରେ ତ ରହିବି ଆଉ ଦୁଃଖ କ’ଣ ? ନା ଦୁଃଖ କିଛି ନୁହେଁ ଯେ, —କିନ୍ତୁ—କହିଲା ମିରା ।

 

କିନ୍ତୁ ଆଉ କ’ଣ ? ପଚାରିଲେ ମୁଁ ।

 

ନା—ଆପଣଙ୍କର ତ ଭଉଣୀଟିଏ ଥିଲା ଯେ ତାକୁ ନେଇଗଲେ ନିଜେ ବି ସମୟ ସମୟରେ ଆସୁଥିଲେ, ତା’ ଆଉ... କିଛି କହି ପାରିଲା ନାହିଁ । ମୁଣ୍ଡ ତଳକୁ ନଇଁ ଦେଲା । ବୁଝିପାରିଲି, ତା’ ମନରେ କଷ୍ଟ ହୋଇଛି, ତେଣୁ କହିଲି—ମିରାଦେବୀ ଆପଣ କ’ଣ ମୋତେ କାନିରେ ବାନ୍ଧି ରଖିବାକୁ ଚାହାନ୍ତି ?

 

ଉତ୍ତର ନ ଦେଇ ବସି ରହିଲା । କହିଲି ନୀରବ ଯେ—ଗୋଟିଏ ଦୀର୍ଘନିଶ୍ଵାସ ମାରି କହିଲା—ନା ଆପଣଙ୍କ ପରି ଲୋକକୁ କ’ଣ ମୋ ପରି ବାଳିକା ବାନ୍ଧି ରଖିବାକୁ କ୍ଷମ ହୋଇପାରେ ?

 

ମୁଁ କହିଲି କାହିଁକି ନୁହେଁ ?

 

ସେଥିରେ ଅନେକ କଥା......

 

କିଛି ଉତ୍ତର ନ ଦେଇ କହିଲି ଦେଖୁଛ ତ ଶରତଟା କିପରି ଗୀତାକୁ ତାର ବିବାହ ବେଦୀ ଉପରୁ ଉଠାଇନେଇ ଚାଲିଗଲା । ଆପଣ ବୋଧହୁଏ ଜାଣିଥିବେ ଗୀତା ମୋତେ କେତେ ଭଲ ପାଉଥିଲା । ଭଲ ପାଇବାର ଶେଷ ପରିଣାମ ହେଲା ଏଇ ।

 

ଗୀତା ଯେପରି, ଦୁନିଆର ସମସ୍ତ ବାଳିକା କ’ଣ ସେହିପରି ଆପଣ ମନେ କରୁଛନ୍ତି ? କହିଲା ମିରା ।

 

କହିଲି, ହୋଇପାରନ୍ତି, ଗୀତା ତ ଶିକ୍ଷିତା ଥିଲା—ସୁନ୍ଦରୀ ଥିଲା ଆପଣମାନଙ୍କ ପରି ଜଣେ, ପରିଣାମ କ’ଣ ହେଲା ?

 

ଓଃ ଆପଣ ମୋତେ ତା’ରି ପରି ଭାବିଛନ୍ତି କହିଲା ମିରା । ଚାହିଁଥାଏ କ୍ରୋଧରେ ତାର ଧଳା ମୁଖଟି କଳା ପଡ଼ିଗଲା । ଆଖିରୁ ଗଡ଼ି ପଡ଼ିଲା ଦୁଇଟୋପା ଲୁହ ।

 

କହିଲି ମିରାଦେବୀ ମନରେ କିଛି ଭାବନ୍ତୁ ନାହିଁ । ଉପଯୁକ୍ତ ସମୟ ଦେଖି ତାର ବନ୍ଦୋବସ୍ତ କରିବି । ଏହା କହି ହାତରେ ମୋର ଗୋଟିଏ ଥିଲା ମୁଦି, ସେଥିରେ ମୋର ନାମ ଖୋଳା ହୋଇଥିଲା ତା’ ହାତରେ ପିନ୍ଧାଇ ଦେଇ କହିଲି—ଏଥର— ।

 

ମୁଦି ପିନ୍ଧାସାରିଲା ପରେ ଛୋଟପିଲାଙ୍କ ପରି ହାତଟି ମୋ ହାତରୁ କାଢ଼ିନେଲା । କହିଲି, ମିରାଦେବୀ ଚାଲନ୍ତୁ ମିନି ପାଖକୁ ଯିବା, କାରଣ କାଲି ସକାଳ ଏକ୍‍ସପ୍ରେସରେ ମୋତେ ପୁରୀ ଚାଲିଯିବାକୁ ହେବ, ସେଥିପାଇଁ ମୁଁ ଆଗତୁରା ଆପଣଙ୍କ ପାଖକୁ ଚାଲିଆସିଲ । କିଛି ନ କହି ନିଜର ଲୁଗାଜାମା ପିନ୍ଧି ବାହାରି ପଡ଼ିଲା । ମନେ ମନେ ଭାବୁଥାଏ ମିରା ତ ଏପରି ନିଜକୁ କେବେ ସଜାଏ ନାହିଁ, ଆଜି କାହିଁକି ନିଜକୁ ଗୋଟିଏ ପରିଟି ପରି ସଜାଇଛି । ତାହାରି ରୂପକୁ ଦେଖି ଚମକି ପଡ଼ିଲି । କହିଲି ଚାଲ ଆଗରେ । ଏହି ସମୟରେ ମିଃ ଦାସ କିମିତି ଆମକୁ ଦେଖିପାରି ପାଖକୁ ଆସି କହିଲେ—ବସନ୍ତ ବାବୁ ଆମର ଫିଷ୍ଟ୍ କାହିଁ ? କେଉଁଦିନ ଆପଣଙ୍କର......ସରି, ସାଙ୍ଗରେ ନେଇ ବାହାରିଲେଣି, ଆମକୁ ନିମନ୍ତା ନାହିଁ । ଚାହୁଁଥାଏ ମିରା କେବଳ ହସଦେଇ ମିଃଦାସଙ୍କ ଆଗରୁ ପଳାଇଲା ମୁଁ ମଧ୍ୟ ବିଦାୟ ନେଇ ଖଣ୍ଡିଏ ରିକ୍‌ସା କରି ବସିଲୁ ଆମେ ଦୁଇଜଣ ।

 

ମନେ ହେଉଥାଏ, ଦିନରାତି ଚାଲନ୍ତା ରିକ୍ସାଟା ଏହିପରି । ଆଗକୁ ବସା ପାଖେଇ ହୋଇଆସିଲା । ମିରା ଏଥି ମଧ୍ୟରେ ତାହାର ଖଣ୍ଡିଏ ଫଟ ମୋର ଉପର ପକେଟରେ ରଖି ଦେଇଛି ମୋତେ ଜଣା ନାହିଁ । ଫଟୋଟା ପଦାକୁ ଦିଶୁଛି ବସା ପାଖ ହେବାରୁ ମିରା ଚଟକରି ରିକ୍ସାରୁ ଓହ୍ଲାଇ ଦୌଡ଼ି ଚାଲିଗଲା ମିନି ପାଖକୁ । ରିକ୍ସାବାଲାକୁ ବିଦାୟ କରୁ କରୁ ଡେରି ହୋଇଗଲା । ଏଥି ଭିତରେ ମିରା ଗପ ଆରମ୍ଭ କରି ଦେଲା । ମୁଁ ପଦାରେ ଛିଡ଼ାହୋଇ ଶୁଣୁଥାଏ । କିରେ ମିରା, ଏତେ ରାତିରେ ? ଆଉ କିଏ ଆସିଛିକି ? ପଚାରିଲା ମିନି ।

 

କାହିଁକି ଏକା କାହିଁକି ଆସିବ ମୋର କ’ଣ ଆଉ କେହି ନାହାନ୍ତି ? ଓଃ ଗୋଟିଏ ପାଇଗଲୁ ବୋଲି ଏକା କଥା ଭୁଲି ଗଲୁ ନା ? ଆଚ୍ଛା ହେମନ୍ତ ବାବୁ କହନ୍ତି । ଏତିକି କହିଲା ମିରା-

 

ଓଃ ନନା ବୋଧହୁଏ ଆସିଛନ୍ତି ତୋ ସାଙ୍ଗରେ ନୁହେଁ କହିଲା ମିନି ।

 

କାହିଁକି ତୋ ନନା ସାଙ୍ଗରେ ମୁଁ କାହିଁକି ଆସିବି ? ଧର ମୁଁ ଯଦି କହେ ହେମନ୍ତ ବାବୁଙ୍କ ସାଙ୍ଗରେ ଆସିଛି, କହିଲା ମିରା ।

 

Unknown

ଦୂର୍ ତୋର ସେହି ପିଲାଳିଆ ଢଙ୍ଗ ଗଲା ନାହି । ରହ ଆମ ଘରକୁ ଗଲେ ତତେ ଦେଖିବି ଯେ—ଆରେ ଆରେ ଦେଖେ ତେ ଡାହାଣ ହାତଟା—ଏ ଯେ ମୋ ନନାଙ୍କ ମୁଦି ତୁ କେଉଁଠୁ ଆଣିଲୁ ? ଆଶ୍ଚର୍ଯ୍ୟରେ ପଚାରିଲା ମିନି । ମିରା କହିଲା ପଡ଼ିଥିଲା ପାଇଲି । ଓଃ ‘ନୂଆବୋହୂ’ କହି କହି ହସିଲା ମିନି । ସବୁ ହସଟା ବନ୍ଦ କରି ପଶିଗଲି ଘରକୁ, ଡାକିଲି, ମିନି ।

 

ଉତ୍ତର ଆସିଲା, ଆଜ୍ଞା; ଏବଂ ସଙ୍ଗେ ସଙ୍ଗେ ଆସି ମିନି ନମସ୍କାର ହେଲା । ପଚାରିଲି ହେମନ୍ତ କାହିଁ ? ଚାହିଁଥାଏ, ମିରା ମୁହଁରେ ଲୁଗା ଦେଇ ହସୁଥାଏ । କହିଲା, ତାଙ୍କର କେ ଜଣେ ସାଙ୍ଗ ପ୍ରଫେସର ବର୍ତ୍ତମାନ ବଳେଇ ଦେବାକୁ ଯାଇଛନ୍ତି । ମୁଁ କହିଲି କାଲି ତ ପୁରୀ ଏକ୍ସପ୍ରେସରେ ମୁଁ ପୁରୀ ଯାଉଛି ।

 

କାହିଁକି ପଚାରିଲା ମିନି ।

 

କହିଲି ପୁରୀ ଟାଉନଥାନାକୁ ମୋର ବଦଳି ହୋଇଛି । ପଅରିଦିନ ମୋର Joining date ଓଃ ଯେଉଁଠାରେ ମିରାର ବାପା ଅଛନ୍ତି Superintendent of police ? ପଚାରିଲା ମିନି । ଆଚ୍ଛା ନନା ଗୀତା ଅପାର କୌଣସି ସନ୍ଧାନ ପାଇଲେ ନାହିଁ ? ପଚାରିଲା ମିନି । କହିଲି ନା—ଯାଉଛି ସେଠାରେ ଅନୁସନ୍ଧାନ କରିବି ।

 

ହେମନ୍ତ ଓ ମିନି ଅନୁରୋଧ କଲେ ତାଙ୍କ ବସାରେ ଖାଇବାକୁ ସେତେବେଳେ ପୂଝାରି ରୋଷାଇ ସାରିଥାଏ । ତାଙ୍କ ବସାରେ ଖିଅ ପିଆ ସରିଲା । ରାତି ନଅଟା ବାଜି ଯାଇଥାଏ । ବସାକୁ ବାହାରିଲି ମିନିର ଅନୁରୋଧରେ ମିରା ସେଠାରେ ରହିଲା ମୋତେ ପୁରୀ ବିଦାୟ ଦେବାକୁ-। ଜିନିଷ ପତ୍ର ବନ୍ଧାବନ୍ଧି କରିବି ବୋଲି ମୁଁ ବସାକୁ ଆସିଲି । ହେମନ୍ତ ମଧ୍ୟ ଅନେକ ବାଟ ମୋ ସହିତ ଆସିଲା ତାକୁ ବିଦାୟ ଦେଇ ଖଣ୍ଡିଏ ରିକ୍ସସାକରି ଫେରିଲି ।

Image

 

ନବମ ପରିଚ୍ଛଦ

 

ପୁରୀରେ ରହିବାର ମୋର ପ୍ରାୟ ଚାରିମାସ ହୋଇଗଲାଣି । ଗୀତାର ସନ୍ଧାନ ନେଉଥାଏ କିନ୍ତୁ କିଛି ପାଉ ନ ଥାଏ । ଏଥିମଧ୍ୟରେ ଦାମବାବୁ (ମିରାର ବାପା) ଓ ତାଙ୍କ ସ୍ତ୍ରୀଙ୍କ ସହିତ ମୋର ଯଥେଷ୍ଟ ଘନିଷ୍ଠତା ଆସି ଯାଇଛି । ଅନେକ ସମୟରେ ମୁଁ ତାଙ୍କ ଘରେ ଥାଏ । କାରଣ ସେମାନେ ଜାଣନ୍ତି ମିନିର ଅତି ନିକଟତମ ସାଙ୍ଗ ମିରା । ମୁଁ ମିନିର ଭାଇ, ତେଣୁ ସେମାନେ ମୋତେ ନିଜର ପୁଅ ପରି ଭଲପାନ୍ତି । ଆଉ ଗୋଟିଏ କାରଣ ପାଇଁ ବେଶି ଭଲପାନ୍ତି...ମୋର ଅଧିକାଂଶ ଖାଇବା ପିଇବା ହୁଏ ମିରାର ଘରେ । ଥାନାପାଖକୁ ତାଙ୍କ ଘରଟା ଖୁବ୍ ନିକଟ ।

 

ଦିନେ ଥାନାରେ କିଛି କାମ ନ ଥିବାରୁ ବସି କଟକ କଥା ଭାବୁଛି । ଏହି ସମୟରେ ପୋଷ୍ଟମ୍ୟାନ ଖଣ୍ଡିଏ ଚିଠି ଆଣି ଦେଲା । ଖୋଲିଲି ଲେଖାଅଛି—

 

ଗାର୍ଲସ୍କୁଲ

କଟକ

 

ପୂଜନୀୟ ନନା !

 

ମୋଏ ପ୍ରଣାମ ଗ୍ରହଣ କରିବ । ଆପଣ ସେଦିନରୁ ଗଲେ ଖଣ୍ଡେହେଲେ ଚିଠି ଦେଲେ ନାହିଁ । ସେଥିପାଇଁ ମୁଁ ବଡ଼ ଚିନ୍ତିତ । ମୁଁ ଜାଣେ ସେଠାରେ ଆପଣଙ୍କର କିଛି ଅସୁବିଧା ହେବ ନାହିଁ-। ତଥାପି ନିଜକୁ ସାବଧାନରେ ଚଳୁଥିବେ । ହଁ, ମିରାକୁ ଭୀଷଣ ଜର ଆଜକୁ ପନ୍ଦରଦିନ ହେଲା, ଡାକ୍ତର ଔଷଧ ଖାଉଛି । ସେତେ ଭଲ ହୋଇନାହିଁ । ସେ ସର୍ବଦା ଆପଣଙ୍କୁ ଦେଖିବାକୁ ଖୋଜୁଛି-। ଯଦି ସୁବିଧା ହୁଏ ଦୁଇଦିନ ପାଇଁ ଆସନ୍ତୁ । ତାହାର ବାପା ଓ ବୋଉକୁ ଜଣାଇବେ ନାହିଁ ସେ ମନା କରିଛି । ମୁଁ ଏକମାସ ଛୁଟି ନେଇଛି କେବଳ ତାରି ପାଇଁ । ସେ ମଧ୍ୟ ଏକମାସ ଛୁଟି ନେଇଛି-। ମୋତେ ସର୍ବଦା ତା ପାଖରେ ବସି ତାକୁ Consolatoin ଦେବାକୁ ପଡ଼ୁଛି । ଘରୁ ଆପଣଙ୍କ ନାମରେ ଖଣ୍ଡେ ଚିଠି କଣ୍ଟ୍ରାକ୍ଟର ପାଖରୁ ଆସିଥିଲା । କୋଠାକାମ ସରିବା ଉପରେ-। ବଗିଚା ଓ ପୋଖରୀ ଖୋଳା ପାଇଁ ଦୁଇଶ ଟଙ୍କା ଲଗାଇଥିଲା । ମୁଁ ଡାକରେ ଦୁଇଶଟଙ୍କା ପଠାଇଦେଇଛି-। ଆପଣ କିପରି ଭାବରେ ଅଛନ୍ତି; ପୂଝାରି ନେଇ ନ ଥିଲେ, ବୋଧହୁଏ ଅସୁବିଧା ଭୋଗ କରୁଥିବେ-। ଆପଣଙ୍କର ତ ସବୁବେଳେ ଜିଦିଖୋର କଥା । ଆଉ କେତେଦିନ ଏହିପରି ଅଭିଆଡ଼ା ବୁଲିବେ-। ବୋଉ ଥିଲେ କଣ ଆଜି ଆପଣଙ୍କର ବିଭାଘର ଏତେଦିନ ଯାଏ ଥାନ୍ତା । ମୁଁ ମିରାର ମନକଥା ବୁଝିଛି । ସେ କେବଳ ଆପଣଙ୍କ କଥା ଭାବି ଭାବି ଆଜି ରୋଗଶଯ୍ୟାରେ ଶାୟିତା । ମୁଁ କେବଳ ଆପଣଙ୍କ ଆଖିରେ ପଡ଼ିଥିଲି, ମୋର ବିବାହଟା ସାରିଦେଇ ବସିଲ । ହେଉ ଏ ବର୍ଷ ମାର୍ଗଶିର ମାସରେ ଲାଗୁଅଛି କାମଟା ସାରି ଦିଅନ୍ତୁ । କୋଠା ପ୍ରତିଷ୍ଠା ଓ ବିବାହ ଏକସଙ୍ଗେ ହେଲେ ଭଲ ହୁଅନ୍ତା । ମିଛଟାରେ ଗୋଟିଏ ନିରୀହା ବାଳିକାର ଜୀବନଟାକୁ ଅନ୍ଧକାରମୟ କରନ୍ତୁ ନାହିଁ-। ମୋର ଆପଣଙ୍କୁ ଏହି ଶେଷ ଅନୁରୋଧ । ଇତି ।

 

ଆପଣଙ୍କ

ସ୍ନେହର

ମିନି

 

ଚିଠି ଖଣ୍ଡିକ ପଢ଼ିସାରି ମନରେ ମୋର ଯାହା ଦୁଃଖ ହେ ଜାଣେ କେବଳ ମୁଁ । ସାଙ୍ଗେ ସାଙ୍ଗେ ଖଣ୍ଡିଏ ଚିଠି ଲେଖିଲି—

 

ପୁରୀ, ମଙ୍ଗଳବାର

ସ୍ନେହର ମିନି

 

ଆଶୀର୍ବାଦ ଗ୍ରହଣ କରିବୁ ଓ ହେମନ୍ତକୁ ଜଣାଇଦେବୁ । ମୋ ବିଷୟ ନେଇ କିଛି ଭାବିବୁ ନାହିଁ । ମୁଁ ଏଠାରେ ସର୍ବାପେକ୍ଷା ଖୁବ୍ ଭଲରେ ଅଛି । ଦାମବାବୁଙ୍କ ଘରକୁ ଅଧିକାଂଶ ସମୟରେ ଯାଏ । ତାଙ୍କର ସ୍ତ୍ରୀ ପ୍ରଭୃତି ମୋତେ ପୁତ୍ରପରି ସ୍ନେହ କରନ୍ତି । ମିରା ଘରଖବର ଶୁଣି ମନ ମୋର ବିଶେଷ କଷ୍ଟହେଲା । ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରିବୁ । ତା’ ଦେହ ଭଲ ହୋଇଗଲେ ଛୁଟି କରାଇ ତାକୁ କିଛିଦିନ ପାଇଁ ଘରକୁ ପଠାଇ ଦେବୁ । ବିବାହ ଖବର ଲେଖିଥିଲା-। ତୁ ବୁଝି ପାରିବୁ ନାହିଁ । ମୁଁ ଭାବିଛି ବିବାହ ନ କରି ଏହିପରି ଜୀବନଟାକୁ କଟାଇଦେବି-। ଯେଉଁମାନେ ମୋର ବିଭାଗର ଦେଖି ଖୁସି ହୁଅନ୍ତେ ସେମାନେ ତ ନାହାନ୍ତି । ଆଉ କାହିଁକି ଜୀବନରେ ଏତେ ଆଡ଼ମ୍ବର ଦେଖାଇବି, ହଁ ହେବ । କିନ୍ତୁ ବର୍ତ୍ତମାନ ନୁହେଁ । ମୁଁ ଚାହେଁ ତୁ ମୋର କେଉଁ ଭାଗ୍ୟରେ ଭଉଣୀ ହୋଇଥିଲୁ । ସୁଖରେ ଚଳ ଏହା ହିଁ ମୋର କାମନା । ମନେ ଅଛି ତୋତେ ପଢ଼ାଉଥିଲି ବୋଲି କିପରି ଗ୍ରାମଲୋକଙ୍କ ନାକଟେକା । ତାହା ଭାବିଲାବେଳକୁ ଆସୁଛି ମୋର ନୈରାଶ୍ୟର ଗୋଟାଏ ଝଞ୍ଜା । ହିଁ ତୁ କାହିଁକି କଣ୍ଟ୍ରାକ୍ଟର ପାଖକୁ ଟଙ୍କା ପଠାଇଲୁ । ମୋତେ ଲେଖିଥିଲି ମୁଁ ପଠାଇଥାନ୍ତି । ଆଉ ଗୁଣ୍ଡିଚା ରହିଲା ଦିନ ଆଠଟା, ସେଥିପାଇଁ ମୁଁ ବଡ଼ ବ୍ୟସ୍ତଅଛି-। ଯେବେ ପାରି ମିଃଦାସଙ୍କୁ ସଙ୍ଗରେ ନେଇଆସି ବୁଲିଯିବ । ରହିବାକୁ କୌଣସି ଅସୁବିଧା ହେବନାହିଁ-। ଗୋଟିଏ ପୂଝାରି କଥା ଲେଖିଥିଲୁ । ଗୋଟିଏ ପୂଝାରି ପାଇଛି । ସେ ଯାହା ରୋଷେଇ କରୁଛି ହାଣ୍ଡି ପିଟି ଦେବାକୁ ଇଚ୍ଛା ହେଉଛି । କିପରି ଅଛୁ ? ହେମନ୍ତକୁ କହିବୁ ଚିଠି ଦେବ ।

 

ଇତି

ତୋର ନନା

 

ଚିଠି ଖଣ୍ଡିକ ଡାକରେ ପକାଇ ଦେଲି ସେ ଦିନ କାହିଁକି ମୁଁ ଦାମବାବୁଙ୍କ ଘରକୁ ଯାଇଛି, କୌଣସି ବିଷୟ ନେଇ ମିନି ଓ ମିରାର କଥା ପଡ଼ିଲା । ମିରାକଥା ପଡ଼ିଲାବେଳକୁ କେଜାଣି କାହିଁକି ମୋତେ ଲାଜ ମାଡ଼ୁଥାଏ ।

 

ଦାମବାବୁ—ମିରା ଆମର ମିନିକୁ ଛାଡ଼ି କଟକରୁ ଆସିବ ନାହିଁ ?

 

ସ୍ତ୍ରୀ—ମୋ ଝିଅ ମୋ କୋଳକୁ ନ ଆସି ଯିବ କୁଆଡ଼େ ?

 

ଏଥିମଧ୍ୟରେ ମିଃଦାସ ମୋର ବିଭାଘର ସମ୍ବନ୍ଧ ମିରା ସହିତ ନେଇ ଦାମବାବୁଙ୍କ ସ୍ତ୍ରୀପାଖକୁ ଖଣ୍ଡେ ଚିଠି ଦେଇଛନ୍ତି । ତାହା ମୁଁ ଟିକେ ଜାଣିଥିଲି । ଅନେକ ଦିନରୁ ମୋର ବିଭାଘର ମିରା ସହିତ ପଡ଼ିଛି । ଦାମବାବୁ ଓ ତାଙ୍କ ସ୍ତ୍ରୀ ଜାଣନ୍ତି ତାଙ୍କର ମଧ୍ୟ ଇଚ୍ଛା ।

 

ଦାଃ ସ୍ତ୍ରୀ—ଆଚ୍ଛା ବାପା ! ଗ୍ରାମରେ ତୁମର ଆଉ କିଏ ଅଛନ୍ତି ?

 

କେହି ନାହାନ୍ତି ମନାକଲି ମୁଁ ।

 

ଦାଃ ସ୍ତ୍ରୀ—କଣ ଘରବାଡ଼ି ବି ନାହିଁ ?

 

ହଁ ଜମି ପାଞ୍ଚମାଣ ଅଛି । ଲୋକ କେହି ନ ଥିବାରୁ ଜଣେ କଣ୍ଟ୍ରାକ୍ଟର ରଖି ଖଣ୍ଡିଏ କୋଠା ତିଆରି ହେଉଛି, କାମ ପ୍ରାୟ ସରିବଣି । କହିଲି ମୁଁ ।

 

ଦାମବାବୁ—ତୁମେ ଜାଣନା ବସନ୍ତ ତା ଜୀବନରେ ଅନେକଦୁଃଖ କଷ୍ଟ ଭୋଗି ଆସିଛି-। କଲେଜରେ ପଢ଼ିଲାବେଳେ ମଧ୍ୟ B.Sc. ପାସ କରିବା ପର୍ଯ୍ୟନ୍ତ ଅନେକ ହଇରାଣରେ ପଢ଼ିଛି-। ସେଥିପାଇଁ ଆଜି ଜୀବନରେ ସେ ଏତେ ଉନ୍ନତି କରି ପାରିଛି । ପିଲାଟା—ଭଉଣୀଟିକୁ B.A ପଢ଼ାଇଲା । ଶେଷରେ ବିବାହ ଦେଲା ପୁଣି ଖଣ୍ଡିଏ କୋଠାର ବନ୍ଦୋବସ୍ତ କରୁଛି । ଆଚ୍ଛା କହିଲ ଏତେ ଅଳ୍ପ ବୟସରେ ଛାତିକୁ ପଥର କରି କିଏ ଏତେ କାର୍ଯ୍ୟ କରିବ ?

 

ପିଲାଟିଏ ଯେତେବେଳେ ବାପ ତାର ମରିଗଲେ—ଦୁଃଖ ଏଡ଼ି ଆଜି ପାଠ ପଢ଼ି ମନୁଷ୍ୟ ହୋଇଛି ।

 

ଏହିପରି ଭାବରେ ତାଙ୍କ ସ୍ତ୍ରୀଙ୍କ ପାଖରେ ଗପୁଥାନ୍ତି । ଲାଜରେ ମୁଁ ବାରଣ୍ଡାରେ ଛିଡ଼ାହୋଇ ଶୁଣୁଥାଏ । ପୁଣି ଦାମବାବୁ କହିଲେ ମିରାବୋଉ, ବସନ୍ତଟି ଯେପରି ପିଲା ମିରା ସହିତ କଲେ କିଛି କ୍ଷତି ହେବ ନାହିଁ । ଛାତ୍ର ଜୀବନସାରା ସେ ବୃତ୍ତ ପାଇ ଆସିଛି । ସ୍କୁଲ ଓ କଲେଜରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛି । ଯେତେ ଜାଗାରେ କାମ କରି ଆସିଲାଣି ଖୁବ୍ ନାମ କରି ଆସିଛି । ତାହାର ସମସ୍ତ ରେକର୍ଡ଼ ମୋ ପାଖରେ ଅଛି ।

 

ସ୍ତ୍ରୀ—ମୁଁ କ’ଣ ମନା କଲି ? ତମ ଝିଅକୁ ପ୍ରଥମେ ମଙ୍ଗା—ତା’ପରେ, ଦେଖିଲ ନାହିଁ ପୂର୍ଣ୍ଣବାବୁ ଝିଅ ଗୀତା କ’ଣ କଲା । ଗୀତାକଥା ଶୁଣି ଧ୍ୟାନ ମୋର ଭାଙ୍ଗିଗଲା । ଶୁଣିଲି ତଥାପି ସେ ମୋରି କଥା କଥାବାର୍ତ୍ତା ହେଉଛନ୍ତି ।

 

ଦାମବାବୁ—ନା ତମେ ଜାଣନା ବସନ୍ତ ମିରାକୁ ଭାରି ଭଲପାଏ, ମିରା ମଧ୍ୟ ବସନ୍ତକୁ ଭଲପାଏ । ସେଦିନ ମିଃ ଦାସ କଣ ଚିଠି ଲେଖିଥିଲେ ତମ ପାଖକୁ ଜାଣନା ? ମିନି ପାଖକୁ ଲେଖିଲେ ତାର ସମସ୍ତ ଉତ୍ତର ଆମେ ପାଇ ପାରିବା । ଗୁଣ୍ଡିଚା ବାହୁଡ଼ା ଗଲେ ମିରା ଓ ମିନିକୁ ଆମ ଘରକୁ ନେଇ ଆସିବି ।

 

ସ୍ତ୍ରୀ—ହେଉ ଜଗନ୍ନାଥ କରନ୍ତୁ ତା’ ଭାଗ୍ୟରେ କ’ଣ ଅଛି କେଜାଣି । ତାଙ୍କ କଥା ସରିଲାବେଳକୁ ମୁଁ ଚାଲିଆସିଥିଲି ଥାନାକୁ । ଏହି କେତେଦିନ ହେବ ମୋର ଖିଅପିଅ ଦାମବାବୁଙ୍କ ଘରେ ହେଉଛି । ବସାରେ କେବଳ ଜିନିଷପତ୍ର ଥାଏ । ଗୁଣ୍ଡିଚା ପର୍ବ ବୋଲି ଦାମ ବାବୁଙ୍କର ବସା ଭିଡ଼, ଅନେକ ବନ୍ଧୁବାନ୍ଧବ ତାଙ୍କର ଆସିଛନ୍ତି । କୌଣସି ସୁବିଧା ନ ପାଇବାରୁ ମୁଁ ଯାଇ କୋଠାର ଛାତ ଉପରେ ବସି ସମୁଦ୍ରକୁ ଲକ୍ଷ କରି କ’ଣ ଗୁଡ଼ାଏ ଭାବୁଛି । ଏହି ସମୟରେ ଦାମବାବୁଙ୍କ ଚାକର ଆସି ଡାକିଲା, ବାବୁ ! ଆପଣଙ୍କୁ ବାବୁ ଡାକୁଛନ୍ତି । ପଚାରିଲି—କାହିଁକି ଡାକୁଛନ୍ତି କହିପାରିବୁ ? ସେ ମନାକଲା । ତେଣୁ ଛାତଉପରୁ ଓହ୍ଲାଇ ତଳକୁ ଗଲି । ଦାମବାବୁ କହିଲେ, ବସନ୍ତ ଦେଖିଲେ ମିନି କଣ ଖଣ୍ଡିଏ ଚିଠି ମୋ କ୍ୟାରଅଫ୍‌ରେ ତୋ ପାଖକୁ ଦେଇଛି ! ଚିଠିଖଣ୍ଡିକ ଧରି ପଦାକୁ ଚାଲି ଆସି ପଢ଼ିଲି ।

 

କଟକ

ବୁଧବାର

 

ପୂଜନୀୟ ନନା !

 

ପ୍ରମାଣ ଗ୍ରହଣ କରିବେ । ଆପଣ ପଠାଇଥିବା ଚିଠି ଖଣ୍ଡିକ ପାଇଥିଲି । ମୁଁ ଭାବୁଛି ଆପଣ ବୋଧହୁଏ ବାଇଆ ହୋଇଗଲେଣି । ବିବାହ ନ କରି ଚିରକୁମାର ବ୍ରତ ଅବଲମ୍ବନ କରିବେ-। ଏଟା କ’ଣ ଆପଣଙ୍କ ପକ୍ଷେ ସଂସାରକୁ ଶୋଭା ପାଇବ ? ଆପଣଙ୍କର ଉଚ୍ଚଶିକ୍ଷାର କ’ଣ ପରିଣାମ ଏ ? ଯଦି ଆଉ ଏପରି କଥାକହି ମୋ ମନରେ ଦୁଃଖ ଦିଅନ୍ତି ତା’ହେଲେ ବିଷଖାଇ ମରିବି ଜାଣିରଖନ୍ତୁ । ଯଦି ଏତେକଥା ମନରେ ଅଛି କୋଠା ତିଆରି କରି ଏତେ ଆଡ଼ମ୍ବର କାହା ପାଇଁ । ମୁଁ କେବଳ ଥିଲି ଆପଣଙ୍କର ଗୋଟାଏ ଶତ୍ରୁ । ମୋତେ ବିଦାକରି ଦେଇ ଏକୁଟିଆ ବୁଲିବେ ଯେଣେ ଇଚ୍ଛା ତେଣେ । ମୁଁ କ’ଣ ବିବାହ ନ କରିଥିଲେ, ନିଜକୁ ନିଜେ ପୋଷି ପାରି ନଥାନ୍ତି । ମିରା ଭଲହୋଇ ସ୍କୁଲରେ ଜଏନ କଲାଣି । ତାକୁ ମୁଁ ଦୁଇଦିନ ଭିତରେ ଘରକୁ ପଠାଉଛି-। ଆଉ ଆମେ ଅଳ୍ପଦିନ ଭିତରେ ପୁରୀ ଯିବୁ, ଗଲେ ସେଠାରେ ସମସ୍ତ ବନ୍ଦୋବସ୍ତ କରିବୁ-। ମୁଁ ଭଲରେ ଅଛି, ଶୀଘ୍ର ଖଣ୍ଡେ ଚିଠି ଦେଇ । ଇତି

 

ଆପଣଙ୍କର ସ୍ନେହର

ମିନି

 

ଚିଠି ଖଣ୍ଡିକ ପଢ଼ିସାରି ଚାକର ହାତରେ ଦାମବାବୁଙ୍କ ପାଖକୁ ପଠାଇ ଦେଇ ସାଇକେଲ ମାରି ଚାଲିଲେ ବସାକୁ । ବୋଧହୁଏ ଚିଠି ପଢ଼ି ସେମାନେ ସନ୍ଦେହରେ ପଡ଼ିଲେ । ତେଣୁ ପୁନର୍ବାର ଦାମବାବୁ ମୋତେ ଡକାଇ ପଠାଇଲେ, ମୁଁ ଆସିଲି । ମିନି ଲେଖିଛି, ଏଥି ମଧ୍ୟରେ କ’ଣ ମିରାର ଦେହ ଖରାପ ଥିଲା ? ପଚାରିଲେ ଦାମବାବୁ । ମୁଁ କହିଲି ! ହଁ କଣ ଜର ହୋଇଥିଲା, ମିନି ତାକୁ ଆଣି ତା’ ବସାରେ ରଖି ଔଷଧ ଖୁଆଉଥିଲା—ବର୍ତ୍ତମାନ ଭଲହୋଇ ସ୍କୁଲରେ ଜଏନ କଲାଣି ।

 

ଦାମବାବୁ—ଏପରି ଅବାଧ୍ୟ ଝିଅଟା—ତାକୁ ମୁଁ କହୁଛି ଚାକିରି କରି ମୋତେ ପୋଷିବାକୁ । ବିଶେଷତଃ ଓଡ଼ିଶାରେ କେତେଟା ଝିଅ ଚାକିରି କରି ତାଙ୍କର ବାପମାଙ୍କୁ ପୋଷୁଛନ୍ତି-। ଆଚ୍ଛା କୌଣସିମତେ ତାର ଚାକିରି ଛଡ଼ାଇବାକୁ ହେବ । ଲାଜରେ ମୁଁ ପଳାଇ ଆସିଲି ।

 

ଠିକ୍ ଏହାର ତିନିଦିନ ପରେ । ଦାମବାବୁ ଖଣ୍ଡିଏ ଚିଠି ମୋତେ ଦେଲେ ପଢ଼ିବାକୁ । ତହିଁରେ ଲେଖାଥିଲା ।

 

କଟକ

ରବିବାର

 

ପୂଜନୀୟ ବାପା,

 

ମୋର ପ୍ରଣାମ ଗ୍ରହଣ କରିବେ, ଓ ବୋଉକୁ ଦେବେ । ମୁଁ ସ୍କୁଲରୁ କିଛିଦିନ ଛୁଟି ନେଇଛି । କଟକରେ କାହିଁକି ଦେହଟା ଭଲ ହେଉନାହିଁ; ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ସେଠାକୁ ଯାଇ କିଛିଦିନ ରହିବି । କାଲି ସକାଳ ନଅଟା ଗାଡ଼ିରେ ଯିବି । ଆପଣ ଷ୍ଟେସନକୁ ମଟର ପଠାଇଥିବେ । ଇତି ।

 

ଆପଣଙ୍କର

ମିରା

 

ଚିଠିଖଣ୍ଡିକ ପଢ଼ିସାରି ତାକୁ ଦେଇ ଦେଲି ସେଦିନ ଥାନାରେ ବିଶେଷ କାମ ଥିବାରୁ ଆଉ କିଛି ଭାବି ପାରିଲି ନାହିଁ । ସେ ଦିନ ରାତିରେ ଆଉ ଦାମବାବୁଙ୍କ ଘରକୁ ନ ଯାଇ ହୋଟେଲରେ ଖାଇ ଶୋଇ ପଡ଼ିଲି । ରାତି ପାହି ସକାଳ ହେଲା । ଅନେକ କାମ ମୁଣ୍ଡ ଉପରେ ଥାଏ, କେଜାଣି କାହିଁକି ମନ ମୋର ଆଦୌ ସେ ସବୁ କାମରେ ଲାଗୁନଥାଏ, ଜଣକର ଭାବି ଆଗମନ ପାଇଁ । ଅନେକଦିନ ପରେ ହେବ ଗୋଟାଏ ଅପୂର୍ବ ମିଳନ । ଦଶଟାରେ ଥାନାକୁ ଗଲି । ଦାମବାବୁ ଦେଖି ପଚାରିଲେ, ବସନ୍ତ ! ଦୁଇଦିନ ହେବ କାହିଁକି ଆମ ବସାକୁ ଯାଉନାହୁଁ ଖିଆପିଆ କରୁଛୁ କେଉଁଠି ?

 

ଦାମବାବୁ ଘଡ଼ିକି ଚାହିଁ କହିଲେ ହଁ, ଆଜି ମିରା ଆସିବ, ଦୁଇଟା ବାଜିଲାଣି । ପୁରୀ ଷ୍ଟେସନରେ ଏରାଇଭେଲ୍ ଟାଇମ ସାଢ଼େଦୁଇ । ତୁ ଯା ବସାକୁ—ଡ୍ରାଇଭରକୁ କହି ମଟର ନେଇ ମିରାକୁ ଘେନି ଆସିବୁ । ଏହା କହି ଚାଲିଗଲେ ।

 

ଭାବିଲି ରୋଗୀ ଖୋଜୁଥାଏ ଯାହା ବଇଦ ବତାଏ ତାହା । ଭାବିଲି ଏପରି ପୋଲିସ ଡ୍ରେସରେ ଗଲେ ଚଳିବ ନାହିଁ । ତେଣୁ ବସାକୁ ଯାଇ ଖଣ୍ଡେ ସରୁ ଧୋତି, ସିଲ୍‍କ ପଞ୍ଜାବି ଓ ପଲିସକରା ଯୋତା ପିନ୍ଧି ବାହାରି ପଡ଼ିଲି ଦାମବାବୁଙ୍କ ବସାକୁ । ଗାଡ଼ି ଷ୍ଟାଟ୍ ଦେଲା—ଚାଲିଲା ଷ୍ଟେସନ ଅଭିମୁଖରେ—ଗାଡ଼ି ଷ୍ଟେସନରେ ପହଞ୍ଚିବାକୁ ପ୍ରାୟ ପାଞ୍ଚମିନିଟ୍ ବାକି ଅଛି—ଖଣ୍ଡିଏ ପ୍ଲାଟ୍‌ଫର୍ମ ଟିକେଟ କରି ଭିତରକୁ ଆସିଲି । ଭାବୁଥାଏ ଗାଡ଼ିଟା କେତେବେଳେ ଆସିବ ।

 

ଏହି ସମୟରେ ତୃତୀୟ ବେଲ୍ ବାଜିଲା—

 

ଚାହୁଁ ଚାହୁଁ ଗାଡ଼ିଟା ଗୋଟାଏ ବିକଟ ଚିତ୍କାର କରି ଆସି ଷ୍ଟେସନରେ ଛିଡ଼ା ହୋଇଗଲା–

 

ସବୁ ଡବା ଖୋଜିଲି । ଶେଷରେ ଗୋଟିଏ Inter class Ladies Compartment ରେ ମିରାକୁ ଦେଖିଲି—

 

ସେ ଚାହୁଁ ଥାଏ ତାହାର ଲୋକଙ୍କୁ, କିନ୍ତୁ ମୋତେ ଦେଖି କହିଲା—ନମସ୍କାର—ଆରେ ଆପଣ ଆସିଛନ୍ତି ?

 

କହିଲି ହଁ, ଆପଣଙ୍କୁ ପାଛୋଟି ନବାକୁ ଆସିଛି ମୁଁ ।

 

କାହାର ଅନୁମତିରେ ଆସିଛନ୍ତି, ପଚାରିଲା ମିରା—

 

କହିଲି, ନିଜ ଅନୁମତି ନେଇ ଆସିଛି ।

 

ଜିନିଷ ପତ୍ର ତଳକୁ ଓହ୍ଲାଇ, କୁଲି ଦ୍ଵାରା ମଟର ପାଖକୁ ନେଲି ।

 

ଯାଉଁ ଯାଉଁ ପଚାରିଲା ମିରା—

 

ଆପଣ କିମିତି ଅଛନ୍ତି ?

 

କହିଲି ଭଲରେ...ତଥାପି–

 

ଆଉ ତଥାପି ମନେ ରହିଲା ? କହିଲା ମିରା—

 

ତଥାପି ମାନେ ତ ଅନେକ ରହିଗଲା, କହିଲି ମୁଁ—

 

ଓଃ, ପୋଲିସ ଅଫିସର କିନା—ସେଥିପାଇଁ କୌଣସି କେସ୍‌ରେ ମୋତେ ପକାଇବାକୁ ଉପାୟ ଖୋଜୁଛନ୍ତି ନା–—କହିଲା ମିରା । କହିଲି—ନା ସେ ସବୁ କିଛିନୁହେଁ, କାଲି ଜାତଟା ହେବକି ନା—ଏକୁଟିଆ ମୁଁ ଥିଲି ମନ ଭିତରେ ସାଙ୍ଗଟିଏ ଖୋଜୁଥିଲି, କିନ୍ତୁ ଜଗନ୍ନାଥଙ୍କ କୃପାରୁ ବର୍ତ୍ତମାନ ପାଇଲି ଗୋଟିଏ—

 

ମିରା ହସିଦେଲା—ସେତେବେଳକୁ ଆମେ ମଟର ପାଖରେ ପହଞ୍ଚି ସାରିଥିଲୁ । ମଟରରେ ବସିଲ—ଡ୍ରାଇଭର ମଟର ଷ୍ଟାଟ୍‌କଲା—

 

ମଟରରେ ଥାଇ ପଚାରିଲି ମିରାଦେବୀ ଆମ ମିନି କିପରି ଅଛି ?

 

ମିରା କହିଲା—ଛାଡ଼ନ୍ତୁ ସିଏ ଯେଉଁ ମଜାରେ ଅଛି ।

 

ଆସିଲାବେଳେ ସାକ୍ଷାତ କରିଥିଲ ? ପଚାରିଲି ମୁଁ । କହିଲା ହଁ, ସେ ଓ ହେମନ୍ତ ବାବୁ ମୋତେ ଛାଡ଼ିବାକୁ ଷ୍ଟେସନ ଆସିଥିଲେ.....ଅନେକ କଥା ଅଛି ପରେ କହିବି । କ୍ରମେ ଗାଡ଼ିଟା ଯାଇ ତାଙ୍କ ବସା ପାଖରେ ପହଞ୍ଚିଲା । ମିରାକୁ ବିଦାୟ ଦେଇ ଶୀଘ୍ର ସାଇକେଲରେ ପଳାଇ ଆସିଲି ଥାନାକୁ ।

 

ଦାମବାବୁ ପଚାରିଲେ ମିରା ଆସିଛି ଆଜି ?

 

କହିଲି ଆଜ୍ଞା ହଁ ।

 

କିଛି ସମୟରେ ମୁଁ ଓ ଆଉ ମୋର କେତେଜଣ ସହକର୍ମୀ କେତେକ କଟେଷ୍ଟବଲଙ୍କୁ ଧରି ଟାଉନ୍ ଆଡ଼େ ବାହାରିଲି । ଟାଉନ୍‌ରୁ ଫେରୁ ଫେରୁ ଥାନାକୁ ରାତିଦଶ—ସେତେବେଳକୁ ଥାନାରୁ ଦାମବାବୁ ଚାଲି ଯାଇଥିଲେ । ଥାନାରୁ ବସାକୁ ଗଲି, ଭାବିଲି ଆଜି ହୋଟେଲରେ ଦି’ଟା ଖାଇଦେବି, ଆଉ ତାଙ୍କ ବସାକୁ ଯିବିନାହିଁ ।

 

ଏହା ଭାବି ବସିଛି ଏହି ସମୟରେ ଦାମବାବୁଙ୍କ ଚାକର ଆସି ଖବର କହିଲା—

 

ବାବୁ—ଆପଣଙ୍କୁ ମାଆ ଡକାଇଛନ୍ତି, ବର୍ତ୍ତମାନ ଯିବେ ତାଙ୍କ ଘରକୁ ଆଉ ଦେଇ ମଧ୍ୟ କହିଛନ୍ତି । ପଚାରିଲି କେଉଁଦେଈରେ ?

 

କହିଲା—ବାବୁ ଆଜି ଯିଏ କଟକରୁ ଆସିଛନ୍ତି । ଏହା ଶୁଣି ହସ ମାଡ଼ିଲା । କହିଲି ଯା ମୁଁ ପଛରେ ଯାଉଛି । କିଛି ସମୟ ପରେ ତାଙ୍କ ବସାରେ ପହଞ୍ଚିବାରୁ ମିରାର ମାଆ ପଚାରିଲେ, ବସନ୍ତ ଆମ ବସା ଆଡ଼କୁ ଆଉ କାହିଁକି ଆସୁ ନା ? କହିଲି, ବିଶେଷ କାର୍ଯ୍ୟଥିବାରୁ ଆସିପାରୁ ନାହିଁ ।

 

ପୁଣି ପଚାରିଲେ, ଖିଆପିଆ କରୁଛ କେଉଁଠାରେ ? କହିଲି ହୋଟେଲରେ—

 

ଦାମବାବୁଙ୍କ ସ୍ତ୍ରୀ ହସି ଉଠି କହିଲେ, ଏଁ, କୁଆଡ଼େ ଗଲ ଶୁଣିଲଣି ନା—ବସନ୍ତ ଆମର ଏତେ ହୋଟେଲରେ ଖାଉଛି, ଆମ ବସାକୁ ନ ଆସି ?

 

ଦାମବାବୁ କହିଲେ, ସେ ବଡ଼ ଲାଜକୁଳାଟା । ତାଙ୍କର ସ୍ତ୍ରୀ କହିଲେ, ଖାଇବାକଥାରେ ଏପରି ଲାଜକଲେ ହେବନା ? ବିଦେଶ ଜାଗା ଏପରି ହେଲେ ହବ ? ମିରା ! ବସନ୍ତ ପାଇଁ ଖାଇବାକୁ ନେଇଆ ତ—ଡାକିଲେ ମାଉସୀ । ମିରା ଉତ୍ତର ଦେଲା ନଉଛି ।

 

ଭାରି ଲାଜ ମାଡ଼ୁଥାଏ । ମିରା ଆଣି ଭାତଥାଳି ଇତ୍ୟାଦି ଥୋଇଦେଲା । ମାଉସୀ ଆଉ କ’ଣ ବରାଦ କରିବାକୁ ଚାଲିଗଲେ ।

 

ପଚାରିଲି—ମଲା, ତମେ କ’ଣ ଏଇ ମୋତେ ଖାଇବାକୁ ଦବା ପାଇଁ କଟକରୁ ଧାଇଁ ଆସିଛ ?

 

ତାହା ହୋଇପାରେ, ହସି କରି କହିଲା ମିରା । ପଚାରିଲି, ଏକଦିନକ ପାଇଁ ନା ସବୁ ଦିନେ ! ନା ଏଇପରି ଦେବି ସବୁଦିନେ, ଏହା କହି ହସି ହସି ଚାଲିଗଲା ପଦାକୁ ।

 

ଖାଇସାରିଲା ପରେ ମିରା ଆଣି ଦେଲା ଏକ ପ୍ୟାକେଟ୍ ସିଗାରେଟ୍ । ଖାଇ ସାରିଲା ପରେ ଏତତ ବାକି ରହି ଯାଇଥିଲା ତାଙ୍କ ଘରୁ । କିନ୍ତୁ ମିରା ଦ୍ଵାରା ପୂରଣ ହେଲା ତାହା ।

 

ବାହାରିଲି ବସାକୁ, ମାଉସୀ କହିଲେ, ବର୍ତ୍ତମାନ ତ ତୋତେ ଆଉ ସମୟ ମିଳିବ ନାହିଁ-। କାଲିଠାରୁ ଯାତ ଆରମ୍ଭ ହେବ, ଆସି ଖାଇ ଦେଇ ଯାଉଥିବୁ ।

 

ଗୁଣ୍ଡିଚା ବାହୁଡ଼ା ଯୋଗୁଁ ସେ ବର୍ଷ ପୁରୀରେ ଯାହାକି ଲୋକାରଣ୍ୟ କେଉଁ ବର୍ଷ ସେପରି ହୁଏ ନାହିଁ । କାରଣ ମେଘର ସେତେ ଉପଦ୍ରବ ନ ଥାଏ । ପାଗଟା ଥାଏ ଖୁବ୍ ଭଲ, ତେଣୁ ଭୀଷଣ ଯାତ୍ରୀ ପୁରୀରେ । ଏଇ ନଅଦିନ ଖାଇବା ପିଇବାର ଠିକ୍ ନଥାଏ । ସବୁବେଳେ ବୁଲି ଯାତ୍ରୀମାନଙ୍କର ସୁବିଧା ଅସୁବିଧା ବୁଝିବାକୁ ହେଉଥାଏ । ସବୁ ବନ୍ଦୋବସ୍ତ ହୋଇ ସୁଦ୍ଧା ହୋଇ ଭୀଷଣ କଲେରା ବ୍ୟାପିଗଲା । ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ମରୁଥାନ୍ତି । ତଥାପି ଯାତ୍ରୀମାନଙ୍କର ଆସିବାର କମୁ ନ ଥାଏ । ଠିକ୍ ଚାରିଦିନ ହେବ ମୁଁ ଦାମ ବାବୁଙ୍କ ବସାକୁ ଯାଇ ନ ଥାଏ । ପ୍ରକୃତରେ ଆଦୌ ମତେ ସମୟ ନ ଥାଏ । ଆଉ ପାଞ୍ଚଦିନ ଥାଏ ଜଗନ୍ନାଥଙ୍କର ବାହୁଡ଼ା । ଭାବୁଥାଏ ବାହୁଡ଼ାଟା ଗଲେ ମଣିଷ ଟିକେ ଛୁଟି ପାଇବ ।

 

ସେ ଦିନ ମୁଣ୍ଡଟା କାହିଁକି ବୁଲେଇଲା । ପ୍ରାୟ ରାତ୍ର ସାଢ଼େ ନଅଟାରେ ବସାରେ ଯାଇ ଶୋଇଛି । ଏହି ସମୟରେ ମିଟରର ହର୍ଣ୍ଣ ଶୁଭିଲା ।

 

କହିଲି ଯେପରି ସେ ଆସୁ ଆଉ ଯାଇ ପାରିବି ନାହିଁ । ଏହି ସମୟରେ ମିରା ଘରଭିତରକୁ ପଶିଯାଇ ମୁଁ ଶୋଇଥିବା ଖଟଉପରେ ବସି ପଡ଼ିଲା । କହିଲା, ଆମ ଘରକୁ ଯାଉନାହାନ୍ତି କାହିଁକି ? ହଁ, ମୁଁ ଆସିଛି ବୋଲି, ନୁହେଁ ?

 

କହିଲି, ନାହିଁ ମିରା ଏଇ କେତେଦିନ ହେବ କାମର ଏତେ Pressor ମୋ ଉପରେ ପଡ଼ିଛି ଯେ ଆଦୌ ସମୟ ନାହିଁ । ବର୍ତ୍ତମାନ Duty ଛାଡ଼ି ପଳେଇ ଆସିଲି ମୁଣ୍ଡଟା କାହିଁକି ବିନ୍ଧିଲା, ତମେ ଜାଣନା ତମକୁ ମୁଁ କେତେ ଭଲପାଏ । ସବୁ ଦିନେ ମନେ ମନେ ଖୋଜେ ମୁଁ ତମକୁ, କିନ୍ତୁ ପାଏନା । ଅନେକ ଦିନ ପରେ ପାଖକୁ ଆସିଛ । ମନହେଉଛି ସବୁ ସମୟତକ ତମ ପାଖରେ କଟେଇ ଦେବି, କିନ୍ତୁ ସମୟର ଅଭାବ ।

 

ମିରା କହିଲା—ବୋଉ ଆଜି ଆପଣଙ୍କ ବିଷୟ ନେଇ ବାପାଙ୍କ ଆଗରେ କ’ଣ କହୁଥିଲେ, କିନ୍ତୁ ବାପା ଖାଲି କହୁଥାନ୍ତି, ସେ ଭାରି ଲାଜକୁଳା । ହଁ ସତରେ ମିରା କେଜାଣି କାହିଁକି ସେମାନଙ୍କ ପାଖରେ ମୋତେ ଭାରି ଲାଜ ମାଡ଼େ, କହିଲି ମୁଁ ।

 

ମିରା କହିଲା, ସେ ଦିନ ଆପଣ ଖାଇଦେଇ ଆସିଲା ପରେ ବାପା ଓ ବୋଉଙ୍କ ଭିତରେ ଆପଣଙ୍କ ବିଷୟ ମୋ ବିଷୟ ନେଇ ଅନେକ କଥା ପଡ଼ିଲା । ମୁଁ ଶୁଣୁଥାଏ ପଦାରେ ରହି-

 

କହିଲି, ତା ତମେ ଶୁଣୁଛ ସେମାନଙ୍କଠାରୁ ନୂଆ, ମୁଁ ତ ଅନେକ ଦିନ ହେବ ଶୁଣି ଆସୁଛି; ଏଇ ଆମ ବିଭାଘର କଥା ତ ? ହଁ, ଉତ୍ତର ଦେଲା ମିରା ।

 

କହିଲି, ମନେକର ମିରା ଯଦି ତମକୁ ମୁଁ ବିବାହ ନ କରେ ? ମିରା ଉତ୍ତର ଦେଲା, ପାଖରେ ଅଛି ବଙ୍ଗୋପସାଗର । କ’ଣ ବୁଡ଼ ପକେଇବ ? କହିଲି ମୁଁ ।

 

ନା ବୁଡ଼ ପକେଇବ ନାହିଁ ବୁଡ଼ି ମରିବି, କହିଲା ମିରା ।

 

ଛି, ଏପରି କହନ୍ତି ? କହିଲି ମୁଁ ।

 

ମିରା କହିଲା, ବର୍ତ୍ତମାନ ମୁଁ ବିଦାୟ ନେଇପାରେ କି ? କହିଲି, କ’ଣ କ୍ଷଣକ ସାକ୍ଷାତରେ ବିଦାୟ ନେବ ? ମିରା ଆଉରି ଘୁଞ୍ଚିବସିଲା ପାଖକୁ । କହିଲି, ହଉତେବେ ଯାଅ । ମିରା କହିଲା—ନା ଆପଣ ମୋ ସାଙ୍ଗରେ ଯିବେ ।

 

କହିଲି, ଦେହ ଖରାପ ଅଛି ଯାଇପାରିବି ନାହିଁ । ଚାହିଁଥାଏ ମୁଁ, ଦେଇଥିବା ମୁଦିଟି ତା ଅଙ୍ଗୁଟିର ସୌନ୍ଦର୍ଯ୍ୟ ଦିଗୁଣ ବଢ଼ାଉଥାଏ । ଧୀରେ ଟାଣିନେଲି ତାକୁ ମୋର ବକ୍ଷ ଉପରକୁ । ଛୋଟ ପିଲାଙ୍କ ପରି ଆଉଜି ପଡ଼ିଲା ମୋର କୋଳକୁ । ଏପରି ସମୟରେ ବର୍ଷାତ ହାର ପୁଅ ନାତି ଧରି ଆସି ପହଞ୍ଚିଲା । ଗୋଟାଏ ଝଲକା ପବନରେ ଲ୍ୟାମ୍ପଟା ଲିଭିଯିବାରୁ ଭୀଷଣ ଅନ୍ଧାର ହୋଇଗଲା-। ଦୁର୍ବଳ ମନଟା କାହିଁକି ପାପପଥକୁ ଟାଣିଲା । ବହୁତ ସାନ୍ତ୍ଵନା ଦେଲି । ମାନିଲା ନାହିଁ-। ଦେଖିଲି ମିରା ଛୋଟ ପିଲାଙ୍କ ପରି ଖଟଟି ଉପରେ ଶୋଇ ରହିଛି ।

 

ଡାକିଲି, ମିରା—

 

କ'ଣ କହନ୍ତୁ, ଉତ୍ତର ଦେଲା ।

 

ଯିବ ନାହିଁ ଘରକୁ, ଆସି ଦଶଟା ବାଜିଲାଣି ଯେ, କହିଲି ନୁହେଁ ।

 

କ'ଣ ଏହି ବର୍ଷାରେ ଯିବି ? କହିଲା ମିରା ।

 

ଦେଖିଲି ବର୍ଷାଟା ଭୀଷଣ ଭାବରେ ହେଉଛି । ତେଣୁ ଝରକା ବନ୍ଦକଲି, କହିଲି, ଯିବ ନାହିଁ ?

 

ଉତ୍ତର ପାଇଲି, ନା—

 

ବସି ପଡ଼ିଲି ତା ପାଖରେ—

 

କିଛି ସମୟ ପରେ ଦେଖେ ତ ବର୍ଷା ନାହିଁ । ଆକାଶ ଖୁବ୍ ନିର୍ମଳ ଦେଖାଯାଉଛି । ମିରାକୁ ବିଦାୟ ଦେଲି । ଦି’ଟା କ’ଣ ଜଳଖିଆ ଖାଇ ଶୋଇ ରହିଲି ସେହି ଖଟ ଉପରେ ସକାଳ ହେବା ପର୍ଯ୍ୟନ୍ତ ।

 

ଗୁଣ୍ଡିଚା ବାହୁଡ଼ା ସରିଛି । ଆଠଦିନ ହେବ ଟିକେ ଅବସର ମିଳିଛି । ଥାନାରେ ସେପରି କିଛି କାମ ନ ଥିବାରୁ ବସାକୁ ଯାଇ ମିନି ପାଖକୁ ଖଣ୍ଡିଏ ଚିଠି ଲେଖୁଛି—ପ୍ରାୟ ଦିନ ଚାରିଟା—ଏହି ସମୟରେ ମିରା ତାହାର ହାତ କାମେରାଟି ଧରି ଘର ଭିତରକୁ ପଶିଗଲା—କହିଲା—କ’ଣ ଲେଖୁଛନ୍ତି ?

 

କହିଲି Love letter ଲେଖୁଛି ।

 

କାହା ପାଖକୁ ? ପଚାରିଲା ମିରା ।

 

କହିଲି, ତମ ପାଖକୁ—

 

ଥଟ୍ଟାରେ କହିଲା—ଆପଣଙ୍କର କି ଅଧିକାର ଅଛି ଜଣେ ଭଦ୍ରଲୋକର ଝିଅ ପାଖକୁ ଏପରି ଚିଠି ଦବାକୁ ?

 

କହିଲି—ଆପଣଙ୍କର କି ଅଧିକାର ଅଛି, ଏକାକିନୀ ଜଣେ ଯୁବକର କକ୍ଷକୁ ପ୍ରବେଶ କରିବା ବିନା ଅନୁମତିରେ ?

 

ଦୁଇଜଣ ହସି ଉଠିଲୁ ।

 

ମିରା ବସି ଆଡ଼ୁ ସାଡ଼ୁ ଗପ ଆରମ୍ଭ କରିଦେଲା—ସେଇଠାରୁ ଚିଠି ଲେଖା ମୋର ବନ୍ଦ ରହିଲା ।

 

ମିରା କହିଲା—ଚାଲନ୍ତୁ ଆଜି ଟିକେ ସମୁଦ୍ର ଆଡ଼େ ଯିବା—ଏହା କହି ମୋର ଲୁଗା ଜାମା ଆଣି ପାଖରେ ଥୋଇଲା ।

 

କହିଲି, ମୁଁ ଖାଇନାହିଁ ଯେ ?

 

Oh my God ଏତେବେଳ ପର୍ଯ୍ୟନ୍ତ ଜଳଖିଆ ଖାଇ ସାରିନାହାନ୍ତି ?

 

ଆଚ୍ଛା ଅଟା କେଉଁଠାରେ ଅଛି—କୁହନ୍ତୁ, ମୁଁ ସଙ୍ଗେ ସଙ୍ଗେ ଦୁଇଖଣ୍ଡ ପରଅଟା ଷ୍ଟୋଭ୍ ଲଗାଇ କରି ଦେଉଛି ।

 

କହିଲି, ମିରାଦେବୀ—ତମ ପରି ତ ମୁଁ ସେତେ ବଡ଼ଲୋକ ନୁହେଁ ? କେତେବେଳେ ମିଳିଲା ତ ଖାଇନେଲି, ନଚେତ୍ ନାହିଁ—ଜିନିଷ ଘରେ ଥିଲେ ମଧ୍ୟ କରିଦେଉଛି କିଏ ? ତେଣୁ ଡେରି ଏତେ—

 

ଏପରି କଥା ମୋତେ ଆଉଦିନେ କହିବେ ନାହିଁ—କାହିଁକି ମୁଁ ଆସି ପ୍ରତିଦିନ ଜଳଖିଆ ତିଆରି କରିଦେଇ ଯିବି—ମୁଁ ତ ଆଦୌ ଏତେ ଖବର ଜାଣେନା—ମିରା ପରଅଟା ଖଣ୍ଡେ ଭାଜୁ ଭାଜୁ କହିଲା ।

 

କହିଲି—ମିରାଦେବୀ, ଦିନ ଆସିବ—ତମେ ନିଶ୍ଚୟ ମୋତେ ଏହିପରି ପରଅଟା ତିଆରିକରି ଖାଇବାକୁ ଦେବ ସ୍ଵାଧୀନ ଭାବରେ—ବର୍ତ୍ତମାନ କିନ୍ତୁ... । ବର୍ତ୍ତମାନ ଆଉ କିନ୍ତୁ କ’ଣ-? ଓଃ ଆପଣ ଭାବୁଛନ୍ତି ମୋର ବାପା ଓ ବୋଉ କିଛି ଭାବିବେ—କିନ୍ତୁ ସେମାନେ ସେତେ Min minded ନୁହନ୍ତି । ଆଉ ମଧ୍ୟ ମନେ କରନ୍ତୁ ଯଦି ଓ କହନ୍ତେ, କେବଳ ଗୋଟିଏ କାରଣରୁ...-। ବାକ୍ୟ ସଂପୂର୍ଣ୍ଣ ନ କରି ମିରା ଅଟକି ଗଲା ।

 

କହିଲି—ଗୋଟିଏ କାରଣ କ’ଣ ? ଆମର ବିବାହ ପାଇଁ ତ ? ସେ ସବୁ ଥାଉ, ମୁଁ ଜଳଖିଆ ଆଣିଲିଣି ଖାଇନିଅନ୍ତୁ, କହିଲା ମିରା । ଖାଇ ସାରିଲାପରେ ବସାରେ ଚାବିଦେଇ ଉଭୟେ ଖଣ୍ଡିଏ ବଗିକରି ବାହାରିଲୁ ସମୁଦ୍ର କୂଳକୁ । ଯାଇ ବସିଲୁ ଗୋଟାଏ ସିମେଣ୍ଟ ଚେୟାର ଉପରେ—ଚନ୍ଦ୍ରପକ୍ଷର ରାତ୍ରୀ—ଏକେତ ବଙ୍ଗୋପସାଗରକୂଳ—ଚନ୍ଦ୍ରାଲୋକ ପଡ଼ି ସମୁଦ୍ରର ପାଣି ଉପରେ ଅପୂର୍ବ ଶୋଭା ସୃଷ୍ଟି କରୁଥାଏ । ନୋଳିଆମାନେ ମାଛ ଧରିବାରେ ବ୍ୟସ୍ତଥାନ୍ତି—କେତେ କେତେ ଯୁବକ ଯୁବତୀ ଆସୁଥାନ୍ତି ସମୁଦ୍ରର କୂଳକୁ । ସେ ଦିନ ମିରା ସହିତ ଯେଉଁ ଅପୂର୍ବ ଆନନ୍ଦ ଅନୁଭବ କରିଛି, ଅନେକଥର ଯାଇଛି, ମାତ୍ର ଆନନ୍ଦରେ ନ ଫେରି ଫେରିଛି ନିରାନନ୍ଦରେ । କହିଲି ମିରା—ଯଦି ମୁଁ କହେ ଏପରି ବସି ଏହି ଚନ୍ଦ୍ରାଲୋକରେ ପବିତ୍ର ବଙ୍ଗୋପସାଗର କୂଳେ ଜୀବନର ଶେଷ ଅବସାନ କରିବାକୁ ? ମିରା କହିଲା—ତାହା ମୁଁ ଆନନ୍ଦରେ ଅନୁମୋଦନ କରିବି । ଏହିପରି ଭାବରେ କଥାଭାଷା ହେଉ ହେଉ ରାତି ଆଠଟା ବାଜିଗଲା—ଫେରିଲୁ ବସାକୁ, ରିକ୍ସା ନ କରି ଚାଲି ଚାଲି ଆସିଲୁ ।

 

ମିରାକୁ ତାହାର ଘରେ ବିଦାୟ ଦେଇ ଚାଲି ଯାଉଥିବା ସମୟରେ ମାଆ ତାର ଦେଖି ଡାକିଲେ—

 

କହିଲେ—କିରେ ବସନ୍ତ, ପଳୋଉଛୁ କାହିଁକି ?

 

କହିଲି, ଟିକେ ବସାରେ କାମ ଅଛି ।

 

କୌଣସି ମତେ ତାଙ୍କଠାରୁ ବିଦାୟ ନେଇ ବସାକୁ ଚାଲିଗଲି ।

Image

 

ଦଶମ ପରିଚ୍ଛଦ

 

ଏହାର ଚାରିମାସ ପରେ, ପୁରୀର ଜଳବାୟୁ ଆଉ ମୋ ଦେହରେ ଗଲା ନାହିଁ । କ୍ରମେ ଜରହେଲା—ଦାମବାବୁଙ୍କ ବସାରେ ଥାଏ—ମିରାର ସେବାରେ ଜରଟା ନ କମି ଟାଇଫଏଡ଼ରେ ପରିଣତ ହେଲା । ଶେଷରେ ଆଶ୍ରୟ ନେଲି ପୁରୀର ଜେନରାଲ ହାସପିଟାଲର ସରଜିକାଲ ୱାର୍ଡ଼ର ଦଶନମ୍ବର ରୁମ୍ ଓ ପନ୍ଦର ନମ୍ବର ସିଟରେ । ବହୁତ ଇନଜେକ୍‌ସନ୍ ନେଇ ଔଷଧ ଖାଇଲି, ତଥାପି ଭଲହେଲି ନାହିଁ । ମିରା ସକାଳୁ ରାତି ବାରଟା ପର୍ଯ୍ୟନ୍ତ ଜଗିରହେ—ଆଉ କେଇ ଘଣ୍ଟା ପାଇଁ ଘରକୁ ଆସେ । ପୁଣି ସକାଳେ ଯାଇ ହାଜର । ଦାମବାବୁ ? ତାଙ୍କର ସ୍ତ୍ରୀ ଦିନରେ ପ୍ରାୟ ଦଶଥର ମୋତେ ଦେଖିବାକୁ ଯାଆନ୍ତି । ମିରାଠାରୁ ଶୁଣିଛି—ଡାକ୍ତର ମିରାକୁ ଆସିବାକୁ ମୋ ପାଖକୁ ମନାକରି ଦେଲେ । କାରଣ ତାହାର ସେତେବେଳେକୁ ମୋ ପାଇଁ ଅବସ୍ଥା ରହିଲାଣି ।

 

ଯେଉଁଦିନ ଡାକ୍ତରବାବୁ କହିଲେ No hope, case is serious, we will try our best–ସେଦିନ ରାତିତମାମ ମିରା ଓ ତାହାର ବାପା ମୋତେ ଛାଡ଼ି ଘରକୁ ଗଲେ ନାହିଁ-

 

ଜଗନ୍ନାଥଙ୍କ କୃପାରୁ ମୋ ଦେହ ଟିକେ ଭଲହୋଇ ଆସିଲା—ମିରାକୁ ହେଲା ଜର ।

 

ମିରାର ଖବର କେବଳ ପଚାରି ବୁଝୁଥାଏଁ, ତା ପାଖକୁ ଯାଇପାରୁ ନ ଥାଏ । ଦେହ ଟିକେ ଭଲ ହେବାରୁ ଦେଖିଲି ଜଣେ ନର୍ସ ତାହାର ପ୍ରାଣ ଦେଇ ମୋର ସେବା କରୁଛି । ସମୟେ ସମୟେ ମୋ ପାଇଁ କାନ୍ଦି ପକାଏ । ଏହା ମୁଁ ଆଠଦିନ ହେବ ନଜର ରଖିଛି । ସବୁ ସେବା ମୋର କରେ, କିନ୍ତୁ ମୋ ମୁହଁକୁ ଚାହେଁ ନା, କିଛି ପଚାରିଲା ବେଳେ, ଯଦି ଚାହେଁ କାନ୍ଦେ କେବଳ—

 

ପରିଚୟ ପଚାରି ପାରେ ନା—ମୁଁ ଜାଣେ ଜଣେ ଜଣେ ନର୍ସ ରୋଗୀମାନଙ୍କ ପାଇଁ କାନ୍ଦନ୍ତି ।

 

ଦିନେ ମୋର ଉତ୍ତାପ ମାପି ଟଙ୍ଗାଇବା ସମୟରେ କାନ୍ଦି ପକାଇଲା । କାନ୍ଦିବାର କାରଣ ପଚାରିବାରୁ କହିଲା—ନା—ହଁ, ଆଜି ଆପଣଙ୍କର ଟିକେ ଉତ୍ତାପ ଦେହରେ ବେଶୀ ଅଛି, ଆପଣଙ୍କୁ ଗୋଟାଏ ଇନଜେକ୍‌ସନ୍ ନେବାକୁ ହେବ ।

 

ପଚାରିଲି—ଆଚ୍ଛା—ଆପଣଙ୍କର ଘର କେଉଁଠି ଓ ନାମ କ’ଣ ?

 

ଉତ୍ତର ଦେଲା—ଖୁବ୍ ଅଳ୍ପଦୂରରେ ।

 

ପଚାରିଲି—ଫିମେଲ ୱାର୍ଡ଼ର ଦଶନମ୍ବର ସିଟ୍‌ରେ ଯେଉଁ ରୋଗୀ ଅଛି, ସେ କିପରି ଅଛି ?

 

କହିଲା—ନାହିଁ ଖୁବ୍ ଭଲରେ ଅଛନ୍ତି ।

 

ଜର ନାହିଁ—ଦେହଟା ଭଲ ହୋଇଗଲା—ଦୁର୍ବଳତା ଯାଇ ନ ଥାଏ । ନୋଟିସ୍ ପାଇଲି ଆଉ ଚାରିଦିନ ପରେ ସିଟ୍ ଛାଡ଼ିବି ।

 

ଏହି ନୋଟିସ ଖଣ୍ଡିକ ସେ ନର୍ସ ଆଣି ମୋତେ ଦେଖାଇ କିଛି ନ କହି ଦୁଇଟୋପା ଲୁହ ଝଡ଼ାଇ ଚାଲିଗଲା ।

 

କେଜାଣି କାହିଁକି ମୋର ଭୀଷଣ ସନ୍ଦେହ ହେଲା—ଭାବିଲି ଏହି ନର୍ସ କଣ ଗୀତା ? ପରୀକ୍ଷଣରେ ଭାବେ ନା, ଏ ଗୀତା ନୁହେଁ, ଖଚଡ଼ ଶରତ ତାକୁ ନେଇ ଦୁନିଆ ପାର ହୋଇ ଚାଲିଯାଇଛି । ଗୀତା ତ ଏଡ଼େ ପାତଳୀ ନୁହେଁ, ରୂପ ମଧ୍ୟ ଏହାର ନୀରସ—ନା ଏ ଗୀତା ନୁହେଁ । ଦିନ ଏ ନର୍ସଟି ମୋତେ ଲେମ୍ବୁ ଛଡ଼ାଇ ଖାଇବାକୁ ଦେଲା—କେଜାଣି କାହିଁକି ଅଜାଣତରେ ବାହାରି ପଡ଼ିଲା ଦୁଇଟି ଅକ୍ଷର “ଗୀତା” । ଚାହୁଁଥାଏ, ଏହା ଶୁଣି ସେ ମୋ ଆଡ଼କୁ ଗୋଟାଏ କଟାକ୍ଷ ଦୃଷ୍ଟିପାତ କରି ଚାଲିଗଲା ।

 

ସନ୍ଦେହ ହେଲା—ଭାବିଲି ମୋର ଚିହ୍ନିବାର ଭୁଲ୍ ହୋଇଛି, ଏହି ନିଶ୍ଚୟ ଗୀତା—ମନେ ମନେ ଡାକିଲି, ଜଗନ୍ନାଥ ମୋର ଆଶା ପୂର୍ଣ୍ଣ ହେଉ ।

 

କାଲି ମୁଁ ଡାକ୍ତରଖାନା ଛାଡ଼ିବି, ଆଜି ପାଞ୍ଚଟାବେଳେ ଗୋଟିଏ ଲୋକ ଆଣି ମୋତେ ଖଣ୍ଡିଏ ଚିଠି ଦେଇଗଲା—ପେନ୍‌ସିଲ୍‌ ଲେଖା—ତାହା ଖୋଲି ପଢ଼ିଲି—

 

ପୁରୀ

 

ପ୍ରିୟ ବସନ୍ତବାବୁ,

 

ଅପରିଚିତର ପ୍ରଣାମ ଗ୍ରହଣ କରିବେ ।

 

ବୋଧହୁଏ ଏଇ ଧାଡ଼ିକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ—ନା ମୁଁ ଆଜି ଆପଣଙ୍କୁ ଆଶ୍ଚର୍ଯ୍ୟ ହେବାକୁ ଦେବିନାହିଁ—ପ୍ରତି ଅକ୍ଷର ନଛାଡ଼ି ସବୁ ଆପଣଙ୍କୁ କହିବି । ହଁ, ମୋର ନାମ ଶରତ, —ମୁଁ ଗୀତାକୁ ତାହାର ମଙ୍ଗଳପାଗ ରାତି ଦିନ ଘେନି ଆସିଥିଲା । ସେ ତ ବଡ଼ ଲୋକର ଝିଅ, କିନ୍ତୁ ମୁଁ ଆଉ ମୋର ଅବସ୍ଥାର ପରିଚୟ ଦେବାକୁ ନିଜକୁ ଲଜ୍ଜା ବୋଧ କରୁଛି । ମୁଁ ସବୁ ଜାଣେ, ଆପଣ ଆମ ଘରକୁ ଆମ ଆସିବାର ଦୁଇଦିନ ପରେ ଯାଇ ଆମର ଅବସ୍ଥା ବୁଝି ଆସିଛନ୍ତି । ଛାଡ଼ନ୍ତୁ... ।

 

ଗୀତା ଆଖିରେ ଅନ୍ଧପୁଟୁଳି ବାନ୍ଧି ଜମିଦାରର ସନ୍ତାନର ପରିଚୟ ଦେଇ ଘେନି ଆସିଥିଲି ଗୀତାକୁ ଅନେକ ଆଡ଼ ବୁଲିଲୁ । ଏପରିକି ରାତ୍ର ଦିନ ନାହିଁ ଭାବନାରେ—ଶେଷରେ ପହଞ୍ଚିଲୁ ଆସି ଏହି ପବିତ୍ର ଧାମ ପୁରୀରେ—ଜାଗା ପାଇଲୁ ନାହିଁ ରହିବାକୁ । ଟଙ୍କାର ମଧ୍ୟ ଅଭାବ–କିଛିଦିନ ପରେ ନିଜର ଭୁଲ୍ ବୁଝି ପାରିଲି । ଶେଷରେ ତାକୁ ଡାକ୍ତରଖାନାରେ ନର୍ସକାମରେ ରଖାଇ ଦେଲି ।

 

କଟକ କଥା ଭାବିଲେ ଲେଖି ପାରିବ ନାହିଁ । ଆପଣଙ୍କର ଗୀତା ସହିତ ଏତେ ଭାବ ଦେଖି ମୁଁ ଦୋଷୀ ଆପଣଙ୍କୁ ଗୁଣ୍ଡା ଜଗାଇଥିଲି । ଆପଣଙ୍କର କେତେ ନିନ୍ଦା ଅପବାଦ ମୁଁ ଗୀତା ଆଗରେ ଗାଇଛି । ଆପଣ ଜାଣନ୍ତି ନାହିଁ । ମୁଁ ଗୋଟିଏ ସନ୍ନ୍ୟାସୀ ଭାବରେ, ଏହି ପୁରୀର ଉତ୍ତର ପାର୍ଶ୍ଵ ମଠରେ ଥିଲି । ଦୈନିକ ଆପଣଙ୍କୁ ଦେଖି—କିନ୍ତୁ ଆପଣ ମୋତେ ଚିହ୍ନି ନ ଥିଲେ, ତଥା ଚିହ୍ନିଥିଲେ ମଧ୍ୟ ଏ ବେଶକୁ ଦେଖି ଚିହ୍ନିପାରି ନ ଥାନ୍ତେ । ସେଇ ଦିନଠାରୁ ପ୍ରାୟ ଛମାସ ହେବ ଆଉ ମୋର ଗୀତା ସହିତ ସାକ୍ଷାତ ନାହିଁ । ମନରେ ମୋର ଥିଲା ଗୋଟାଏ ଆଶା, ତାହା ହେଉଛି ଗୀତାକୁ ଆପଣଙ୍କ ସହିତ ମିଳନ କରାଇବାକୁ—କିନ୍ତୁ ଆଜି ତାହା ସଫଳ ହୋଇଛି ।

 

ମନେ କରିବେ ନାହିଁ—ଗୀତା ମୋ ସଙ୍ଗରେ ଆସି ଚରିତ୍ରହୀନା ଓ ଦୋରାଚାରିଣୀ ହୋଇଛି ବୋଲି, କିନ୍ତୁ ମୁଁ ହିନ୍ଦୁଜାତିର ଶ୍ରେଷ୍ଠ ଦେବତା ଓ ଜଗନ୍ନାଥଙ୍କୁ ଅନାଇ ତ୍ରିବାର କରି କହୁଛି–ତାହାର ଚରିତ୍ର ନିର୍ମଳ ଓ ପବିତ୍ର । ମୋ ଦ୍ଵାରା ତାହାର କିଛି ଅନିଷ୍ଟ ହୋଇନାହିଁ । କୌଣସି କଥା ଭାବିଲ ବେଳକୁ ଜଣାଯାଉଛି, ସତେ ଯେପରି ହିମାଳୟ ପର୍ବତଟା ମୋ ମୁଣ୍ଡ ଉପରେ ଢଳିପଡ଼ୁଛି । କଅଣ ନ କଲି ବସନ୍ତ ବାବୁ, ଯୁବକ ତଥା ଯୁବତୀମାନଙ୍କ ମୁଖରେ କାଳି ବୋଳି ଦେଲି ।

 

ସେ ଯାହାହେଉ, ମୁଁ ବୁଝି ପାରୁଛି, ଆପଣଙ୍କ ପାଖକୁ ଗଲେ ମତେ ଦଣ୍ଡଦେବେ । କିନ୍ତୁ ଯାଆନ୍ତି, ମାତ୍ର ଆପଣଙ୍କ ପରି ପବିତ୍ର ଲୋକ, ମୋ ପରି ପାପିକୁ ଦେଖିଲେ ଆପଣଙ୍କର ଅମଙ୍ଗଳ ହେବ, ଆଉ ମୁଁ ଓଡ଼ିଶାରେ ରହିବି ନାହିଁ । ଯଦି ପାରନ୍ତି ତେବେ ଏ ଚିଠିଖଣ୍ଡିକ ଆମ ଘରକୁ ଓ ଏ ଖଣ୍ଡିକ ପୂର୍ଣ୍ଣବାବୁଙ୍କୁ ଦେଇ ଦେବେ ।

 

ଗୀତାର ଉପଯୁକ୍ତ ବନ୍ଦୋବସ୍ତ କରିବେ । ଚରିତ୍ରହୀନା ନୁହେଁ ସେ, କଦାପି ନୁହେଁ । ମୁଁ ଯେଉଁ ଦୋଷ କରିଛି, ତାହାର ଦଣ୍ଡ ଭୋଗ କରିବାକୁ ଚାଲିଲି ରେଙ୍ଗୁନ୍ । ଇତି ।

 

ଆପଣଙ୍କର

ହତଭାଗା ଶରତ୍

 

ଚିଠି ଖଣ୍ଡିକ ପଢ଼ି ତା’ ପ୍ରତି ରାଗ ଆସିଲା ଯେତିକି ଦୟା ମଧ୍ୟ ଆସିଲା ସେତିକି । ଭାବିଲି ଗୀତାକୁ ଆଜି ଏକଥା ଶୁଣାଇବି ନାହିଁ । ତାହାର ସେବା ଅନ୍ତର ଢାଳି କରୁଥାଏ ମୋର ।

 

ଏଥି ମଧ୍ୟରେ ମୁଁ ମିନି ପାଖକୁ ମୋ ଦେହ ବିଷୟ ନେଇ ଚିଠି ଦେଇ ନଥିଲି । ଜାଣେ ସେ ଛୁଆଲୋକ, ସର୍ବଦା କାନ୍ଦିବ । ଦେହ ଭଲ ହେବାରୁ ଚିଠି ଖଣ୍ଡିଏ ଦେଲି ମିନି ପାଖକୁ । ଡାକ୍ତରଖାନା ଛାଡ଼ିବାର ଅଧ ଘଣ୍ଟାଏ ଥାଏ, ଦେଖିଲି ମଟର ଆସି ଲାଗିଲା ସରଜିକାଲ ୱାର୍ଡ଼ର ଗେଟ୍ ପାଖରେ ଓ ତା’ ପରେ ଖଣ୍ଡିଏ ବଗିଗାଡ଼ି ।

 

କ୍ଷଣକେ ମିରା, ମିନି ଓ ତାହାର ବୋଉ ଆଉ ମିସେସ୍ ଦାସ ମଟରରୁ ଓହ୍ଲାଇଲେ । ବଗିଗାଡ଼ିରୁ ଦାମବାବୁ, ଓ ହେମନ୍ତର ଗୋଟିଏ ଭାଇ ପ୍ରଶାନ୍ତ ରେଭେନ୍ସା କଲେଜରେ B.A ପଢ଼େ, ସେମାନେ ବଗିରୁ ଓହ୍ଲାଇ ମୋ ପାଖକୁ ଧାଇଁଗଲେ ।

 

ସେତେବେଳକୁ ମୁଁ ବସିଥାଏ—ନର୍ସ ମୋର ଆସିବାର ବନ୍ଦୋବସ୍ତ କରୁଥାଏ ।

 

ମିନି ହଠାତ୍ ମୋର ଚେହେରାକୁ ଦେଖି କାନ୍ଦି ଉଠିଲା—ମିରା ତାକୁ ତୁନିକଲା—ସମସ୍ତେ ଏକାଠି ହେଲେ– ।

 

ଦାମବାବୁ ଆଗତୁରା ଚାଲିଗଲେ—

 

ଆମେ ବାହାରିବା ସମୟରେ ନର୍ସର ଆଖି ଲୋତକରେ ଛଳ ଛଳ ହୋଇ ଆସୁଥାଏ–କିନ୍ତୁ ଏତେ ଲୋକରେ କାନ୍ଦିବାକୁ ସେ ସାହସ କରୁ ନ ଥାଏ ।

 

ଗେଟ୍ ପର୍ଯ୍ୟନ୍ତ ବଳେଇଦବାକୁ ଆସିଲା । ମିନି ଓ ମିରା ପ୍ରଭୃତି ବସିଲେ ମଟରରେ—ହେମନ୍ତ ଓ ପ୍ରଶାନ୍ତ ବସିଲେ ବଗି ଗାଡ଼ିରେ ।

 

ଏହି ସମୟରେ ନର୍ସଟି ନମସ୍କାର ହୋଇ ଚାଲିଯାଉଥିଲା—

 

କହିଲି—ଆପଣ ବର୍ତ୍ତମାନ ମୋ ଦ୍ଵାରା ଆରେଷ୍ଟ ହୋଇଛନ୍ତି ଯାଉଛନ୍ତି କୁଆଡ଼େ ? ଜାଣନ୍ତି ମୁଁ ଜଣେ ପୋଲିସ ଅଫିସର—ଆପଣଙ୍କ ନାମରେ ୱାରେଣ୍ଟ ବୁଲୁଥିଲା—ଭାଗ୍ୟକୁ ଆଜି–

 

ନର୍ସଟି କାଠ ପରି ଛିଡ଼ାହୋଇ କାନ୍ଦିବାକୁ ଲାଗିଲା—

 

କହିଲି—ମିନି, ତୁ ୟାଙ୍କୁ ଚିହ୍ନିଛୁ ?

 

ମିନି ଉତ୍ତର ଦେଲା—ଭଲକରି ଚିହ୍ନି ପାରୁ ନାହିଁ ।

 

କହିଲି—ଏ ହେଉଛନ୍ତି ଶ୍ରୀମତୀ ଗୀତାଦେବୀ—ମେଡ଼ିକାଲର ନର୍ସ । ମିନି ଆଶ୍ଚର୍ଯ୍ୟ ହୋଇ କହିଲା–ମୋ ଗୀତା ଅପା ?

 

କହିଲି ହଁ ତୋର ଗୀତା ଅପା ଏ—

 

ସମସ୍ତେ ମଟରରୁ ଓହ୍ଲାଇ ତାକୁ ଘେରିଗଲେ—

 

କହିଲି—ଏ ନର୍ସଟି ତାଙ୍କର ପ୍ରାଣକୁ ଉତ୍ସର୍ଗ କରି, ମୋର ସେବାରେ ଲାଗି ମୋତେ ବଞ୍ଚାଇଛନ୍ତି, ତେଣୁ ମୁଁ ତାଙ୍କୁ ଆରେଷ୍ଟ କଲି । ଲଜ୍ଜାରେ ଗୀତାର ମୁହଁଟି ଲାଲ ପଡ଼ିଗଲା—

 

କହିଲି—ତମେମାନେ ଯାଅ, ମୁଁ ପଛରେ ଯାଉଛି । ସମସ୍ତେ ଚାଲିଗଲା ପରେ ମୋର ଓ ଗୀତାର ପରିଚୟ ଦେଇ ତା’ ପାଇଁ ଦୁଇମାସ ଛୁଟି ମଞ୍ଜୁର କରି ଆଣିଲି ସମସ୍ତଙ୍କ ଅଗୋଚରରେ ।

 

ପଛରେ ଥାନାକୁ ଯାଇ ଦାମବାବୁ ଓ ମୁଁ ସାଙ୍ଗହୋଇ ଘରକୁ ଗଲୁ । ବାଟରେ ମୁଁ ସମସ୍ତ ଘଟଣା ତାଙ୍କୁ କହିଥାଏଁ—ସେ ମଧ୍ୟ ଜାଣନ୍ତି ଯେ, ପୂର୍ଣ୍ଣବାବୁଙ୍କ ଝିଅର ହରଣଚାଳ ।

 

ଦାମବାବୁ ଓ ମୁଁ ଘରେ ପହଞ୍ଚିଲି—ମିରାର ଇଙ୍ଗିତରେ ଗୀତା ଦାମବାବୁଙ୍କୁ ନମସ୍କାର ହେଲା ।

 

ଛୁଟି ମୋର ସରି ନାହିଁ—ହେମନ୍ତ ଓ ପ୍ରଶାନ୍ତ କଟକ ଚାଲିଯାଇଛନ୍ତି । ମିନି ଓ ଗୀତା ମିରାର ଘରେ ଅଛନ୍ତି ।

 

ମିନି ଓ ଗୀତା ଅଧିକାଂଶ ସମୟରେ ମୋ ବସାକୁ ଆସନ୍ତି ।

 

କିନ୍ତୁ ମିରା ଆସେ ନା—ଭାବେ, ମିରା ମୋ ବସାକୁ ନ ଆସିବାର କାରଣଟା କ’ଣ ? ତାହାର କିଛିଦିନରେ ଥାନାରେ ମୋର ଜଣେ ସହକର୍ମୀ ଆନନ୍ଦରେ କହିଲେ—

 

ଦାମବାବୁଙ୍କ ଠାରୁ ଭିନେ ଫିଷ୍ଟ ଖାଇବୁ ଓ ବସନ୍ତବାବୁଙ୍କ ଠାରୁ ଭିନେ—ସମସ୍ତେ ତାଙ୍କ କଥାକୁ ଅନୁମୋଦନ କଲେ । ମୁଁ ଭାବିଲି ଏମାନେ ଥଟ୍ଟାରେ କହୁଛନ୍ତି ବୋଲି । କିନ୍ତୁ କାର୍ତ୍ତିକବାବୁ ଯେତେବେଳେ ଖଣ୍ଡିଏ ନାଲି ଲଫାପାର ନିମନ୍ତ୍ରଣ ପତ୍ର ଖୋଲି ଦେଖାଇ ଦେଲେ, ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଭାବିଲି ମିନିର ଓ ମିସେସ୍ ଦାସଙ୍କର ଚକ୍ରାନ୍ତ ଏ ।

 

କିଛି ସମୟ ପରେ ବସାକୁ ଚାଲି ଆସିଲି ।

 

ଆଉ ମୋର ବିଭାଘର ରହିଲା ମୋଟେ ଦି’ଦିନ, କାଲି ଗଲେ ପଅରଦିନ । ମିନି ଏକଲା ଦିନେ ଆସି ବସାରେ ପହଞ୍ଚିଲା । ସେତେବେଳକୁ ମୁଁ ସେଇ ବିଭାଘର କଥାଟା ଭାବୁଛି—ମିନି ହଠାତ୍ ପଶିଆସି କହିଲା—

 

ନନା—କାଲିଛାଡ଼ି ପଅରଦିନ ବିଭାଘର—ଆମ ଘର ତରଫରୁ କିଛି ବନ୍ଦୋବସ୍ତ କଲେନା ?

 

କହିଲି, ବାହାଘର କାହାର ?

 

ମିନି ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲା—କଅଣ ସ୍ଵପ୍ନ ଦେଖୁଛନ୍ତି ନା କ’ଣ ?

 

ଥଟ୍ଟାରେ କହିଲି—ଏ ବିଭାଘର ହୋଇ ପାରିବ ନାହିଁ—

 

ମିନି ପଚାରିଲା—କାରଣ ?

 

କହିଲି—ଆଉ କିଛିଦିନ ପରେ ହେବ—

 

ମିନି କହିଲା—ସେପରି କହିବ ତ ମୁଁ ସମୁଦ୍ରକୁ ଡେଇଁ ପଡ଼ିବ ଜାଣିଥା—

 

କହିଲି ମୁଁ ଥଟ୍ଟାରେ କହୁଥିଲି, ତୁ ଏଥିରେ ରାଗୁଛୁ ?

 

ମିନି ହସିଲା—

 

କହିଲି ଗୀତା ଖବର ?

 

ପରେ କହିଲା ମିନି ।

 

କହିଲି ନା—ଏକା ସଙ୍ଗରେ— ।

 

ଏକାସଙ୍ଗରେ କିପରି ହେବ ? ପଚାରିଲା ମିନି ।

 

କହିଲି ମୋର ଲଗ୍ନ ହେଉଛି ମାସର ଆଠ—ଆଉ ଗୋଟାଏ ଲଗ୍ନ ବାଅରରେ ଅଛି—ଭାବୁଛି ପ୍ରଶାନ୍ତ ସଙ୍ଗରେ.... ।

 

ମିନି କହିଲା ଠିକ୍ ହେବ କିନ୍ତୁ... ।

 

କହିଲି କିନ୍ତୁ ଆଉ କ’ଣ ? ପ୍ରଶାନ୍ତ ପାଠ ପଢ଼ୁଛି ପଢ଼ୁ । ହେମନ୍ତ ତ ମୋ କଥାରୁ ବାହାରି ଯିବ ନାହିଁ, ତୋ ଶାଶୁ ଶ୍ଵଶୁର ମଧ୍ୟ ।

 

ମିନିର ମନକୁ ଠିକ୍ ଗଲା—କହିଲା ତାଙ୍କର ବାପା ଓ ବୋଉ ପାଖକୁ ଚିଠି ଲେଖନ୍ତୁ ।

 

କହିଲି, ହଁ ଆଜିରେ ଲେଖିବି ।

 

ଚିଠି ଖଣ୍ଡିକ ଲେଖିକି ପଠାଇଲି ହେମନ୍ତ ଓ ପ୍ରଶାନ୍ତ ପାଖକୁ, ଆଉ ଖଣ୍ଡେ ତାଙ୍କର ଭଉଣୀ ମିଃ ଦାସଙ୍କ ପାଖକୁ ଓ ଖଣ୍ଡେ ତାଙ୍କର ବାପା ଓ ବୋଉ ପାଖକୁ । ମୋ ବିଭାଘର କଥା ଲେଖିଲି ନାହିଁ, ପ୍ରଶାନ୍ତ ବିଭାଘର କଥା । ଲେଖିଲି ନାହିଁ, ପ୍ରଶାନ୍ତ ବିଭାଘର କଥା ଲେଖିଲି ନାହିଁ ଲେଖିଲି ଯଦି ଆପଣମାନଙ୍କର ମୋତେ ଦେଖିବାର ଆଶାଥାଏ ଶୀଘ୍ର ଆସନ୍ତୁ । ଏତକ ଲେଖି ତହିଁ ଆର ଦିନ ପଠାଇ ଦେଲି ।

 

ମିନିକୁ କହିଥାଏ ଗୀତାକୁ ତା ବିଭାଘର ନେଇ କିଛି ନ କହିବାକୁ ।

 

ବିଭାଘର ମୋର ମରି ଯାଇଛି । ମିନିର ଆନନ୍ଦ କହିଲେ ନ ସରେ, କିନ୍ତୁ ବସାରେ ଗୀତାର ବିବାହ ଆୟୋଜନ କରୁଥାଏ, ସେଇ ଦାମବାବୁଙ୍କ ଘରେ ସେଇ ବେଦିରେ ।

 

ଭାବିଲି ଗୀତାର ବାପା ଓ ବୋଉ ଯଦି ଏ ବିବାହର ମତ ନ ଦିଅନ୍ତି, ତେବେ କିଛି ହେବ ନାହିଁ । ତେଣୁ ଖଣ୍ଡିଏ ଚିଠି ଲେଖିଲି ।

 

ପୁରୀ

 

ମାନନୀୟା ମାଉସୀ

 

ମୋର ନମସ୍କାର ନେବ ଓ ମଉସାଙ୍କୁ ଜଣାଇ ଦେବି—

 

ଆପଣ ବୋଧହୁଏ ଜାଣନ୍ତି ନାହିଁ—ମୁଁ ପୁରୀରେ Sub–Inspectors ହୋଇଅଛି-। ଏଥି ମଧ୍ୟରେ ଗୀତା ପାଇଁ ମୁଁ ପ୍ରାଣପଣେ ଚେଷ୍ଟା କରି ତାକୁ ପାଇଛି । ବର୍ତ୍ତମାନ ସେ ମୋ ବସାରେ ଶଯ୍ୟାଶାୟୀ—କାର୍ଯ୍ୟବଶତଃ ମୁଁ ତାହାର ତତ୍ତ୍ଵନେଇ ପାରୁ ନାହିଁ, ଶୀଘ୍ର ଆସି ତାକୁ ଏଠାରୁ ନେଇ ଯାଆନ୍ତୁ । ଆଜି ରାତି ଗାଡ଼ିରେ ଆସନ୍ତୁ । ଇତି ।

 

ଆପଣଙ୍କର

ବସନ୍ତ

 

ଚିଠି ଖଣ୍ଡିକ ପକାଇ ଦେଲି ଡାକରେ ରେଜେଷ୍ଟ୍ରି କରି । ପଅରଦିନ ବିଭାଘର ।

 

ହେମନ୍ତ ଓ ପ୍ରଶାନ୍ତ ଆସି ସାରିଛନ୍ତି ତାଙ୍କ ଭଉଣୀକୁ ଧରି । ତାଙ୍କର ବାପା ଓ ବୋଉ ମଧ୍ୟ ଆସି ସାରିଛନ୍ତି । କିନ୍ତୁ ଆସି ନ ଥାନ୍ତି ଗୀତାର ବାପା ଓ ବୋଉ । ଏମାନେ ମୋର ଏପରି ଛଳନା ଦେଖି ଲଜ୍ଜିତ ହୋଇଗଲେ । ମିନି ତାହାର ଶାଶୁ ଓ ଶ୍ଵଶୁରଙ୍କୁ ମଙ୍ଗାଇ ଦେଲା, ସେମାନେ ଯେଉଁଥି ପାଇଁ ମଙ୍ଗି ନଥାନ୍ତେ କନ୍ୟା ମଧ୍ୟ ତାଙ୍କରି ପାଖରେ ।

 

ହେମନ୍ତ ମୋ କଥାରେ ରାଜି ହେଲା, ବାକି ପ୍ରଶାନ୍ତ ଆମ କଥାରୁ ବାହାରି ଗଲା ନାହିଁ । ସେମାନେ ଠିକ୍ ବିବାହ ହେବାର ଘଣ୍ଟାଏ ପୂର୍ବରୁ ପହଞ୍ଚିଲେ । ସେମାନଙ୍କୁ ମଙ୍ଗାଇବାକୁ ଅଧଘଣ୍ଟାଏ ଲାଗିଲା । ବାକି ଖୁବ୍ ଚଞ୍ଚଳ ଗାଧୁଆ କାମ ସାରି ନେଇ ବେଦି ଉପରକୁ ଯିବାର ବନ୍ଦୋବସ୍ତ ହେଲା-

 

ମୋ ମନ ପୂର୍ଣ୍ଣବାବୁ ଓ ତାଙ୍କ ସ୍ତ୍ରୀଙ୍କ ପାଇଁ ଦୁଃଖ ଥାଏ ।

 

ବରକନ୍ୟା ବେଦ ଉପରକୁ ଆସିଲେ । ଗୀତା ଯେତେବେଳେ ଓଢ଼ଣା ଟାଣି ଆସୁଥାଏ, ମୋତେ ଭାରିଲାଜ ମାଡ଼ୁଥାଏ—ଭାବୁଁଥାଏ ଆଠଦିନ ତଳର ଜଣେ ନର୍ସ ଆଜି.... ।

 

କିନ୍ତୁ ଭାବି ପାରିଲି ନାହିଁ—ପଦାରେ ହୁଳହୁଳି ଓ ବାଜଣାର ଶବ୍ଦରେ କୋଠାଟା ଉଠୁଥାଏ ।

 

ଯେତେବେଳେ ପୁରୋହିତ ଉଭୟଙ୍କ ହାତ ଛନ୍ଦିଲେ ଓ ପାଠ କଲେ ।

 

ଯଥା—ରାବଣସ୍ୟ ମନ୍ଦୋଦରୀ

 

ଯଥା—ଇନ୍ଦ୍ରସ୍ୟ ଇନ୍ଦ୍ରାଣୀ—

 

ଏହି କେତେ ପଦ ଯାଇଛି, ପଦାରେ ଶୁଭିଲା ପାଟି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବିବାହ ବନ୍ଦ ହୋଇଗଲା—

 

କଅଣ ଘଟଣା ଦେଖିବାକୁ ଧାଇଁଗଲି ପଦାକୁ—ଦେଖିଲ ପୂର୍ଣ୍ଣବାବୁ ଓ ତାଙ୍କର ସ୍ତ୍ରୀ ଦାଣ୍ଡରେ ଛିଡ଼ା ହୋଇଛନ୍ତି । ମୋତେ ଓ ଗୀତାକୁ ଖୋଜୁଛନ୍ତି । ଧାଇଁ ଯାଇଁ ନମସ୍କାର ହେଲି ।

 

ହଠାତ୍ ପଚାରିଲେ, ଗୀତା କାହିଁ ?

 

ସେମାନଙ୍କୁ ନେଇଗଲି ବେଦ ପାଖକୁ । ଗୀତାକୁ ଦେଖାଇ କହିଲି ଏକ ଆପଣଙ୍କ ଗୀତା ।

 

ପ୍ରଥମେ ସେମାନେ ବିଶ୍ଵାସ କଲେ ନାହିଁ । ଯିବେ ବା କିପରି । ସେମାନେ ସ୍ଵପ୍ନରେ ଥରେ ହେଲେ ଭାବି ନ ଥିଲେ ଯେ, ଗୀତାକୁ ବେଦି ଉପରେ ଦେଖିବାକୁ । ଦାମବାବୁ ଓ ତାଙ୍କର ସ୍ତ୍ରୀଙ୍କୁ ଅନେକ ବୁଝାଇବାରୁ ସେମାନେ ବିଶ୍ଵାସ କଲେ ।

 

ପ୍ରଥମେ ସେମାନଙ୍କୁ ବାଧ୍ୟ କରି ଗାଧୋଇବାର ବନ୍ଦୋବସ୍ତ କଲି । ସେମାନଙ୍କର ଗାଧୁଆ ସରିଲା ପରେ ପୂର୍ଣ୍ଣବାବୁ ଓ ମାଉସୀ ଆସି ବେଦି ପାଖରେ ବସିଲେ । ସେତେବେଳେ ସେମାନଙ୍କର କି ସ୍ଵର୍ଗୀୟ ସୁଖ ତାହା କହିହେବ ନାହିଁ । ତାହା ଭାବିବାର ବିଷୟ ।

 

ବିବାହ ସରିବାର ଆଠଦିନ ହୋଇଗଲାଣି, ଦାମବାବୁଙ୍କ ଘରେ ସମସ୍ତେ ଅଛନ୍ତି । ପ୍ରଶାନ୍ତ, ହେମନ୍ତ ଓ ତାଙ୍କର ଭଉଣୀ ଅଳ୍ପଦିନ ଛୁଟି ଆଣିଥିବାରୁ ସେମାନେ କଟକ ଚାଲି ଯାଇଛନ୍ତି-। ମିନି, ମିରା ଓ ଗୀତା ଏମାନେ ଅଛନ୍ତି ଦାମବାବୁଙ୍କ ଘରେ । ପୂର୍ଣ୍ଣବାବୁ ଓ ତାଙ୍କର ସ୍ତ୍ରୀ ମଧ୍ୟ ଅଛନ୍ତି ତାଙ୍କ ଘରେ । ଏଥି ମଧ୍ୟରେ ଦାମବାବୁଙ୍କ ସହିତ ପୂର୍ଣ୍ଣବାବୁଙ୍କର ଯଥେଷ୍ଟ ଘନିଷ୍ଠତା ଆସି ଯାଇଛି-

ଦିନେ ବସାରେ ମୁଁ ମୋର ଜଣେ ସାଥୀ କର୍ମଚାରୀଙ୍କ ସହିତ କଥାଭାଷା ହେଉଛି । ଏହି ସମୟରେ ମିନି, ମିରା ଓ ଗୀତା ମଟରରେ ଆସି ବସାରେ ପହଞ୍ଚିଲେ । ଭଦ୍ରଲୋକ ଜଣକ ଅନିଚ୍ଛା ସତ୍ଵେ ବିଦାୟ ନେଇ ଚାଲିଗଲେ । ମିନି କହିଲା : —ନନା, କଣ୍ଟ୍ରାକ୍ଟର ଖଣ୍ଡେ ଚିଠି ଦେଇଛି-। ଏହା କହି ହାତକୁ ମୋର ଚିଠି ଖଣ୍ଡିକ ବଢ଼ାଇ ଦେଲା । ତହିଁରେ ଲେଖାଥିଲା—

ବଦରେଶ୍ଵର

ମହାଶୟ,

କୋଠାକାମ ସରିଗଲାଣି—ବଗିଚାକାମ ଓ ପୋଖରୀ କାମ ବୋଧହୁଏ ଦୁଇଦିନ ମଧ୍ୟରେ ସରିଯିବ । ଆପଣା ଶୀଘ୍ର ଆସି କୋଠା ପ୍ରତିଷ୍ଠାର ବନ୍ଦୋବସ୍ତ କରନ୍ତୁ । କାରଣ କାମ ସରିଲା ପରେ ମୁଁ ଆଉ ରହି ପାରିବି ନାହିଁ—ମୋତେ ଅନ୍ୟ କେଉଁଠାରେ କାମ ଦେଖିବାକୁ ହେବ-। ଆପଣ ଯଦି ଶୀଘ୍ର ନ ଆସନ୍ତି, ଏଥିରେ କ୍ଷତି କେବଳ ମୋର—ଦୟାକରି ଶୀଘ୍ର ଆସନ୍ତି । ଇତି ।

ଆପଣଙ୍କର

ଜଗୁ

ଚିଠି ଖଣ୍ଡିକ ପଢ଼ି, ଭାବିଲି ପୁଣି ଗୋଟାଏ ଦାୟିତ୍ଵ, ସେ କାମ ସାରିବାକୁ ହେବ । ମିନିକୁ କହିଲି, କାଲି ସକାଳ ଗାଡ଼ିରେ ଯିବା । କିଛି ସମୟ କଥାବାର୍ତ୍ତା ହେଲାପରେ ସମସ୍ତେ ଦାମ ବାବୁଙ୍କ ବସାକୁ ଆସିଲ ।

 

ଦାମ ବାବୁଙ୍କୁ ଏକଥା କହିବାରୁ ସେ ଆଉ ଏଥିରେ ବାଧା ଦେଲେ ନାହିଁ—ଅନୁମତି ଦେଲେ ଯିବାକୁ । କାଲି ସକାଳ ଗାଡ଼ିରେ ବାହାରିଲେ ।

 

ଦାମ ବାବୁ ବିବାହର ଯୌତୁକ ଇତ୍ୟାଦି ଠିକ୍ କଲେ ଆମ ସଙ୍ଗରେ ପଠାଇବାକୁ, କିନ୍ତୁ ମୁଁ ମନାକଲି—କହିଲି ପରେ ପଠାଇବେ ପୂର୍ଣ୍ଣବାବୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଆମ ସଙ୍ଗରେ ବାହାରିଲେ ।

 

ସକାଳ ହେଲା—ଷ୍ଟେସନକୁ ଆସିଲେ ସମସ୍ତେ । ଆମେ ପହଞ୍ଚିଲାବେଳକୁ ଗାଡ଼ି ଛିଡ଼ା ହୋଇଛି । ଟିକେଟ୍ ଆଣି ବସିଲେ ଗାଡ଼ିରେ । ଗାଡ଼ି ଛାଡ଼ିଲା—

 

ଗାଡ଼ି ଯାଇଁ ପହଞ୍ଚିଲା ଧାନମଣ୍ଡଳ ଷ୍ଟେସନରେ ।

 

ଧାନମଣ୍ଡଳ ଷ୍ଟେସନକୁ ମୁଁ ଚାରିଖାଣ୍ଡ ଟିକେଟ୍ କରିଥାଏ । ମିନି, ମୁଁ, ମିରା ଓ ଗୀତାର–

 

ଗାଡ଼ିଟା ଯାଇ ଅନେକ ସମୟ ପରେ କଟକରେ ପହଞ୍ଚିଲା । ପୂର୍ଣ୍ଣବାବୁ ଓ ତାଙ୍କର ସ୍ତ୍ରୀ ଯେତେବେଳେ ଗୀତାକୁ ଡାକନ୍ତି ଯିବା ପାଇଁ, ମିନି କହିଲି—ଗୀତା ଅପା ଆମ ଘରକୁ ଯିବେ । ଆମେ ତାଙ୍କ ପାଇଁ ଧାନମଣ୍ଡଳ ଟିକେଟ୍ କରିଛୁ । ଆପଣମାନେ ଯାଆନ୍ତୁ—ଆମେ ଚାରିଦିନ ପରେ କଟକ ଫେରିବୁ ।

 

ଭଦ୍ରାମୀ ରକ୍ଷା କରିବାକୁ ସେମାନଙ୍କୁ ଅନୁରୋଧ କଲି, ଆମ ସଙ୍ଗରେ ଯିବାକୁ, କିନ୍ତୁ ସେମାନେ ମନାକଲେ ।

 

ପ୍ଲାଟଫର୍ମ ଭିତରେ ସେମାନଙ୍କୁ ବଳେଇ ଦେଇ ଆସିଲି—

 

ଗାଡ଼ି ଯାଇଁ ପହଞ୍ଚିଲା ଧାନମଣ୍ଡଳ ଷ୍ଟେସନରେ ।

 

କୋଠା ପ୍ରତିଷ୍ଠା କାମ ସରିଯାଇଛି । ଦେଖିଲି ଯେଉଁ ପଡ଼ୋଶୀ ତଥା ଭାଇଆମାନଙ୍କର ମୋ ପ୍ରତି ଘୃଣା ଥିଲା—ତାହା ନାହିଁ । ନିମନ୍ତ୍ରଣ କରିଥିଲି, ଆନନ୍ଦରେ ଆସିଥିଲେ ସେମାନେ ।

 

ଏଇ କେତେଦିନ ହେବ ଗ୍ରାମର ଝିଅ ଓ ସ୍ତ୍ରୀଲୋକମାନଙ୍କର ଅଡ଼ା ଆମଘରେ । କେବଳ ଏ ତିନିଜଣକୁ ଦେଖିବା ପାଇଁ ।

 

ଦିନେ ମୁଁ ଖୋଳାଇଥିବା ନୂତନ ପୁଷ୍କରିଣୀର କୂଳରେ ଗୋଟିଏ ସିମେଟ୍ ଚେୟାର ଉପରେ ବସିଛି । ଅସ୍ତ କାଳୀନ ସୂର୍ଯ୍ୟଙ୍କର କିରଣ ପୋଖରୀର ଜଳରେ ପଡ଼ି ପୋଖରୀର ସୌନ୍ଦର୍ଯ୍ୟ ଦ୍ଵିଗୁଣ ବଢ଼ାଉଛି । ଏହି ସମୟରେ ଗୀତା କେତେବେଳେ ଆସି ମୋ ପଛଆଡେ ଛିଡ଼ା ହୋଇଛି, ମୋତେ ମାଲୁମ ନାହିଁ । କେଜାଣି କାହିଁକି ଜୟଦେବଙ୍କର ଦୁଇପଦ କବିତା ମୋ ପାଟିରୁ ବାହାରି ପଡ଼ିଲା—

 

ଲଲିତ ଲବଙ୍ଗ ଲତା ପରିଶୀଳନ କୋମଳ ମଳୟ ସମୀରେ

ମଧୁକର ନିକର କରମ୍ବିତ କୋକିଳ କୁଜିତ କୁଞ୍ଜ କୁଟୀରେ

 

ଏହି ସମୟରେ ଗୀତା ଫେଁ କରି ହସିଦେଲା—

 

ଦେଖିଲି ଗୀତା ପଛଆଡେ ଛିଡ଼ା ହୋଇଛି—

 

ପଚାରିଲି ତମେ ଏଠାରେ ?

 

ହଁ, ତମରି ଗୀତ ଶୁଣିବ ପାଇଁ—ଉତ୍ତର ଦେଲା ଗୀତା । ଏହି ସମୟରେ ମିରା ମିନି ଆସି ପହଞ୍ଚିଗଲେ—ମୁଁ ଚାଲିଗଲି ଘରଆଡ଼କୁ—ସେମାନେ ବସି ରହିଲେ ସେଇଠାରେ ।

Image